ନୂଆଦିଲ୍ଲୀ ୦୫।୦୯; ଶରୀର କୁଣ୍ଡାଇ ହେଲେ ଆମେ ସମସ୍ତେ ନିଜେ କିମ୍ବା ଘରେ କାହାକୁ କୁଣ୍ଡାଇବାକୁ କହିଥାଉ। କିନ୍ତୁ ଏହି ସାଧାରଣ କାମକୁ ଯେ କେହି ଜଣେ ବ୍ୟବସାୟରେ ପରିଣତ କରିପାରେ, ତାହା କେହି କେବେ ଭାବିନଥିବେ। ଚୀନ୍ରେ ଜଣେ ଯୁବକ କୁଣ୍ଡାଇବା ପାଇଁ ଦୋକାନ ଖୋଲି ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଚୀନ୍ର ଦକ୍ଷିଣ ପ୍ରାନ୍ତର ୩୨ ବର୍ଷୀୟ ଝାଙ୍ଗ ଶିୟାଓଚିୟାଓ ଏଭଳି ଏକ ଅନନ୍ୟ ବ୍ୟବସାୟ ଆରମ୍ଭ କରିଛନ୍ତି। ଯାହା ବିଷୟରେ ପୂର୍ବରୁ କେହି କେବେ ଚିନ୍ତା ମଧ୍ୟ କରିନଥିଲେ। ସେ ଗତ ମେ' ମାସ ଆରମ୍ଭରେ ଶେନଝେନର ବାଓଆନ ଜିଲ୍ଲାରେ ପ୍ରଥମ ଦୋକାନ ଖୋଲିଥିଲେ । ଏହାର ଠିକ୍ ମାସେ ପରେ ସହରର ଫୁତିୟାନ ଜିଲ୍ଲାରେ ଆଉ ଏକ ବ୍ରାଞ୍ଚ ଆରମ୍ଭ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଏହି ନିଆରା ବ୍ୟବସାୟରୁ ତାଙ୍କର ଦୁଇଟି ଦୋକାନର ମାସିକ ଆୟ ୧ ଲକ୍ଷ ୟୁଆନ ଅର୍ଥାତ୍ ପ୍ରାୟ ୧୪-୧୫ ଲକ୍ଷ ଟଙ୍କା ।

ଏହି ଦୋକାନଗୁଡ଼ିକର ସେଟ୍ଅପ୍ ଏକ ମସାଜ୍ ସେଣ୍ଟର ଭଳି ପ୍ରସ୍ତୁତ କରାଯାଇଛି। ଗ୍ରାହକମାନେ ଆସି ବେଡ୍ରେ ପେଟ ମାଡ଼ି ଶୋଇଯାଆନ୍ତି ଏବଂ ଦୋକାନର କର୍ମଚାରୀମାନେ ସ୍ୱତନ୍ତ୍ର ଡିଜାଇନ୍ର ମୁନିଆ ନଖ ପିନ୍ଧି ଗ୍ରାହକଙ୍କ ପିଠି ଓ ଶରୀରକୁ ଧୀରେ ଧୀରେ କୁଣ୍ଡାଇବା କାମ ଆରମ୍ଭ କରିଦିଅନ୍ତି।

ଚାହିଦା ଏବଂ ମାନସିକ ଆଶ୍ୱସ୍ତି

ଝାଙ୍ଗଙ୍କ ଦାବି ଅନୁଯାୟୀ, ଘଣ୍ଟାକର ସେବା ପାଇଁ ଗ୍ରାହକଙ୍କଠୁ ୩୦୦ ୟୁଆନ ଅର୍ଥାତ୍ ପ୍ରାୟ ୩,୫୦୦ ଟଙ୍କା ନିଅନ୍ତି । ଏହି ସେବାର ଉଦ୍ଦେଶ୍ୟ କେବଳ ଶରୀରର କୁଣ୍ଡିଆରୁ ଆଶ୍ୱସ୍ତି ଦେବା ନୁହେଁ, ବରଂ ଏହା ଲୋକଙ୍କ ମାନସିକ ଚିନ୍ତା ଦୂର କରିବା ସହ ଭଲ ନିଦ ପ୍ରଦାନ କରିବାରେ ବେଶ୍ ସହାୟକ ହେଉଛି। ଚୀନ୍ର ବଡ଼ ସହର ଗୁଡ଼ିକରେ ଲୋକଙ୍କ ଜୀବନଯାତ୍ରା ଅତ୍ୟନ୍ତ ଚିନ୍ତାପୂର୍ଣ୍ଣ ଓ ବ୍ୟସ୍ତବହୁଳ ହୋଇଥିବାରୁ ଏହି ସେବାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାଙ୍କ ଦୋକାନକୁ ଉଭୟ ପୁରୁଷ ଓ ମହିଳା ଗ୍ରାହକ ଆସୁଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ କେବଳ ପୁରୁଷ ଗ୍ରାହକ ଅଟନ୍ତି।