ନୂଆଦିଲ୍ଲୀ: ଲକ୍ଷ୍ନୌର ବ୍ୟବସାୟୀ ଶିବା ଶର୍ମାଙ୍କ ମୃତ୍ୟୁ ମାମଲାରେ ଗତ ୧୧ ଦିନ ଧରି ପୋଲିସ ସହ ଲୁଚକାଳି ଖେଳୁଥିବା ଶ୍ରଦ୍ଧା ଦୁବେଙ୍କୁ ନାଗପୁରରୁ ଗିରଫ କରାଯାଇଛି । ଶ୍ରଦ୍ଧାଙ୍କ ସମେତ ତାଙ୍କ ଭଉଣୀ ଏବଂ ଡ୍ରାଇଭର ମଧ୍ୟ ପୋଲିସ ହାତରେ ଲାଗିଛନ୍ତି । ସୂଚନା ଅନୁସାରେ ୟୁପି ପୋଲିସ ଏବଂ ୟୁପି ଏସଟିଏଫ୍ ଟିମ୍ ସ୍ୱତନ୍ତ୍ର ଟିମ୍ କରି ଅନେକ ସମୟରେ ଶ୍ରଦ୍ଧାଙ୍କୁ ଖୋଜୁଥିଲା । ଶ୍ରଦ୍ଧା ଦୁବେ ଲକ୍ଷ୍ନୌରୁ ନେପାଳ ଫେରାର୍ ହେବା ଓ ପୁଣି ଲକ୍ଷ୍ନୌ ଫେରିବା, ମିଡିଆକୁ ଇଣ୍ଟରଭ୍ୟୁ ଦେବା ଏବଂ ସେଠାରୁ ଚାଲିଯିବା ପରି ଘଟଣା ପୋଲିସର ନିଦ ହଜାଇ ଦେବା ସହ ଅନେକ ପ୍ରଶ୍ନ ଉଠାଇଥିଲା ।

ଶିବା ଶର୍ମା ହତ୍ୟା ମାମଲାରେ ଶ୍ରଦ୍ଧା ଦୁବେ, ତାଙ୍କ ଭଉଣୀ ରଶ୍ମି ଏବଂ ଡ୍ରାଇଭର ଦାନିଶଙ୍କ ଗିରଫଦାରୀକୁ ୟୁପି ପୋଲିସ ଏକ ବଡ଼ ସଫଳତା । ଏହି ତିନି ଜଣଙ୍କୁ ୟୁପି ଏସ୍‌ଟିଏଫ୍ ଗିରଫ କରିଛି । ମଙ୍ଗଳବାର ସେମାନଙ୍କୁ ଲକ୍ଷ୍ନୌ ଅଣାଯିବ । ପୋଲିସ ଦାବି କରିଛି ଯେ ଶ୍ରଦ୍ଧା ଦୁବେ ତାଙ୍କ ଭଉଣୀ ଏବଂ ଡ୍ରାଇଭରଙ୍କ ସହିତ ବୁର୍ଖା ପିନ୍ଧି ଯାତ୍ରା କରୁଥିଲେ । ୟୁପି ଏସ୍‌ଟିଏଫ ସେମାନଙ୍କ ଲୋକେସନ୍ ପାଇବା ପରେ ନାଗପୁର ପୋଲିସ ସହାୟତାରେ ଗିରଫ କରିଛି । ମଙ୍ଗଳବାର ପୋଲିସ ଶ୍ରଦ୍ଧା, ତାଙ୍କ ଭଉଣୀ ଏବଂ ଡ୍ରାଇଭରଙ୍କୁ ନାଗପୁରରୁ ଲକ୍ଷ୍ନୌ ଆଣିବ ।

