ବାରିପଦା: ନିମିଷକେ ମିଳେଇଗଲା ମାଛ ଧରିବା ଖୁସି। ପାଣିରେ ପଶି ମାଛ ଧରୁଥିବା ବେଳେ ପାଟିରେ ପଶିଗଲା କଉ। ଆଉ ତଣ୍ଟିରେ କଉ ମାଛଟି ଅଟକି ଯିବାରୁ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦିଘି ଗ୍ରାମରେ। ସେପଟେ ମୃତକଙ୍କ ପରିବାର ଲୋକ ଡାକ୍ତରଙ୍କ ଅବହେଳା ଯୋଗୁ ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି। ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଶୁକ୍ରବାର ଦିଘି ଗ୍ରାମର ଅବିନାଶ ବିଜୁଳି ଗାଁ ନିକଟ ବନ୍ଧରେ ମାଛ ଧରିବାକୁ ଯାଇଥିଲେ। ହେଲେ ସେଠାରେ ଏକ କଉ ମାଛକୁ ପାଟିରେ କାମୁଡ଼ି ଧରିଥିବା ବେଳେ ତାହା ତାଙ୍କ ପାଟିରେ ପଶି ଶ୍ବାସନଳୀରେ ଅଟକି ଯାଇଥିଲା। ଫଳରେ ଶ୍ବାସରୁଦ୍ଧ ହୋଇ ଗୁରୁତର ହୋଇପଡ଼ିଥିଲେ ଅବିନାଶ। ସଙ୍ଗେ ସଙ୍ଗେ ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଏହା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଘଟଣାରେ ଡାକ୍ତରଙ୍କ ଅବହେଳାକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

Also Read: Crocodile attack : ଦୁଇ ଜଣଙ୍କୁ କାମୁଡ଼ି ଧରିଥିଲା କୁମ୍ଭୀର, ତାପରେ ଯାହା ହେଲା ହୁଏତ ବିଶ୍ୱାସ କରି ପାରିବା କଷ୍ଟକର

ମୃତକଙ୍କ ଦାଦା ତଥା ଦିଘି ଗ୍ରାମର ପୂର୍ବତନ ସରପଞ୍ଚ ବଙ୍କିମ ଚନ୍ଦ୍ର ବିଜୁଳିଙ୍କ କହିବା ଅନୁସାରେ, ବାରମ୍ବାର ଅନୁରୋଧ ସତ୍ତ୍ୱେ ଡାକ୍ତର ରୋଗୀଙ୍କ ପାଖକୁ ଆସିନଥିଲେ। କେବଳ ସେତିକି ନୁହେଁ, ଡାକ୍ତର ଜଣକ ଅସୌଜନ୍ୟମୂଳକ ବ୍ୟବହାର କରିବା ସହ ଜାତିଗତ ଆକ୍ଷେପ କରିଥିବା ସହ ଚିକିତ୍ସା କରିବା ପରିବର୍ତ୍ତେ ତୁରନ୍ତ ବାରିପଦା ରେଫର କରିଦେଇଥିଲେ ଡାକ୍ତର। ଯେଉଁଥିପାଇଁ ଠିକ୍ ସମୟରେ ଚିକିତ୍ସା ନପାଇ ଅବିନାଶଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ତେବେ ବର୍ତ୍ତମାନ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା।