ନୂଆଦିଲ୍ଲୀ: ଆପାର୍ଟମେଣ୍ଟର ୮ମ ମହଲାରୁ ଡେଇଁ ଜୀବନ ହାରିଲେ ଯୁବକ। ଘଟଣା ପରେ ସୋସାଇଟିରେ ହଇଚଇ ଦେଖିବାକୁ ମିଳିଥିବା ବେଳେ, ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଗ୍ରେଟର ନୋଏଡାର ସୂରଜପୁର କୋତଓ୍ବାଲୀ ଅଞ୍ଚଳରେ ଘଟିଛି ଘଟଣା।

ସୂଚନା ଅନୁସାରେ, ସୂରଜପୁର କୋତଓ୍ବାଲି ଅଞ୍ଚଳର ୧୩୦ ମିଟର ରୋଡରେ ଥିବା ୟୁନିଟେକ କାସକେଡ ସୋସାଇଟିରେ ରହୁଥିବା ବିଶାଲ ପାଣ୍ଡେ ରବିବାର ସନ୍ଧ୍ୟାରେ ନିଜ ଫ୍ଲାଟରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ବିଲ୍ଡିଂର ଅଷ୍ଟମ ମହଲାରେ ରହୁଥିଲେ। ତେବେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବିଶାଲଙ୍କ ମୃତ୍ୟୁ ହୋଇସାରିଥିଲା।

Also Read: ବର୍ବରତା ସାମାନ୍ୟ ସମ୍ପତ୍ତି ପାଇଁ ୭୨ ବର୍ଷର ବାପାଙ୍କୁ ନିର୍ଦ୍ଦୟ ଭାବେ ପିଟିଲା ପୁଅ, ଭିଡିଓ ଭାଇରାଲ୍

ସୂରଜପୁର ଥାନା ଅଧିକାରୀ କହିଛନ୍ତି ପୋଲିସକୁ ଏକ ସୁସାଇଡ ନୋଟ ମିଳିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ନୋଟରେ ସେ ନିଜ ଜୀବନରୁ ନିରାଶ ହୋଇ ଏଭଳି କରିଛନ୍ତି। ବିଶାଲ ଗତ କିଛି ଦିନରୁ ମାନସିକ ଚାପରେ ଥିଲେ। ଏମିତିକି ସେ ବାହାରକୁ ମଧ୍ୟ ବାହାରୁନଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ପ୍ରକାର ଅଭିଯୋଗ ହୋଇନାହିଁ। ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ।

ଉଲ୍ଲେଖଯୋଗ୍ୟ, ଗୌତମ ବୁଦ୍ଧ ନଗରର ସୁଉଚ୍ଚ ସୋସାଇଟିଗୁଡ଼ିକରେ ଲଗାତାର ଆତ୍ମହତ୍ୟା ମାମଲା ସାମ୍ନାକୁ ଆସୁଛି। ତଥ୍ୟ ଅନୁସାରେ, ଗତ ୩ ବର୍ଷରେ ୪୦ରୁ ଅଧିକ ଜଣ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ମାନସିକ ଚାପରେ ଥିବା ଲୋକଙ୍କୁ ଏକୁଟିଆ ଛାଡ଼ିବା ବଦଳରେ ତାଙ୍କ ସହ କଥାବାର୍ତ୍ତା ହେବା ଏବଂ ସମୟ ପୂର୍ବରୁ ସାହାଯ୍ୟ ଉପଲବ୍ଧ କରାଇବା ଖୁବ୍ ଜରୁରୀ।