ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀ କ୍ୟାମ୍ପସରେ ଜଣେ ୩୧ ବର୍ଷୀୟ ଏମ୍.ଏସ୍‌ସି ଫିଜିକ୍ସ ଛାତ୍ର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାଟି କ୍ୟାମ୍ପସରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। କିଷାନଗଡ଼ ପୋଲିସ ଷ୍ଟେସନକୁ ସକାଳ ୮:୩୩ ରେ ଏହି ଦୁର୍ଘଟଣା ସମ୍ପର୍କରେ ଖବର ମିଳିଥିଲା। ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଜଣଙ୍କୁ କ୍ୟାମ୍ପସ ହସ୍ପିଟାଲକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଛାତ୍ରଜଣଙ୍କ ସକାଳ ପ୍ରାୟ ୮ଟା ସମୟରେ ଆଇଆଇଟିର ମୁଖ୍ୟ ଫାଟକ ଦେଇ ଭିତରକୁ ପ୍ରବେଶ କରିଥିଲେ। ଏହାପରେ ସେ ଲେକ୍ଚର ହଲ୍ କମ୍ପ୍ଲେକ୍ସର ଲିଫ୍ଟ ଯୋଗେ ଷଷ୍ଠ ମହଲାକୁ ଯାଇ ସେଠାରୁ ଡେଇଁପଡ଼ିଥିଲେ।

ଘଟଣାସ୍ଥଳରୁ କୌଣସି ସୁସାଇଡ୍ ନୋଟ୍ ମିଳିନାହିଁ । ତବେ ଛାତ୍ରଙ୍କ ପକେଟରୁ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ପୋଲିସ ଆଇଆଇଟି ପ୍ରଶାସନଠାରୁ ଉକ୍ତ ଛାତ୍ରଙ୍କ କାଉନସେଲିଂ ରେକର୍ଡ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ସଂଗ୍ରହ କରି ତଦନ୍ତ ଜାରି ରଖିଛି।

ଏହି ଦୁଃଖଦ ଘଟଣା ପରେ ଆଇଆଇଟି ଦିଲ୍ଲୀ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ସଂସ୍ଥାନ କହିଛି ଯେ, ଛାତ୍ରଜଣଙ୍କର ଆକସ୍ମିକ ବିୟୋଗରେ ସମଗ୍ର ଆଇଆଇଟି ପରିବାର ଗଭୀର ମର୍ମାହତ। ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି ଏବଂ ସଂସ୍ଥାନ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଉଛି।