IPL 2026 MI vs PBKS: ଚଳିତ ଆଇପିଏଲର ସିଜିନର ପ୍ରଥମ ମ୍ୟାଚ୍ ଖେଳିବାର ମିଳିଲା ସୁଯୋଗ। ଆଉ ଛାଇଗଲେ କ୍ଵିଣ୍ଟନ ଡିକକ୍। ଚୌକା ଓ ଛକା ବର୍ଷା କରି ମାରିଲେ ଶତକ। ତାଙ୍କର ଏହି ଶତକୀୟ ଇନିଂସ ଏବଂ ନମନ ଧୀରଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ୬ ଓ୍ଵିକେଟ୍ ହରାଇ ୧୯୫ ରନ କରିଛି। ପଞ୍ଜାବ କିଙ୍ଗ୍ସ ଆଗରେ ରହିଛି ୧୯୬ ରନର ବିଜୟ ଲକ୍ଷ୍ୟ। ଶେଷ ୪ ଓଭରରେ ପଞ୍ଜାବ ବୋଲର ଶାଣିତ ବୋଲିଂ କରି ମୁମ୍ବାଇକୁ ୨୦୦ ରନ ବି କରିବାକୁ ଦେଇ ନାହାନ୍ତି। ଡିକକ୍ ୧୧୨ ରନର ଅପରାଜିତ ଇନିଂସ ଖେଳିଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଆରମ୍ଭ ନିରାଶଜନକ ଥିଲା। ରିୟାନ ରିକଲଟନ ୨ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରି ନ ଥିଲେ। ଏହା ପରେ ଚଳିତ ସିଜିନରେ ପ୍ରଥମ ମ୍ୟାଚ୍ ଖେଳିଥିବା ଡିକକ୍ ଧୂଆଁଧାର ବ୍ୟାଟିଂ କରିଥିଲେ। ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ ନମନ ଧୀର। ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ପଞ୍ଜାବ ବୋଲରଙ୍କୁ ପ୍ରହାର କରିଥିଲେ। ଦୁହେଁ ତୃତୀୟ ଓ୍ଵିକେଟ୍ ପାଇଁ ୧୨୨ ରନ ଯୋଡ଼ି ଦଳର ସ୍କୋରକୁ ୧୩୪ ରନରେ ପହଞ୍ଚାଇଥିଲେ। ନମନ ଧୀର ୩୧ ବଲରୁ ୩ ଚୌକା ଓ ୩ ଛକା ସହ ୫୦ ରନ କରି ଆଉଟ୍ ହୋଇଥିଲେ।

ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା(୧୪ ରନ) କିଛି ଖାସ୍ କରି ପାରି ନ ଥିଲେ। ଗୋଟିଏ ପଟେ ଡିକକ୍ ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟପଟୁ ସହାୟତା ମିଳି ନ ଥିଲା । ଡିକକ୍ ଦମଦାର ଶତକ ହାସଲ କରିଥିଲେ। ହେଲେ ଶେଷ ୪ ଓଭରରେ ପଞ୍ଜାବ ବୋଲର ଘାତକ ବୋଲିଂ କରି ମୁମ୍ବାଇକୁ ୨୦୦ ରନ ବି କରି ପାରିବାକୁ ଦେଇ ନ ଥିଲେ। ତିଳକ ୩ ବଲରୁ ୮ ରନ କରି ରନଆଉଟ୍ ହୋଇଥିଲେ। ମୁମ୍ବାଇ ୬ ଓ୍ଵିକେଟ୍ ହରାଇ ୧୯୫ ରନ କରି ପାରିଛି। ଡିକକ୍ ୬୦ ବଲରୁ ୮ ଚୌକା ଓ ୭ ଛକା ସହ ୧୧୨ ରନରେ ଅପରାଜିତ ଥିଲେ।