କେନ୍ଦ୍ରାପଡା, ୦୮/୦୯ : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ତଥା ସହର ଉପକଣ୍ଠସ୍ଥିତ ସର୍ଟ ଷ୍ଟେ ହୋମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝାଡ଼ଖଣ୍ଡର ଜଣେ ୧୭ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ, ସମ୍ପୃକ୍ତ ନାବାଳିକା ଛାତ୍ରୀଙ୍କୁ କେନ୍ଦ୍ରାପଡ଼ା ଅଞ୍ଚଳରୁ ୩ ବର୍ଷ ତଳେ ଉଦ୍ଧାର କରାଯାଇଥିଲା। ଏହା ପରେ ତାଙ୍କୁ ସହର ଉପକଣ୍ଠ ଅଞ୍ଚଳରେ ଥିବା ଏକ ସର୍ଟ ଷ୍ଟେ ହୋମରେ ଛଡ଼ା ଯାଇଥିଲା। ଏଠାରେ ସେ ପଞ୍ଚମରୁ ସପ୍ତମ ଶ୍ରେଣୀ ଯାଏ ଅଧ୍ୟୟନ କରିଥିଲେ। ଗତ ଜୁନ ୨୫ ତାରିଖରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପରିବାର ଲୋକଙ୍କ ପାଖକୁ ପଠାଇ ଦିଆଯାଇଥିଲା ।

Also Read :- ଆସୁଛି ଡବଲ୍ ଲଘୁଚାପ : ୨୦ ତାରିଖ ଯାଏଁ ଛାଡିବନି ବର୍ଷା, ଏହି ସବୁ ଜିଲ୍ଲା ସାବଧାନ !

ଘରେ ରହିବା ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ଜଣାପଡ଼ିଥିଲା କି ସେ ଗର୍ଭବତୀ ଅଛନ୍ତି। ଏହା ପରେ ପରିବାର ଲୋକେ ତାଙ୍କ ଝିଅ ସର୍ଟ ଷ୍ଟେ ହୋମରେ ରହିବା ମଧ୍ୟରେ ଗର୍ଭବତୀ ହୋଇଥିବା ଅଭିଯାଗ ଆଣିଥିଲେ। ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ କେନ୍ଦ୍ରାପଡ଼ା ସଦର ଥାନା ଇନ୍ସପେକ୍ଟର ପଦ୍ମାଳୟା ପ୍ରଧାନ ଦୁଇ ଜଣଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରୁଛନ୍ତି।

ପୁଲିସ ସ୍କାନରରେ ସର୍ଟ ଷ୍ଟେ ହୋମ୍ କର୍ମଚାରୀ ଓ ଏଠାକୁ ଆସୁଥିବା ଲୋକ ଅଛନ୍ତି। ନାବାଳିକାଙ୍କୁ ମଧ୍ୟ ଏ ସମ୍ପର୍କରେ ଅଧୂକ ପଚରାଉଚରା କରାଯାଉଛି। ବିଗତ ଦିନରେ ମଧ୍ୟ ଏହି ସର୍ଟ ଷ୍ଟେ ହାମରୁ ଅନେକ ଅନ୍ତେବାସୀ ଫେରାର ହୋଇଯାଇଥିବା ଅଭିଯୋଗ ରହିଛି।