ନୂଆଦିଲ୍ଲୀ: ଦେଶରେ ମୌସୁମୀ ବର୍ଷାରେ ବଡ଼ ଧରଣର ଅଭାବ ଦେଖାଦେଇଛି। ଜୁନ୍ ୨୩ ତାରିଖ ସୁଦ୍ଧା ବର୍ଷା ପରିମାଣ ସାଧାରଣଠାରୁ ୪୨ ପ୍ରତିଶତ କମ୍ ରହିଥିବା ବେଳେ କେନ୍ଦ୍ର ସରକାର ୩୧୫ଟି ଜିଲ୍ଲା ପାଇଁ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର କଣ୍ଟିଜେନ୍ସି ପ୍ଲାନ୍ ବା ଆକଶ୍ମିକ ଯୋଜନା। ଖରିଫ ଚାଷ ଏବଂ ଖାଦ୍ୟଶସ୍ୟ ଉତ୍ପାଦନ ଉପରେ ଏହାର ପ୍ରଭାବକୁ ନଜରରେ ରଖି ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି। ପଢ଼ନ୍ତୁ ରିପୋର୍ଟ

ଦେଶରେ ଦୁର୍ବଳ ମୌସୁମୀ ବର୍ଷାକୁ ନେଇ ଚିନ୍ତା ବଢ଼ିଛି।ଜୁନ୍ ୨୩ ସୁଦ୍ଧା ସାରା ଦେଶରେ ବର୍ଷା ପରିମାଣ ସାଧାରଣଠାରୁ ପ୍ରାୟ ୪୨ ପ୍ରତିଶତ କମ୍ ରେକର୍ଡ ହୋଇଛି।ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ବର୍ଷା କମ୍ ରହିବାର ସମ୍ଭାବନା ଅଛି। ଏହି ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର୩୧୫ଟି ଜିଲ୍ଲା ପାଇଁ ପ୍ରସ୍ତୁତ କରିଛନ୍ତି ବିଶେଷ କଣ୍ଟିଜେନ୍ସି ପ୍ଲାନ୍।କୃଷି ମନ୍ତ୍ରାଳୟ ଏବଂ ଆଇସିଏଆର ପକ୍ଷରୁ ବର୍ଷା, ଜଳସେଚନ ସୁବିଧା ଓ ଜଳବାୟୁ ସ୍ଥିତିକୁ ଆଧାର କରି ଏହି ଜିଲ୍ଲାଗୁଡ଼ିକ ଚିହ୍ନଟ କରାଯାଇଛି। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟର ମନ୍ତ୍ରୀ, ଅଧିକାରୀ ଓ ବୈଜ୍ଞାନିକମାନଙ୍କ ସହ ବୈଠକ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

କୃଷି ମନ୍ତ୍ରଣାଳୟ ଏବଂ ଆଇସିଏଆର୍ (ICAR) ଦ୍ୱାରା ଚିହ୍ନଟ ହୋଇଥିବା ୩୧୫ଟି ଜିଲ୍ଲାରେ ସ୍ଥିତି ଅନୁସାରେ କାମ କରାଯିବ। ଚିହ୍ନଟ ହୋଇଥିବା୧୧୧ ଜିଲ୍ଲାରେ ୨୫%ରୁ କମ୍ ଜମିରେ ଜଳସେଚନ ସୁବିଧା ରହିଛି। ସେହିପରି୭୬ ଜିଲ୍ଲାରେ ୨୫% - ୫୦% ଜଳସେଚନ ସୁବିଧାରହିଥିବା ବେଳେ ୧୨୮ ଜିଲ୍ଲାରେ ତୁଳନାମୂଳକ ଭାବେ ଭଲ ସୁବିଧା ରହିଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସମେତ ଅନେକ ରାଜ୍ୟର ଜିଲ୍ଲାଗୁଡ଼ିକ ଏହି ତାଲିକାରେ ରହିଛି। ରାଜ୍ୟଗୁଡ଼ିକୁ କମ୍ ପାଣି ଆବଶ୍ୟକ ହେଉଥିବା ଡାଲି, ମିଲେଟ୍ ଓ ତୈଳବୀଜ ଚାଷକୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି। ସେହିପରି ପୋଖରୀ, ଚେକ୍ ଡ୍ୟାମ୍ ଏବଂ ଜଳ ସଂରକ୍ଷଣ ପ୍ରକଳ୍ପଗୁଡ଼ିକର ମରାମତି ଉପରେ ମଧ୍ୟ ଜୋର ଦିଆଯାଇଛି।

ବର୍ଷା ହ୍ରାସ ସତ୍ତ୍ୱେ ଚଳିତ ବର୍ଷ ଖରିଫ ଚାଷର କ୍ଷେତ୍ରଫଳ ବୃଦ୍ଧି ପାଇଛି।ଜୁନ୍ ୨୨ ସୁଦ୍ଧା ୧୧.୯୯ ମିଲିୟନ୍ ହେକ୍ଟର ଜମିରେ ଚାଷହୋଇଥିବା ବେଳେଗତବର୍ଷ ଏହା ୧୧ .୭୯ ମିଲିୟନ୍ ହେକ୍ଟର ଥିଲା।ତେବେ ସୋୟାବିନ୍ ଚାଷ ଗତବର୍ଷ ତୁଳନାରେ ପଛରେ ରହିଛି।ଚଳିତ ବର୍ଷ ପାଇଁ ସରକାର ୧୭୬ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟରଖିଛନ୍ତି।

ମୌସୁମୀ ବର୍ଷାର ଗତିପଥ ଆଗାମୀ କିଛି ସପ୍ତାହରେ କୃଷି କ୍ଷେତ୍ର ପାଇଁ ନିର୍ଣ୍ଣାୟକ ହେବ। ବର୍ଷା ଅଭାବ ଜାରି ରହିଲେ ଚାଷ, ଜଳ ଉପଲବ୍ଧତା ଓ ଖାଦ୍ୟଶସ୍ୟ ଉତ୍ପାଦନ ଉପରେ ଚାପ ବଢ଼ିପାରେ। ସେଥିପାଇଁ ଜିଲ୍ଲାସ୍ତରରେ ପୂର୍ବ ପ୍ରସ୍ତୁତି ଓ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର।