ନୂଆଦିଲ୍ଲୀ: ଭୋଜଶାଳା ବିବାଦ ପ୍ରସଙ୍ଗରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ। ମଧ୍ୟପ୍ରଦେଶ ହାଇକୋର୍ଟ ଶୁକ୍ରବାର, ଦୀର୍ଘ ଦିନରୁ ଚାଲିଆସୁଥିବା ଧାର ଜିଲ୍ଲାର ଭୋଜଶାଳା ବିବାଦରେ ଐତିହାସିକ ରାୟ ଶୁଣାଇଛନ୍ତି। ଅଦାଲତ ଏହାକୁ ମନ୍ଦିର ବୋଲି କହିଛନ୍ତି। ଅଦାଲତ ହିନ୍ଦୁ ପକ୍ଷଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇ କହିଛନ୍ତି ଏହା କମାଲ ମୌଲା ମସଜିଦ ନୁହେଁ ବରଂ ଦେବୀ ସରସ୍ବତୀଙ୍କ ମନ୍ଦିର। ଏହି ସ୍ଥଳ ରାଜା ଭୋଜଙ୍କ ସହ ଜଡ଼ିତ ସଂସ୍କୃତ ଶିକ୍ଷାର ପ୍ରମୁଖ କେନ୍ଦ୍ର ଥିଲା ଏବଂ ଏଠାରେ ହିନ୍ଦୁ ପୂଜା ପରମ୍ପରା କେବେବି ବନ୍ଦ ହୋଇନଥିଲା ବୋଲି କହିଛନ୍ତି କୋର୍ଟ। ଏହା ସହ କୋର୍ଟ କେନ୍ଦ୍ର ସରକାରଙ୍କୁ ଲଣ୍ଡନର ସଂଗ୍ରହାଳୟରୁ ମା’ ସରସ୍ବତୀଙ୍କ ପ୍ରତିମୂର୍ତ୍ତି ଫେରାଇ ଆଣିବାକୁ ଦାବି ଉପରେ ବିଚାର କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି।

ତେବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିରେ ମୁସଲିମ ପକ୍ଷଙ୍କୁ ବଡ଼ ଝଟକା ଲାଗିଛି। ହାଇକୋର୍ଟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଏବଂ ନିଷ୍ପତ୍ତି ପରେ ଭୋଜଶାଳା ବିବାଦ ପୁଣି ଥିରେ ଚର୍ଚ୍ଚାର କାରଣ ପାଲଟିଛି। ଶୁଣାଣି ବେଳେ ଅଦାଲତ ASIର ୨୦୦୩ର ସେହି ବ୍ୟବସ୍ଥାକୁ ମଧ୍ୟ ଆଂଶିକ ଭାବରେ ରଦ୍ଦ କରିଛନ୍ତି। ଯେଉଁଥିରେ ହିନ୍ଦୁମାନଙ୍କୁ ପୂଜା କରିବାର ଅଧିକାରକୁ ସୀମିତ କରାଯାଇଥିଲା। ହେଲେ ମୁସଲିମ ପକ୍ଷଙ୍କୁ ନମାଜ ଅନୁମତି ଦିଆଯାଇଥିଲା।

ଭୋଜଶାଳା ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତିର ୫ ପ୍ରମୁଖ ଟିପ୍ପଣୀ

