ବଲାଙ୍ଗିର ୧୨।୧୨: ସିଲ୍ ହେଲା ବଲାଙ୍ଗିର ସ୍ଥିତ ବ୍ଲ୍ୟୁଲାଗୁନ ମ୍ୟାରେଜ ମଣ୍ଡପ । ଏହାସହ ବ୍ଲ୍ୟୁଲାଗୁନ ହୋଟେଲର ସମସ୍ତ କାଗଜପତ୍ର ଯାଞ୍ଚ ହେଲା । କାଗଜପତ୍ର ଠିକ୍ ନଥିଲେ ହୋଟେଲ ମଧ୍ୟ ସିଲ୍ ହେବ ।

ତେବେ ସହରର ବ୍ରାହ୍ମଣ ପଡା ଠାରେ ଥିବା ବ୍ଲ୍ୟୁଲାଗୁନ ମ୍ୟାରେଜ ମଣ୍ଡପର କାଗଜପତ୍ର ଠିକ୍ ନଥିବା ସହ ପୌର ପରିଷଦର ଯାହା ସବୁ ନିୟମ ରହିଛି, ପାର୍କିଂ, ଟାଉନ ପ୍ଲାନିଂ, ଜମି କାଗଜପତ୍ର ସବୁକୁ ଯାଞ୍ଚ କରି ତାହା ବେଆଇନ ଭାବରେ ଚାଲିଥିବା ଜାଣିଥିଲା ପୌର ପରିଷଦ । ଏନେଇ ବ୍ଲ୍ୟୁଲାଗୁନ ହୋଟେଲ ମାଲିକଙ୍କୁ ନୋଟିସ୍ ମଧ୍ୟ କରିଥିଲା । ହେଲେ କୌଣସି ପ୍ରକାର ଉତ୍ତର ନା ହୋଟେଲ ମାଲିକ ଦେଇଥିଲେ ନା କାଗଜପତ୍ର ଦେଖାଇ ପାରିଥିଲେ । ଏନେଇ ଆଜି ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି ମ୍ୟାରେଜ ମଣ୍ଡପ ।

ଏହାସହ ବ୍ଲ୍ୟୁଲାଗୁନର ଦୁଇଟି ହୋଟେଲ ଯାହା ବ୍ରାହ୍ମଣ ପଡା ଓ ସିନେମା ହଲ୍ ରାସ୍ତାରେ ଥିବା ହୋଟେଲର କାଗଜପତ୍ର ଯାଞ୍ଚ କରାଯାଇଛି । ତେବେ ନିୟମ ଅନୁଯାୟୀ କାଗଜପତ୍ର ଠିକ୍ ନଥିଲେ ହୋଟେଲ ମଧ୍ୟ ସିଲ୍ ହେବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ କହିଛନ୍ତି । ଏହାସହ ସହରର ୬୦ଟି ବ୍ୟବସାୟିକ ପ୍ରତିଷ୍ଠାନକୁ ମଧ୍ୟ ନୋଟିସ୍ କରାଯାଇଥିବା ସହ ଯାଞ୍ଚ କରାଯାଉଛି । ନିୟମ ଉଲଂଘନକାରୀ ବ୍ୟବସାୟୀଙ୍କ ହୋଟେଲ, ମଲ୍, ବଡ଼ ଶୋ’ରୁମ୍, ଦୋକାନ ସବୁ ସିଲ୍ ହେବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି ।