IPL 2026 MI vs LSG: ଆଇପିଏଲ ୨୦୨୬ର ୪୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଅବିଶ୍ଵସନୀୟ ବିଜୟ ହାସଲ କରିଛି। ରୋହିତ ଶର୍ମା ଏବଂ ରୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ୬ ୱିକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ନିଜର ପ୍ଲେ-ଅଫ୍ ଆଶାକୁ କୌଣସି ପ୍ରକାରେ ବଞ୍ଚାଇ ରଖିବାରେ ସଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିକୋଲାସ ପୂରନଙ୍କ ୬୩ ରନ ଓ ମିଚେଲ୍ ମାର୍ଶଙ୍କ ୪୪ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୨୮ ରନ କରିଥିଲା। ଜବାବରେ ରିୟାନ ରିକଲଟନଙ୍କ ୮୩ ରନ ଓ ରୋହିତ ଶର୍ମାଙ୍କ ୮୪ ରନର ବିସ୍ଫୋରକ ଇନିଂସ ବଳରେ ମୁମ୍ବାଇ ୧୮.୪ ଓଭରରେ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି।

ରୋହିତ ଓ ରିକଲଟନଙ୍କ ପାର୍ଟନରସିପ୍

ମୁମ୍ବାଇ ପାଇଁ 'ହିଟ୍ମ୍ୟାନ୍' ରୋହିତ ଶର୍ମା ସବୁଠାରୁ ବଡ଼ ପାରି ଖେଳି ୪୪ଟି ବଲରେ ୮୪ ରନ୍ (୬ ଚୌକା, ୭ ଛକା) ସଂଗ୍ରହ କରିଥିଲେ। ଅନ୍ୟପଟେ ରିୟାନ ରିକଲଟନ ମାତ୍ର ୩୨ଟି ବଲରେ ୮୩ ରନ୍ (୬ ଚୌକା, ୮ ଛକା) କରି ଲକ୍ଷ୍ନୌ ବୋଲରଙ୍କୁ ନାକେଦମ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୬୫ଟି ବଲରେ ୧୪୩ ରନର ଭାଗିଦାରୀ କରି ମ୍ୟାଚକୁ ଏକତରଫା କରିଦେଇଥିଲେ। ତଥାପି ତିଳକ ବର୍ମା ୧୧ ରନ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୨ ରନ କରି ଆଉଟ୍ କରିଥିଲେ। ବାକି ଔପଚାରିକତା ପୂରଣ କରିଥିଲେ ନମନ ଧୀର(୨୩ ରନ) ଓ ଓ୍ଵିଲ ଜ୍ୟାକ୍ସ(୧୦ ରନ) କରିଥିଲେ।

ଲକ୍ଷ୍ନୌର ୨୨୮ ରନ୍ ମଧ୍ୟ କମ୍ ପଡ଼ିଲା

ପୂର୍ବରୁ ମୁମ୍ବାଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୫ ୱିକେଟ ହରାଇ ୨୨୮ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ନିକୋଲାସ ପୁରନ ମାତ୍ର ୨୧ଟି ବଲରେ ୬୩ ରନର ଧୂଆଁଧାର ପାରି ଖେଳିଥିଲେ। କିନ୍ତୁ ମୁମ୍ବାଇ ମାତ୍ର ୧୮.୪ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରି ନେଇଥିଲା।

ମୁମ୍ବାଇ ପାଇଁ ପ୍ଲେ-ଅଫ୍ ଗଣିତ

ଏହା ଚଳିତ ସିଜନର ୧୦ଟି ମ୍ୟାଚ ମଧ୍ୟରୁ ମୁମ୍ବାଇର ତୃତୀୟ ବିଜୟ। ଏବେ ଦଳ ପାଖରେ ୬ ପଏଣ୍ଟ ରହିଛି। ଯଦିଓ ପ୍ଲେ-ଅଫ୍ ରାସ୍ତା ଅତ୍ୟନ୍ତ କଠିନ, ତଥାପି ବାକି ଥିବା ୪ଟି ଯାକ ମ୍ୟାଚ୍ ଜିତିଲେ ମୁମ୍ବାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ସୁଯୋଗ ପାଇପାରେ। ଯଦି ଆଜି ଦଳ ହାରିଥାନ୍ତା, ତେବେ ପ୍ଲେ-ଅଫ୍ ଦୌଡ଼ରୁ ସମ୍ପୂର୍ଣ୍ଣ ବାହାର ହୋଇଥାନ୍ତା।