ନୂଆଦିଲ୍ଲୀ: ଗଲ୍ଫରେ ପୁଣି ଥରେ ଉତ୍ତେଜନା ଚରମକୁ ପହଞ୍ଚିଛି। ମଝି ସମୁଦ୍ରରେ ଏକ ଆମେରିକୀୟ ଯୁଦ୍ଧ ପୋତ ଉପରେ ମିଜାଇଲ ଆକ୍ରମଣ ଖବର ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଇରାନର ଫାର୍ସ ନ୍ୟୁଜ ଏଜେନ୍ସୀ ଅନୁସାରେ ଜାସ୍କ ଦ୍ୱୀପ ନିକଟରେ ଏହି ଆକ୍ରମଣ ହୋଇଛି। କୁହାଯାଉଛି ଇରାନ ଚେତାବନୀକୁ ଲଗାତାର ଅଣଦେଖା କରି ଏହି ଯୁଦ୍ଧପୋତ ଆଗକୁ ବଢୁଥିଲା। ତେବେ ମିଜାଇଲ ଆକ୍ରମଣ ପରେ ଏହା ଫେରି ଯାଇଛି।

ହର୍ମୁଜରେ ରହିଛି ବିପଦ
ଏହି ଘଟଣା ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ପ୍ରୋଜେକ୍ଟ ଫ୍ରିଡମ’ ନାମରେ ଏକ ବଡ ନୌସେନା କାର୍ଯ୍ୟାନୁଷ୍ଠାନର ଘୋଷଣା କରିଛନ୍ତି। ଆମେରିକାର ଏହି ଅପରେସନ ଆଗାମୀ କିଛି ଘଣ୍ଟାରେ ଆରମ୍ଭ ହେବ। ତେବେ ଟ୍ରମ୍ପଙ୍କ ଏହି ଘୋଷଣା ସିପିଙ୍ଗ ଇଣ୍ଡିଷ୍ଟ୍ରି ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏହି କ୍ଷେତ୍ରରେ ଲଗାତାର ଆକ୍ରମଣ ଜାରି ରହିଛି। ଏଣୁ ସାମୁଦ୍ରିକ ମାର୍ଗ ଦେଇ ଜାହାଜଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ବିଶ୍ୱ ବଜାରରେ ବଢିଲା ଅଶୋଧିତ ତୈଳ ଦର
ଏହି ସାମରିକ ଉତ୍ତେଜନାର ସବୁଠୁ ପ୍ରଥମ ଓ ବଡ଼ ପ୍ରଭାବ ଅଶୋଧିତ ତୈଳ ବଜାର ଉପରେ ପଡିଛି। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ଦର ୪% ବୃଦ୍ଧି ହୋଇ ବ୍ୟାରଲ ପିଛା ୧୧୨ ଡଲାରକୁ ପହଞ୍ଚି ଯାଇଛି। ଅଶୋଧିତ ତୈଳର ଏପରି ମୂଲ୍ୟ ବୃଦ୍ଧି ଭାରତ ଲାଗି ଏକ ସିଧା ଆର୍ଥିକ ଝଟକା ବୁଝା ଯାଉଛି। ଯଦି ଅଶୋଧିତ ତୈଳ ଦର ଅଧିକ ସମୟ ଧରି ଏହି ସ୍ତରରେ ରହେ ତେବେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଲାଗି ଚାପ ବଢିବ। ଫଳରେ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ମଧ୍ୟ ନିଶ୍ଚିତ। ତେବେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ଅନ୍ତର୍ଜାତୀୟ ବଜାରରେ ଡଲାର ଇଣ୍ଡେକ୍ସ ମଜଭୁତ ହୋଇଛି।

ଲାଲ ସଂକେତରେ ଗ୍ଲୋବାଲ ମାର୍କେଟ୍
ସୋମବାର ମିଜାଇଲ ଆକ୍ରମଣ ଖବର ବ୍ୟାପିବାମାତ୍ରେ ବୈଶ୍ୱିକ ବଜାରରେ ନିବେଶକ ସେୟାର ବିକିବା ଆରମ୍ଭ କରିଛନ୍ତି। ଏଥିରେ ଆମେରିକା ବଜାରର ପ୍ରମୁଖ ସୂଚକାଙ୍କ ନ୍ୟାସଡାକ୍ ୧୦୦, ଡାଉ ଜୋନ୍ସ ଓ ଏସ ଆଣ୍ଡ ପି ୫୦୦ପ୍ରାରମ୍ଭିକ ଲାଭ ହରାଇ ୦.୭% ତଳକୁ ଖସିଛନ୍ତି। ୟୁରୋପର ବେଞ୍ଚମାର୍କ ଷ୍ଟକ୍ସ ୬୦୦ ଇଣ୍ଡେକ୍ସ ମଧ୍ୟ ୧% ତଳକୁ ଖସିଛି। ଏଣୁ ମଙ୍ଗଳବାର ଭାରତୀୟ ବଜାର ଲାଗି ଚିନ୍ତାଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।