ଗଜପତି ୭।୮: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଡମତାଲ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା ଘଟିଛି । ଘରେ ଶୋଇଥିବା ବେଳେ ରଣା ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି ।

କଡମତାଲ ଗ୍ରାମର ଅଜୟ କୁମାର ବଡରଇତ ଗୁରୁବାର ରାତିରେ ପତ୍ନୀ ଲଳିତା ରଇତ, ପୁଅ ଅମିତ କୁମାର ବଡରଇତ ଓ ଦେଢ଼ ବର୍ଷର ଝିଅ ସହ ଘରେ ଶୋଇଥିଲେ । ଏହି ସମୟରେ ଦୁଇଟି ରଣା ସାପ ଘରେ ପଶି ଲଳିତା ଓ ଅମିତଙ୍କ ହାତକୁ କାମୁଡ଼ି ଦେଇଥିଲା । ଉଭୟ ଯନ୍ତ୍ରଣାରେ ଛଟପଟ ହେବାରୁ ଚିତ୍କାର ଶୁଣି ଅଜୟଙ୍କ ନିଦ ଭାଙ୍ଗିଥିଲା । ସେ ଉଠି ଦେଖିବା ବେଳେ ଘରେ ଦୁଇଟି ରଣା ସାପ ଥିବା ଜାଣିବାକୁ ପାଇଥିଲେ ।

ପରିବାର ଲୋକେ ତୁରନ୍ତ ମାଆ ଓ ପୁଅଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଲଳିତା ଓ ଅମିତଙ୍କ ମୃତ୍ୟୁ ଘଟିଥିଲା । ସୌଭାଗ୍ୟବଶତଃ ଅଜୟ କୁମାର ବଡରଇତ ଓ ତାଙ୍କ ଦେଢ଼ ବର୍ଷର କନ୍ୟା ସାପ କାମୁଡ଼ାରୁ ରକ୍ଷା ପାଇଯାଇଛନ୍ତି । ଏହି ଘଟଣା ପରେ କଡମତାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।