ଶିବା ଶର୍ମାଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶ୍ରଦ୍ଧା ଦୁବେଙ୍କୁ ପୋଲିସ ଉତ୍ତର ପ୍ରଦେଶରୁ ନେପାଳ ଯାଏଁ ଖୋଜୁଥିଲା । ତିନି ଅଭିଯୁକ୍ତଙ୍କ ପାଇଁ ୫୦ ହଜାର ଲେଖାଏଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୋଲିସ । ଏହି ସମୟ ମଧ୍ୟରେ ସେ ଆଗୁଆ ଜାମିନ ପାଇବାକୁ ମଧ୍ୟ ଚେଷ୍ଟା କରୁଥିଲେ । କିନ୍ତୁ ନବମୀ ଏବଂ ଦଶହରା ଛୁଟି ପାଇଁ ତାହା ସଫଳ ହୋଇପାରି ନଥିଲା । ତେଣୁ ସେ ଲୁଚି ରହିବା ପାଇଁ ଏକ ଉପଯୁକ୍ତ ସ୍ଥାନ ଖୋଜୁଥିଲେ । ଦଶହରା ପରେ ସେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ହେଉଥିଲେ । ସେ ଅନେକ ବରିଷ୍ଠ ଓକିଲଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲେ । ଏହି ସମୟରେ ଶ୍ରଦ୍ଧା ଲଗାତାର ନିଜ ସ୍ଥାନ ବଦଳାଉଥିଲେ । ପ୍ରଥମେ ସେ ନେପାଳ ଚାଲିଥିବା ଖବର ଆସିଥିଲା । ତା'ପରେ, ସେ ଉତ୍ତର ପ୍ରଦେଶ ଫେରି ଆସିଥିବା ଖବର ମିଳିଲା । ଲକ୍ଷ୍ନୌରେ ସେ ତାଙ୍କର ପାୱାର ଅଫ୍ ଆଟର୍ଣ୍ଣି ମଧ୍ୟ ସ୍ୱାକ୍ଷର କରିଛନ୍ତି ବୋଲି କୁହାଗଲା । ପରବର୍ତ୍ତୀ ସମୟରେ ସେ ଆଗ୍ରାରୁ ମଧ୍ୟପ୍ରଦେଶର ସତନା ଦେଇ ନାଗପୁର ପହଞ୍ଚିଥିଲେ । ୟୁପି ସ୍ପେଶାଲ୍ ଟାସ୍କ ଫୋର୍ସ, ସ୍ଥାନୀୟ ପୋଲିସ ସହାୟତାରେ ଶ୍ରଦ୍ଧା, ତାଙ୍କ ଭଉଣୀ ଏବଂ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରିଥିଲା ।

ସେପଟେ ବ୍ୟବସାୟୀ ଶିବାଙ୍କ ମାଆ ରଞ୍ଜନା ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ନିରପେକ୍ଷ ତଦନ୍ତ ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସମେତ ସାତଟି ଦଫା ଦାବି କରିଛନ୍ତି । ସେ ଏହି ଚିଠି ବିଜେପି ବିଧାୟକ ନୀରଜ ବୋରାଙ୍କ ମାଧ୍ୟମରେ ପଠାଇଛନ୍ତି । ରଞ୍ଜନା ଚିଠିରେ ଲେଖିଛନ୍ତି ଯେ ତାଙ୍କର ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପୋଲିସ ଉପରେ ବିଶ୍ୱାସ ଅଛି, ତେଣୁ ସେ ନ୍ୟାୟ ପାଇଁ ଆଶା ରଖିଛନ୍ତି । ରଞ୍ଜନା ଦାବି କରିଛନ୍ତି ଯେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନୀରିକ୍ଷଣରେ ମାମଲାର ତଦନ୍ତ କରାଯାଉ । ତଦନ୍ତକୁ ପ୍ରଭାବିତ କରିବାକୁ କିମ୍ବା ପ୍ରମାଣ ସହିତ ହେରଫେର କରିବାକୁ ଚେଷ୍ଟା କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସେ ଏହା ମଧ୍ୟ ଲେଖିଛନ୍ତି ଯେ ସଠିକ ତଦନ୍ତ ସୁନିଶ୍ଚିତ କରାଯିବା ଉଚିତ । ଅଭିଯୁକ୍ତ ମଡେଲ ଶ୍ରଦ୍ଧା ଦୁବେ, ତାଙ୍କ ଭଉଣୀ ରଶ୍ମି, ଡ୍ରାଇଭର ଦାନିଶ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ପ୍ରମାଣ ଅଛି । ରଞ୍ଜନା ତାଙ୍କ ପରିବାର ପାଇଁ ସୁରକ୍ଷା ଏବଂ ନ୍ୟାୟିକ ପ୍ରକ୍ରିୟା ସମୟରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଲକ୍ଷ୍ନୌର ଯୁବ ବ୍ୟବସାୟୀ ଶିବା ଶର୍ମା ତାଙ୍କ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ପଡ଼ି ମୃତ୍ୟୁବରଣ କରିଥିଲେ । ମୃତକଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା । ମୃତକଙ୍କ ମାଆ ଶିବାଙ୍କ ହତ୍ୟା ପାଇଁ ମଡେଲ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶ୍ରଦ୍ଧା ଦୁବେଙ୍କ ସମେତ ଅନେକ ଲୋକଙ୍କୁ ଅଭିଯୁକ୍ତ କରିଥିଲେ । ଶିବାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅକୁ ମାଡ଼ ମାରି ଚତୁର୍ଥ ମହଲାରୁ ଠେଲି ଦିଆଯାଇଥିଲା । ମୃତକଙ୍କ ମାଆ ଏହା ମଧ୍ୟ କହିଛନ୍ତି ଯେ ଶିବା ଗତ ଚାରି ମାସ ଧରି ଶ୍ରଦ୍ଧା ଦୁବେଙ୍କ ସହ ସମ୍ପର୍କରେ ଥିଲେ ଏବଂ ତାଙ୍କ ସହିତ ଲିଭ୍-ଇନରେ ରହୁଥିଲେ ।