କୋଲକାତା: ତୃଣ ମୂଳ କଂଗ୍ରେସ (ଟିଏମସି) ନେତ୍ରୀ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ରାଜ୍ୟର କିଛି ଅଞ୍ଚଳରେ ଚଳାଯାଇଥିବା ବେଦଖଲ ଓ ଜବରଦଖଲ ହଟାଅ ଉଦ୍ୟମକୁ ‘ବୁଲଡୋଜର ରାଜନୀତି’ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗରିବ ଲୋକେ ଏବେ ରାଜନୈତିକ ଅହଂକାରର ମୂଲ୍ୟ ଦେଉଛନ୍ତି। ମମତା ଏକ୍ସ ରେ କରିଥିବା ଏକ ପୋଷ୍ଟରେ ଏପରି ଅଭିଯାନ ଅଶାନ୍ତିକୁ ଜନ୍ମ ଦେଇଥିବା ଓ ସାଧାରଣ ଲୋକଙ୍କ ଲାଗି ସମସ୍ୟାର କାରଣ ପାଲଟିଥିବା କହିଛନ୍ତି।

ଦିଦି କହିଛନ୍ତି ଯେ ବେଙ୍ଗଲ ବୁଲଡୋଜର ରାଜନୀତିରେ ବିଶ୍ୱାସ କରେନି। ଠାକୁର ଓ ନେତାଜୀଙ୍କ ମାଟିରେ ଭୟ, ବଳପ୍ରୟୋଗ ଓ ସାଧାରଣ ନାଗରିକଙ୍କ ବିରୋଧରେ ବିଧ୍ୱଂସକାରୀ ଅଭିଯାନ ମାଧ୍ୟମରେ ଶାସନ କରାଯାଇ ନପାରେ। କାହାର ନାମ ନ ନେଇ ମମତା ଲେଖିଛନ୍ତି ଯେ ଏହି ଘଟଣା ସମାଜର ଦୁର୍ବଳ ବର୍ଗଙ୍କ ଗାରିମା ଓ ଜୀବିକା ଉପରେ ଆକ୍ରମଣକୁ ଦର୍ଶାଉଛି। ମମତା କହିଛନ୍ତି ଯେ ଆଜି ଆମେ ଯାହା ଦେଖୁଛୁ ତାହା ବଙ୍ଗାଳୀ ଲୋକଙ୍କ ଗାରିମା ଉପରେ ଆକ୍ରମଣ।

ଘଟଣାକ୍ରମର ଉଲ୍ଲେଖ କରି ମମତା କହିଛନ୍ତି ଯେ ହାୱଡା ଷ୍ଟେସନ ଆଖପାଖରେ ଚଳାଯାଇଥିବା ବଡ଼ ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ, ତିଲଜଲା ଓ ପାର୍କ ସର୍କସ ସଡ଼କରେ ଦେଖା ଯାଇଥିବା ଅସନ୍ତୋଷର ଆକ୍ରୋଶ, ଅଚାନକ ବାସ ହରା ଓ ଜୀବିକା ହରାଇଥିବା ଲୋକଙ୍କ ଅସନ୍ତୋଷରୁ ଜଣା ପଡୁଛି ଯେ ସରକାର ମାନବତାରୁ ଅଧିକ ଦେଖାଇହେବାକୁ ଗୁରୁତ୍ୱ ଦେଉଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ଯେଉଁ ସରକାର ପ୍ରଥମେ ଭଙ୍ଗାରୁଜା କରନ୍ତି ଓ ପରେ ଲୋକଙ୍କ କଥା ଶୁଣନ୍ତି ସେ ବେଙ୍ଗଲର ମୂଳ ଭାବନାକୁ ଭୁଲି ଯାଇଛନ୍ତି। ମମତା କହିଛନ୍ତି ଯେ ସଂସ୍କୃତି, କରୁଣା ଓ ନିର୍ଯାତନା ପ୍ରତିରୋଧ ନିର୍ମିତ ରାଜ୍ୟରେ ବୁଲଡୋଜର ଶାସନର ଭାଷା ହୋଇ ପାରିବନି।

ସେହିପରି ସିପିଆଇ ନେତା ଡି.ରାଜା ଜବରଦଖଲ ଉଛେଦ ଅଭିଯାନରେ ବୁଲଡୋଜରର ଉପଯୋଗକୁ ସମାଲୋଚନା କରିଛନ୍ତି। କହିଛନ୍ତି ବିଜେପି ନିଜ କ୍ଷମତାର ଦୂରପଯୋଗ ନକରୁ, ସରକାର ସମ୍ବିଧାନ ଅନୁସାରେ କାମ କରନ୍ତୁ। ଗଣମାଧ୍ୟମ ସହ ଆଲୋଚନାରେ ରାଜା କହିଛନ୍ତି ଯେ ବେଙ୍ଗଲରେ ଅନେକ ଘଟଣା ଘଟୁଛି, ମୁଁ ଦେଖୁଛି ନିର୍ବାଚନ ପରେ କିପରି ହିଂସା ହେଉଛି। ଏଥିରେ ଏବେ ଦେଖୁଛି କେମିତି ବୁଲଡୋଜର ବ୍ୟବହାର ହେଉଛି। ଏବେ ନିର୍ବାଚନ ସରିଯାଇଛି, ଆମକୁ ପସନ୍ଦ ହେଉ କି ନ ହେଉ ଜନତା ନିଜର ନିