କୋଲକାତା: ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, କୋଲକାତାର ପଦ୍ମପୁକୁରଠାରେ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଅପରପକ୍ଷରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ରାଜ୍ୟ ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ତୃଣମୂଳ ଛାତ୍ର ପରିଷଦ (TMCP) ପକ୍ଷରୁ NEET ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ପଦ୍ମପୁକୁରରୁ ସିଆଇଟି ରୋଡ୍ ଦେଇ ମୌଲାଲି ପର୍ଯ୍ୟନ୍ତ ଏକ ବିକ୍ଷୋଭ ରାଲି ଆୟୋଜନ କରାଯାଉଥିଲା।

 କୋଲକାତା ପୁଲିସ ପ୍ରଥମେ ଏହି ରାଲି ପାଇଁ ଅନୁମତି ଦେଇଥିଲା। କିନ୍ତୁ ପୂର୍ବଦିନ ସମାନ ପ୍ରସଙ୍ଗରେ ବାମପନ୍ଥୀ ଛାତ୍ର ସଂଗଠନର ପ୍ରଦର୍ଶନ ସମୟରେ 'ଡୋରିନା କ୍ରସିଂ'ଠାରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପୁଲିସ ସୁରକ୍ଷା କାରଣରୁ ଏହି ରାଲିର ଅନୁମତି ରଦ୍ଦ କରିଦେଇଥିଲା। ଛାତ୍ର ପରିଷଦ ନେତ୍ରୀ ପ୍ରିୟଙ୍କା ଅଧିକାରୀଙ୍କୁ ଇ-ମେଲ୍ ମାଧ୍ୟମରେ ଅନୁମତି ବାତିଲ୍ ସୂଚନା ମିଳିବା ପରେ TMCP ପକ୍ଷରୁ କୋଲକାତା ହାଇକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା। ଛୁଟିଦିନ ସତ୍ତ୍ୱେ କୋର୍ଟ ବିଶେଷ ଶୁଣାଣି କରିଥିଲେ, କିନ୍ତୁ TMCP କୁ ରାଲି କରିବା ପାଇଁ କୌଣସି ଆଶ୍ୱାସନା ବା ଅନୁମତି ଦେଇନଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ପଦ୍ମପୁକୁରଠାରେ ରୁଣ୍ଡ ହୋଇଥିବା ତୃଣମୂଳ କଂଗ୍ରେସ କର୍ମୀଙ୍କୁ ହଟାଇବା ଆରମ୍ଭ କରିଥିଲା। ଏହାକୁ କେନ୍ଦ୍ର କରି ପୁଲିସ ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଗଣ୍ଡଗୋଳ ହୋଇଥିଲା। ପୁଲିସ TMC ର ବରିଷ୍ଠ ନେତା କୁଣାଲ ଘୋଷ, ବୈଶ୍ୱାନର ଚାଟାର୍ଜୀଙ୍କ ସମେତ ଅନେକ ନେତା ଓ ସମର୍ଥକଙ୍କୁ ଭ୍ୟାନରେ ବସାଇ ନେଇଯାଇଥିଲା।

ନେତାମାନଙ୍କୁ ପୁଲିସ ଗିରଫ କରିବା ଖବର ପାଇବା ମାତ୍ରେ ମମତା ବାନାର୍ଜୀ, ସାଂସଦ ଡେରେକ୍ ଓ’ବ୍ରାଏନଙ୍କ ସହ ତୁରନ୍ତ ପଦ୍ମପୁକୁରରେ ପହଞ୍ଚିଥିଲେ। ସେଠାରେ ସେ କର୍ମୀମାନଙ୍କ ସହ ଆଲୋଚନା କରିବା ସହ ରାଲିକୁ ଆଗକୁ ବଢ଼ିବାରୁ ରୋକୁଥିବା ପୁଲିସ ଅଫିସରମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ସମୟରେ ମହିଳା ପୁଲିସ କର୍ମଚାରୀଙ୍କ ସହ ତାଙ୍କର ଠେଲାପେଲା ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମମତା ବାନାର୍ଜୀଙ୍କ ସାଂଘାତିକ ଅଭିଯୋଗ
ମମତା ବାନାର୍ଜୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି, ପୁଲିସ ମୋ ଉପରେ ଆକ୍ରମଣ କରିଛି। ଏହା ଗଣତନ୍ତ୍ର ନୁହେଁ। ଆମେ ଏଠାକୁ ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ଆସିଛୁ। ଆମର ବିଧାୟକ ଏବଂ ଅନେକ ନେତାଙ୍କୁ ଗିରଫ କରାଯାଇଛି, ଏପରିକି ଆମ ସାଉଣ୍ଡ ସିଷ୍ଟମର ତାର କାଟି ଦିଆଯାଇଛି। ଆମ ଲୋକମାନେ କୌଣସି ଅଶାନ୍ତି ସୃଷ୍ଟି କରିନାହାନ୍ତି, କିନ୍ତୁ ଏହି ଶାସନର ଦମନଲୀଳା ସବୁ ସୀମା ପାର୍ କରିସାରିଛି। ବର୍ତ୍ତମାନ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।