ବଲାଙ୍ଗୀର: ଟିଟିଲାଗଡ଼ ବନ ବିଭାଗ ବେଲଗାଁ ସେକ୍ସନ ଅନ୍ତର୍ଗତ ନିମପଡ଼ା ବର୍ଣ୍ଣୀ ଜଙ୍ଗଲଠାରେ ଥିବା କେନାଲରେ ପଡ଼ି ଏକ ମାଈ ହାତୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ କିଛିଦିନ ତଳେ ପଡ଼ୋଶୀ ଜିଲ୍ଲା କଳାହାଣ୍ଡିରୁ ଏକ ଗୋଷ୍ଠୀ ଛଡ଼ା ମାଈ ହାତୀ, ବର୍ଣ୍ଣୀ ଜଙ୍ଗଲକୁ ପ୍ରବେଶ କରିଥିଲା। ହାତୀଟି ୮ ଦିନ ଧରି ଅସୁସ୍ଥ ଥିବାବେଳେ, ବନ ବିଭାଗ ପକ୍ଷରୁ ନିୟମିତ ଟ୍ରାକିଂ କରାଯାଇଥିଲା।

ମାତ୍ର ଗତ ରାତିରେ ନାଳ ପାର ହେବା ସମୟରେ କେନାଲରେ ପଡ଼ି ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ପାଇ ବଲାଙ୍ଗୀର ଡିଏଫ୍ଓ ଅଜିତ ବିଶି ଓ ଟିଟିଲାଗଡ଼ ରେଞ୍ଜର ଶୈଳେଶ ବିଶି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତ ହାତୀର ବ୍ୟବଚ୍ଛେଦ ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡ଼ିବା ନେଇ ବିଭାଗୀୟ ସୂଚନା ମିଳିଛି।