ବଲାଙ୍ଗିର: ନିୟମକୁ ଆଖିଠାର କରିଥିଲେ। ଏବେ ନାମ ନେଲେ। ଏକାଥରକେ ଜିଲ୍ଲାର ୫୮ କ୍ରସରକୁ ଠପ କରିଦେଲା ଜିଲ୍ଲାଖଣି ବିଭାଗ। ଏନେଇ ଏବେ ଟେନସନରେ କ୍ରସର ମାଲିକ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ଖଣି ବିଭାଗ ଜିଲ୍ଲାର ୫୮ କ୍ରସରକୁ ପୂର୍ବରୁ ନୋଟିସ କରି ସମସ୍ତ କାଗଜପତ୍ର ଅପଡେଟ କରିବାକୁ କହିଥିଲା। ହେଲେ ଶୁଣି ନଥିଲେ କ୍ରସରମାଲିକ।

ଏନେଇ ସମସ୍ତଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦେଇଛି ନୋଟିସ। ବଲାଙ୍ଗିରରେ ସମୁଦାୟ ୫୮ଟି କ୍ରସର ରହିଛି। ବିଶେଷକରି ଟିଟିଲାଗଡ଼, କଣ୍ଟାବାଞ୍ଜି, ସଇନ୍ତଳା, ପାଟଣାଗଡ଼, ବଙ୍ଗୋମୁଣ୍ଡା, ବେଲପଡ଼ା, ବଲାଙ୍ଗିର ଏବଂ ଲୋଇସିଂହା ତହସିଲ ଅଧିନରେ ଅନ୍ୟ ତହସିଲ ତୁଳନାରେ ଅଧିକ କ୍ରସର ଏବଂ କ୍ୱାରି ରହିଛି।

ସେଥିମଧ୍ୟରୁ ହାତଗଣତି କେତେକ କ୍ରସରର ଅନୁମତି ୨୦୩୦ ପର୍ଯ୍ୟନ୍ତ ନେଇସାରିଥିବା ବେଳେ ପ୍ରାୟ କ୍ରସରର ଅନୁମତି ଗତ ମାର୍ଚ୍ଚରୁ ସରିସାରିଲାଣି। ଏନେଇ ସମସ୍ତଙ୍କୁ ନୋଟିସ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଗତ ଏକ ବର୍ଷ ତଳେ ସରକାର ନିର୍ଦେଶ ଦେଇଥିଲେ। ହେଲେ ଜିଲ୍ଲା ଖଣିବିଭାଗ ଚୁପ ରହି ଚାପିଦେଇଥିଲେ। ନୋଟିସକୁ ଓ ନିର୍ଦ୍ଦେଶକୁ ମଧ୍ୟ କରିଥିଲେ ବେଖାତିର। ଏନେଇ ଉଭୟ କ୍ରସର ମାଲିକ ଓ ଖଣି ଅଧିକାରୀଙ୍କ ଉପରେ ଉଠିଛି ସନ୍ଦେହ।

ଏପରିକି କେତେକ କ୍ରସରର ସେମାନଙ୍କ ପ୍ଲାଣ୍ଟ ପରିସର ଏବଂ କ୍ଷମତା ବୃଦ୍ଧି କରିଥିଲେ ମଧ୍ୟ ବୈଧାନିକ ଅନୁମତି ନେଇନାହାନ୍ତି। କ୍ରସରଗୁଡ଼ିକ ଅଞ୍ଚଳର ନିର୍ମାଣ ଏବଂ ଶିଳ୍ପ ଅଭିବୃଦ୍ଧିକୁ ସମର୍ଥନ କରିବାରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ । ମାତ୍ର ଏହା ପଥରର ଅବୈଧ ଖନନ, ଖଣିଜ ପଦାର୍ଥ ବ୍ୟବହାରର କମ୍ ରିପୋର୍ଟି, ରୟାଲ୍ଟି ଚୋରି, ଗୁଣ୍ଡ ସାମଗ୍ରୀର ଅନିୟନ୍ତ୍ରିତ।

ପରିବହନ ଏବଂ ପରିବେଶ ନିୟମ ଉଲଂଘନ ଭଳି ସାଂଘାତିକ ତ୍ରୁଟି କରି ଧରାପଡିଥାନ୍ତି। ତେବେ ଏସବୁ ସର୍ତ୍ତାବଳୀର ପାଳନ ଏବଂ ନିୟନ୍ତ୍ରଣ ପାଇଁ ୨୦୨୫ ମଇ ୫ ତାରିଖରେ ବିଭାଗୀୟ ବିଜ୍ଞପ୍ତି ୪୨୦୬/ଏମଏମ କ୍ରମେ ସମସ୍ତଙ୍କୁ ଆଇ-୪ ଏମଏସରେ ସାମିଲ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ। ଇତିମଧ୍ୟରେ ୧୧ ମାସ ସରିଥିଲେ ହେଁ ଜିଲ୍ଲା ଖଣି ବିଭାଗକୁ ଚିନ୍ତା ପଶିନଥିଲା। ଏବେ ହଠାତ ଚେଇଁଉଠି ସମସ୍ତ କ୍ରସରକୁ ନୋଟିସ କରିବା ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।