ନୂଆଦିଲ୍ଲୀ,୧୭।୦୪ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ନେଇ ପ୍ରତିକ୍ରିୟା ରଖିଲା ଭାରତ । ଜାତିସଙ୍ଘରେ ଦେଶର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ୟୁଏନରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବତନେନୀ ହରିଶ । ଇରାନ ଏବଂ ମଧ୍ୟପ୍ରାଚ୍ୟରେ ଜାରି ସଙ୍ଘର୍ଷକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି ।

ହରିଶ କହିଛନ୍ତି ଯେ, ଫେବ୍ରୁଆରୀ ୨୮ ତାରିଖରୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଏହାକୁ ନେଇ ଭାରତ ଚିନ୍ତିତ ରହିଛି । ସମସ୍ତ ଦେଶ ସଂଯମତା ରକ୍ଷା କରିବା ଜରୁରୀ । ପରିସ୍ଥିତି ଅଧିକ ଜଟିଳ ନହେବା ଦରକାର ।ସାଧାରଣ ଲୋକଙ୍କ ସୁରକ୍ଷାକୁ ସମସ୍ତେ ଅଧିକ ଧ୍ୟାନ ଏବଂ ପ୍ରାଥମିକତା ଦେବା ଦରକାର ।

ସେ ଆହୁରି କହିଛନ୍ତି ଯେ, ଭାରତ ସଦାବେଳେ ଯୁ୍ଦ୍ଧ ବନ୍ଦ କରିବା ପାଇଁ ଆଲୋଚନା ଏବଂ କୂଟନୀତିକୁ ପ୍ରାଥମିକତା ଦେଇଥାଏ । ମତଭେଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଜରୁରୀ । କେହି ଆକ୍ରମଣ କିମ୍ବା ଯୁଦ୍ଧକୁ ବିକଳ୍ପ ଭାବେ ବାଛିବା ଠିକ୍ ନୁହେଁ । ସମସ୍ତ ଦେଶ ପରସ୍ପରର ସଂପ୍ରୁଭତା ଏବଂ ସୀମାକୁ ସମ୍ମାନ ଦେବା ଜରୁରୀ । ଯୁଦ୍ଧ ବେଳେ ଅନେକ ପଣ୍ୟବାହୀ ଜାହାଜକୁ ଟାର୍ଗେଟ୍ କରାଯାଇଛି । ଏଥିରେ ଭାରତୀୟ ନାବିକ ଜୀବନ ହାରିଛନ୍ତି । ଯାହା ଠିକ୍ ନୁହେଁ ।

ଭାରତୀୟ ଅଧିକାରୀ ହରିଶ ଆହୁରି ମଧ୍ୟ କହିଛନ୍ତି ଯେ, ଷ୍ଟ୍ରେଟ୍ ଅଫ୍ ହର୍ମୋଜ ଯୁଦ୍ଧରେ ପ୍ରଭାବିତ ହେବା ଅନୁଚିତ । ଏହି ଜଳମାର୍ଗ ଦେଇ ପରିବହନ ଏବଂ କାରବାର ଜରୁରୀ । ଏଥିରେ ବାଧା ଦେବା ଅନ୍ତର୍ଜାତୀୟ ନିୟମର ଖୁଲମଖୁଲା ଉଲ୍ଲଙ୍ଘନ ଅଟେ । ସମସ୍ତ ଦେଶ ଅନ୍ତର୍ଜାତୀୟ ନିୟମକୁ ମାନିବା ଜରୁରୀ ।ଏହାସହ ବିଭିନ୍ନ ଦେଶ ହର୍ମୋଜ୍ ଷ୍ଟ୍ରେଟ୍ ଦେଇ ପରିବହନକୁ ନିଶ୍ଚିତ କରିବା ଦରକାର ବୋଲି ସେ କହିଛନ୍ତି ।