ଇମ୍ଫାଲ: ମଣିପୁର ପୁଣି ଅଶାନ୍ତ ହୋଇପଡ଼ିଛି । ଦୀର୍ଘ ଦିନରୁ ଜାରି ଥିବା ଅଶାନ୍ତି ପୁଣି ଥରେ ହିଂସାର ରୂପ ଧାରଣ କରିଛି । ମଣିପୁରରେ ରବିବାର ରାତି ଏବଂ ସୋମବାର ସକାଳେ ଦୁଇଟି ପୃଥକ ଘଟଣାରେ ୪ ଜଣଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ପରେ ଉତ୍ତ୍ୟକ୍ତ ଲୋକେ ପ୍ରତିବାଦ କରିଛନ୍ତି । ଦୁଇଟି ମୃତଦେହକୁ ସ୍ଥାନୀୟ ଲୋକେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ରଖିଥିଲେ । ପୋଲିସ ମୃତଦେହଗୁଡ଼ିକୁ ହଟାଇଛି । 

 ପ୍ରଥମ ଘଟଣାଟି ମୈତେଇ ଏବଂ ପଙ୍ଗାଲ ମୁସଲିମ ସମ୍ପ୍ରଦାୟର ବାସିନ୍ଦା ଥିବା ଏକ ଅଞ୍ଚଳରେ ଘଟିଥିଲା ।  ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଠାତ ପଥରମାଡ଼ ଏବଂ ଗୁଳିବିନିମୟ ହୋଇଥିଲା । ଏହି ଆକ୍ରମଣରେ ଆହତ ହୋଇଥିବା ୨୪ ବର୍ଷୀୟ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟ ଏକ ଘଟଣା, ଇମ୍ଫାଲ ପୂର୍ବ ଜିଲ୍ଲା ଅନ୍ତର୍ଗତ ଖାମେନଲୋକ ଅଞ୍ଚଳରେ ଘଟିଥିଲା । ନିକଟସ୍ଥ ପାହାଡ଼କୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ପ୍ରାୟ ତିନିଜଣ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେମାନଙ୍କୁ କୁକି ଉଗ୍ରବାଦୀ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।

ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଶବ ରଖି ପ୍ରତିବାଦ କରିଥିଲେ । ପ୍ରତିବାଦକାରୀଙ୍କୁ ଘଉଡ଼ାଇବାକୁ ପୋଳିସ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା । ସେପଟେ ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚନ୍ଦ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି ।

ସ୍ଥାନୀୟ ବିଧାୟକ ଥୋକଚୋମ ଲୋକେଶୋର ସିଂହ ହତ୍ୟାକାର୍ଡ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଇମ୍ଫାଲ ପୂର୍ବ ଏବଂ କୁକି-ବହୁଳ କାଙ୍ଗପୋକପି ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜାଳେଣି କାଠ ଆଣିବାକୁ ଯାଇଥିବା ବେଳେ ଏହି ଆକ୍ରମଣ ଘଟିଥିଲା।