ମୁମ୍ବାଇ: ପାର୍ବଣ ଋତୁ ପୂର୍ବରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଲୋକଙ୍କୁ ମହଙ୍ଗା ମାଡ଼ ପଡିବ। ୧ ସେପ୍ଟେମ୍ବରରୁ ପାଇକାରୀ ଦୁଗ୍ଧ ମୂଲ୍ୟରେ ଲିଟର ପିଛା ୯ଟଙ୍କା ବୃଦ୍ଧି ହେବାକୁ ଯାଉଛି। ମୁମ୍ବାଇ ମିଲ୍କ ପ୍ରଡ୍ୟୁସର୍ସ ଆସୋସିଏସନ (ଏମଏମପିଏ) ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ତାଜା ମଇଁଷି ଦୁଗ୍ଧର ପାଇକାରୀ ମୂଲ୍ୟ ଲିଟର ପିଛା ୯୩ ଟଙ୍କାରୁ ବଢି ୧୦୨ ଟଙ୍କା ହୋଇଯିବ। ଏହି ନୂଆ ଦର ୧ ସେପ୍ଟେମ୍ବରରୁ ଲାଗୁ ହେବ ଓ ୨୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ପ୍ରଭାବୀ ରହିବ। ଅର୍ଥାତ ମୁମ୍ବାଇବାସୀଙ୍କୁ ୬ ମାସ ପର୍ଯ୍ୟନ୍ତ ବର୍ଦ୍ଧିତ ଦରରେ ଦୁଗ୍ଧ କ୍ରୟ କରିବାକୁ ପଡିବ ଏହା ପରେ ଦ୍ୱିତୀୟବାର ଦର ସମୀକ୍ଷା ହେବ।

୭୦ ବର୍ଷ ଇତିହାସରେ ଏମଏମପିଏ ଲିଟର ପିଛା ଏକକାଳୀନ ୯ ଟଙ୍କା ବୃଦ୍ଧି କେବେ କରି ନଥିଲା। ଏହା ପୂର୍ବରୁ ଫେବୃଆରୀ ୨୦୨୬ରେ ପାଇକାରୀ ଦୁଗ୍ଧ ମୂଲ୍ୟ ଲିଟର ପିଛା ୯୧ ଟଙ୍କାରୁ ବଢାଇ ୯୩ ଟଙ୍କା କରାଯାଇଥିଲା। ଦୁଗ୍ଧ ଉତ୍ପାଦକଙ୍କ କହିବା କଥା ହେଉଛି ଗୋଖାଦ୍ୟ ଓ ଘାଷ କୁଟା ଦର ବୃଦ୍ଧି ଯୋଗୁ ମୂଲ୍ୟ ବୃଦ୍ଧି ପଦକ୍ଷେପ ନେବାକୁ ପଡୁଛି। ଗୋଖାଦ୍ୟ ମୂଲ୍ୟରେ ପାଖାପାଖି ୨୫% ବୃଦ୍ଧି ହୋଇଛି। ଏହାଛଡା ଦୁହାଁଳିଆ ଗାଈ ଓ ମଇଁଷି ପାଳନ ପୋଷଣ ଖର୍ଚ୍ଚ ମଧ୍ୟ ଢେର ବଢି ଯାଇଛି। ଏଣୁ କ୍ଷୀର ଉତ୍ପାଦନ ବାବଦ ଖର୍ଚ୍ଚ ମଧ୍ୟ ବଢିଛି।

ଏମଏମପିଏ ଚେୟାରମ୍ୟାନ ସି.କେ. ସିଂହ କହିଛନ୍ତି ଯେ ମୁମ୍ବାଇରେ ୩,୦୦୦ରୁ ଅଧିକ ଖୁଚୁରା ବିକ୍ରେତାଙ୍କ ଦ୍ୱାରା ଦୁଗ୍ଧ ଯୋଗାଣ ହେଉଛି। ଏଣୁ ପାଇକାରୀ ଦର ଲିଟର ପିଛା ୧୦୨ ଟଙ୍କାକୁ ପହଞ୍ଚିବା ପରେ ଖାଉଟିଙ୍କ ପର୍ଯ୍ୟନ୍ତ ପହଞ୍ଚୁଥିବା ଖୁଚୁରା ଦୁଗ୍ଧ ମୂଲ୍ୟ ମଧ୍ୟ ବଢିପାରେ। ଏହା ବିକ୍ରେତା ଓ ପରିବହନ ବାବଦ ଖର୍ଚ୍ଚ ଉପରେ ନିର୍ଭର କରିବ। ମୁମ୍ବାଇରେ ଗଣେଶୋତ୍ସବ ଓ ପରବର୍ତ୍ତି ପାର୍ବଣ ପୂର୍ବରୁ ଦୁଗ୍ଧ, ପନିର, ମିଠାଇ ଦର ବଢିବା ସାଧାରଣ ପରିବାରର ବଜେଟ ବିଗିଡିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

ତେବେ କେବଳ ଦୁଗ୍ଧ ନୁହେଁ ଏହା ପୂର୍ବରୁ ମୁମ୍ବାଇ ମହାନଗର କ୍ଷେତ୍ର ପରିବହନ ପ୍ରାଧିକରଣ (ଏମଏମଆରଟିଏ) ସିଏନଜି ଚାଳିତ ଅଟୋ ରିକ୍ସା ଓ ଟ୍ୟାକ୍ସି ଭଡ଼ା ବଢେଇବାକୁ ମଞ୍ଜୁରୀ ଦେଇଛନ୍ତି। ଏଣୁ ମୁମ୍ବାଇରେ ସାଧାରଣ ଜନତାଙ୍କ ଉପରେ ମୂଲ୍ୟବୃଦ୍ଧିର ଦୋହରା ମାଡ଼ ପଡିବାକୁ ଯାଉଛି। ଏମଏମଆରଟିଏଙ୍କ ନିଷ୍ପତ୍ତି ଅନୁସାରେ ମୁମ୍ବାଇରେ ସର୍ବ ନିମ୍ନ ଟ୍ୟାକ୍ସି ଭଡ଼ା ୩୧ ଟଙ୍କାରୁ ବଢି ୩୩ ଟଙ୍କା ହୋଇଯାଇଛି। ସେହିପରି ପରବର୍ତ୍ତି ପ୍ରତି କିଲୋମିଟର ଦର ୨୦ଟଙ୍କା ୬୬ ପଇସାରୁ ବଢି ୨୧ ଟଙ୍କା ୯୦ ପଇସା ହୋଇଯାଇଛି। ସେହିପରି ସର୍ବ ନିମ୍ନ ଅଟୋ ଭଡା ୧୭ଟଙ୍କା ୧୪ ପଇସାରୁ ବଢି ୧୮ ଟଙ୍କା୨୨ ପଇସା ହୋଇଯାଇଛି।