ରାଜା ଭୋଜଙ୍କ ସହ ଜଡ଼ିତ ସଂସ୍କୃତ ଶିକ୍ଷା କେନ୍ଦ୍ର

ହାଇକୋର୍ଟଙ୍କ ପୀଠ କହିଛନ୍ତି ଯେ, ଐତିହାସିକ ଦସ୍ତାବିଜ ଏବଂ ସାହିତ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ, ବିବାଦୀୟ ପରିସରରେ ଭୋଜଶାଳ ଥିଲା। ଯାହା ପରମାର ବଂଶର ରାଜା ଭୋଜଙ୍କ ସମୟରେ ସଂସ୍କୃତ ଶିକ୍ଷାର ବଡ଼ କେନ୍ଦ୍ର ଥିଲା। ଅଦାଲତ କହିଛନ୍ତି ଏଠାରେ ହିନ୍ଦୁ ପୂଜା କେବେବି ବନ୍ଦ ହୋଇନଥିଲା। କୋର୍ଟ ନିଜ ଆଦେଶରେ କହିଛନ୍ତି ଯେ, ରାଜ୍ୟ ଏବଂ ପ୍ରଶାସନ ଶ୍ରଦ୍ଧାଳୁଙ୍କ ପାଇଁ ମୌଳିକ ସୁବିଧା କରିବା ଏବଂ ସ୍ଥାନର ପବିତ୍ରତା ତଥା ଦେବୀଙ୍କ ସ୍ବରୂପର ସଂରକ୍ଷଣ ସୁନିଶ୍ଚିତ କରିବାକୁ ମଧ୍ୟ କହିଛନ୍ତି।

Also Read: ନିର୍ବାଚନ କମିଶନର ନିଯୁକ୍ତି ପ୍ୟାନେଲକୁ ନେଇ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ଧାର୍ମିକ ସ୍ବରୂପ ସରସ୍ବତୀ ମନ୍ଦିର

ହାଇକୋର୍ଟ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ, ଭୋଜଶାଳ- କମାଲ ମୌଲା ପରିସର ଏକ ସଂରକ୍ଷିତ ସ୍ମାରକୀ। କିନ୍ତୁ ଏହାର ଧାର୍ମିକ ସ୍ବରୂପ ଦେବୀ ସରସ୍ବତୀଙ୍କ ମନ୍ଦିର। କୋର୍ଟଙ୍କ ଏହି ଟିପ୍ପଣୀକୁ ହିନ୍ଦୁ ପକ୍ଷଙ୍କ ପାଇଁ ଏକ ବନ ଆଇନଗତ ବିଜୟ ବୋଲି କୁହାଯାଉଛି। ଦୀର୍ଘ ସମୟରୁ ହିନ୍ଦୁ ସଂଗଠନ ଏହା ଦାବି କରିଆସୁଛି ଯେ, ଏହା ମୂଳତଃ ମା’ ସରସ୍ବତୀଙ୍କ ମନ୍ଦିର ଏବଂ ଶିକ୍ଷା କେନ୍ଦ୍ର ଥିଲା।

ହିନ୍ଦୁ କରିବେ ପୂଜା, ନମାଜ ଉପରେ ରୋକ

ତେବେ ଶୁଣାଣିର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲା ଏଏସଆଇର ଏକ ଆଦେଶର କିଛି ଅଂଶକୁ କୋର୍ଟ ରଦ୍ଦ କରିବା। ପ୍ରକୃତରେ ଏଏସଆଇର ୨୦୦୩ର ଆଦେଶର କିଛି ଅଂଶରେ ହିନ୍ଦୁଙ୍କ ପୂଜା ଅଧିକାରକୁ ସୀମିତ କରାଯାଇଥିଲା ଏବଂ ମୁସଲିମ ସମୁଦାୟକୁ ନମାଜ ଅନୁମତି ଦିଆଯାଇଥିଲା। ମାତ୍ର କୋର୍ଟ ଏବେ ଏହାକୁ ଏବେ ରଦ୍ଦ କରିଛନ୍ତି। ଆଉ କୋର୍ଟଙ୍କ ଏହି ଆଦେଶ ପରେ ଏବେ ପରିସରରେ ହିନ୍ଦୁ ପକ୍ଷଙ୍କୁ ପୂଜା ଅଧିକାର ମିଳିବ।

Also Read: ଦିଲ୍ଲୀ ଅବକାରୀ ନୀତି ମାମଲାରୁ ନିଜକୁ ପୃଥକ କଲେ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା

