ଭୁବନେଶ୍ବର: ଘରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସକାରାତ୍ମକ ଶକ୍ତି ଆସିଥାଏ ଏବଂ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ। ତେବେ ଏହାକୁ ଘରର ମୁଖ୍ୟ ଦ୍ୱାର ରେ ଲଗାଇବା ସମୟରେ ବାସ୍ତୁର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ପ୍ରତି ଧ୍ୟାନ ଦେବା ଜରୁରୀ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ହେଉଛି ସେହି ସ୍ଥାନ, ଯେଉଁଠାରୁ ସକାରାତ୍ମକ ଏବଂ ନକାରାତ୍ମକ ଉଭୟ ଶକ୍ତି ପ୍ରବେଶ କରିଥାଏ। ଏଠାରେ ମନି ପ୍ଲାଣ୍ଟ ରଖିବା ସମୟରେ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବା ଜରୁରୀ ।

ମନି ପ୍ଲାଣ୍ଟ ଲଗାଇବା ପାଇଁ ଦକ୍ଷିଣ-ପୂର୍ବ (ଆଗ୍ନେୟ କୋଣ) ସବୁଠାରୁ ଉତ୍ତମ ବୋଲି ଧରାଯାଏ। ଏହି ଦିଗର ଦେବତା ହେଉଛନ୍ତି ଗଣେଶ ଏବଂ ପ୍ରତିନିଧି ଗ୍ରହ ହେଉଛନ୍ତି ଶୁକ୍ର, ସୁଖ-ସମୃଦ୍ଧିର ପ୍ରତୀକ । ଘରର ମୁଖ୍ୟ ଦ୍ୱାର ଯଦି ଉତ୍ତର-ପୂର୍ବ ଦିଗରେ ରହିଛି, ତେବେ ସେଠାରେ ଆଦୌ ମନି ପ୍ଲାଣ୍ଟ ଲଗାନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ, ଏହି ଦିଗର ଗ୍ରହ ହେଉଛନ୍ତି ବୃହସ୍ପତି ଏବଂ ମନି ପ୍ଲାଣ୍ଟ ଶୁକ୍ର ଗ୍ରହ ସହ ଜଡ଼ିତ। ବୃହସ୍ପତି ଓ ଶୁକ୍ରଙ୍କ ମଧ୍ୟରେ ଶତ୍ରୁତା ଥିବାରୁ ଏହି ଦିଗରେ ପ୍ଲାଣ୍ଟ ଲଗାଇଲେ ଆର୍ଥିକ କ୍ଷତି ଏବଂ ପରିବାରରେ କଳହ ସୃଷ୍ଟି ହୋଇପାରେ।

୧. ଲତା ଉପରକୁ ଯିବା ଉଚିତ: ମନି ପ୍ଲାଣ୍ଟର ଲତା କିମ୍ବା ପତ୍ର ଯେପରି ଭୂମିକୁ ସ୍ପର୍ଶ ନକରେ। ଏହାର ଲତା ସବୁବେଳେ କୌଣସି ବାଡ଼ି କିମ୍ବା ରସି ସାହାଯ୍ୟରେ ଉପର ଆଡ଼କୁ ବଢ଼ିବା ଉଚିତ। ଲତା ତଳକୁ ଝୁଲିଲେ ଉନ୍ନତି ବାଧାପ୍ରାପ୍ତ ହୁଏ ଏବଂ ଧନହାନୀ ହୋଇଥାଏ।

୨. ଶୁଖିଲା ପତ୍ର ହଟାନ୍ତୁ: ଗଛରେ ଯଦି କୌଣସି ପତ୍ର ହଳଦିଆ ପଡ଼ିଯାଏ କିମ୍ବା ଶୁଖିଯାଏ, ତେବେ ତାକୁ ତୁରନ୍ତ କାଟି ଦିଅନ୍ତୁ। ଶୁଖିଲା ଗଛ ଘରକୁ ନକାରାତ୍ମକ ଶକ୍ତି ଆଣିଥାଏ।

୩. ବାହାର ଲୋକଙ୍କ ନଜରରୁ ଦୂରେଇ ରଖନ୍ତୁ: ମନି ପ୍ଲାଣ୍ଟକୁ ଏପରି ସ୍ଥାନରେ ରଖନ୍ତୁ ନାହିଁ ଯେଉଁଠାରେ ବାହାରୁ ଆସୁଥିବା ଲୋକଙ୍କ ସିଧାସଳଖ ନଜର ଏହା ଉପରେ ପଡ଼ିବ। ଅନ୍ୟର ଖରାପ ନଜର ପଡ଼ିଲେ ଗଛ ଶୁଖିଯାଏ ଏବଂ ଘରର ଆର୍ଥିକ ପ୍ରଗତି ଅଟକିଯାଏ ବୋଲି ବିଶ୍ୱାସ ରହିଛି।

୪. କାହାକୁ ଉପହାର ଦିଅନ୍ତୁ ନାହିଁ: ନିଜ ଘରର ମନି ପ୍ଲାଣ୍ଟକୁ କାହାକୁ ଦାନ କରନ୍ତୁ ନାହିଁ କିମ୍ବା ଅନ୍ୟ କାହା ଘରୁ ମଧ୍ୟ ମାଗି ଆଣନ୍ତୁ ନାହିଁ। ଏହା ଦ୍ୱାରା ନିଜ ଘରର ଲକ୍ଷ୍ମୀ ଅନ୍ୟ ଘରକୁ ଚାଲିଯାଆନ୍ତି ବୋଲି କୁହାଯାଏ।