ଭୁବନେଶ୍ବର: ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ କାରଣରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଲଗାଣ ବର୍ଷା। ଏମିତିରେ ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ଚେତାବନୀ। ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, କେରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଏସମସ୍ତ ଜିଲ୍ଳାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଶୁକ୍ରବାର ପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ। ଆହୁରି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରାୟଗଡ଼ା, କଳାହାଣ୍ଡି, ଗଜପତି ନବରଙ୍ଗପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ।

Also Read: ମୌସୁମୀ ବର୍ଷାରେ ବେହାଲ ରାଜଧାନୀ, କେଉଁଠି ଜଳ ବନ୍ଦୀ ତ ଆଉ କେଉଁଠି ରାସ୍ତା ଉପରେ ପାଣି...

ସେପଟେ ଏଭଳି ପାଗ ଆସନ୍ତା ୯ ତାରିଖ ଯାଏ ଲାଗି ରହିବା ନେଇ ମଧ୍ୟ ସମ୍ଭାବନା ରହିଥିବା କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହଛନ୍ତି, ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ବର୍ଷାର ପରିମାଣ ୧୫୦.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ହେଲେ ଏବେବି ୩୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ତଥାପି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ସ୍ଥିତି ଦେଖା ଦେଉଛି।