ଏଏସଆଇ ପାଖରେ ରହିବ ସଂରକ୍ଷଣ ଏବଂ ନିୟନ୍ତ୍ରଣ

ହାଇକୋର୍ଟ କେନ୍ଦ୍ର ସରକାର ଏବଂ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଭୋଜଶାଳ ମନ୍ଦିର ଏବଂ ସଂସ୍କୃତ ଶିକ୍ଷା ପାଇଁ ଉଚିତ ନିର୍ଣ୍ଣୟ ନିଆଯାଉ। ଅବଶ୍ୟ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସ୍ମାରକୀର ସଂରକ୍ଷଣ ଏବଂ ରକ୍ଷାବେକ୍ଷଣର ସଂପୂର୍ଣ୍ଣ ଦାୟିତ୍ବ ଏଏସଆଇ ପାଖରେ ହିଁ ରହିବ।

ଲଣ୍ଡନରୁ ଫେରାଇ ଅଣାଯିବ ମା’ ସରସ୍ବତୀଙ୍କ ପ୍ରତିମୂର୍ତ୍ତି

ମାମଲାରେ ଶୁଣାଣି ସମୟରେ ହିନ୍ଦୁ ପକ୍ଷ, ଲଣ୍ଡନର ଏକ ସଂଗ୍ରହାଳୟରେ ରଖାଯାଇଥିବା ମା ସରସ୍ବତୀଙ୍କ ପ୍ରତିମୂର୍ତ୍ତିକୁ ଭାରତ ଫେରାଇ ଆଣିବାକୁ ଦାବି ଉଠାଇଥିଲେ। ଯାହା ଉପରେ ହାଇକୋର୍ଟ କହିଛନ୍ତି ଆବେଦନକାରୀ ପୂର୍ବରୁ ହିଁ କେନ୍ଦ୍ର ସରକାରଙ୍କୁ ଅନେକ ଥର ଏନେଇ ଦାବି ଜଣାଇସାରିଛନ୍ତି ଏବଂ ସରକାର ଏହି ଦାବି ଉପରେ ବିଚାର କରିପାରନ୍ତି।

Also Read: NTA ଭିତରୁ ହିଁ ହୋଇଥିଲା ଚୋରି, କୋର୍ଟରେ CBI କଲା ବଡ଼ ଖୁଲାସା

ଭୋଜଶାଳା ବିବାଦ କ’ଣ ?

ମଧ୍ୟପ୍ରଦେଶ ଧାର ସ୍ଥିତ ଭୋଜଶାଳା ପରିସରକୁ ନେଇ ହିନ୍ଦୁ ଏବଂ ମୁସଲିମ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟରୁ ବିବାଦ ଚାଲିଆସୁଛି। ହିନ୍ଦୁ ପକ୍ଷ ଏହାକୁ ମା’ ସରସ୍ବତୀଙ୍କ ପ୍ରାଚୀନ ମନ୍ଦିର ଏବଂ ସଂସ୍କୃତ ଶିକ୍ଷା କେନ୍ଦ୍ର ଭାବରେ ଦାବି କରିଆସୁଛି। ଯେତେବେଳେକି ମୁସଲିମ ପକ୍ଷ ଏହାକୁ କମାଲ ମୌଲା ମସଜିଦ ବୋଲି କହୁଛି। ଅନେକ ବର୍ଷରୁ ଏଠାରେ ନମାଜକୁ ନେଇ ବିଶେଷ ବ୍ୟବସ୍ଥା ଲାଗୁ କରାଯାଇଥିଲା। ମଙ୍ଗଳବାର ହିନ୍ଦୁଙ୍କୁ ପୂଜା ଅନୁମତି ଥିଲା ଏବଂ ଶୁକ୍ରବାର ମୁସଲିମ ସମୁଦାୟ ନମାଜ ପଢ଼ୁଥିଲେ।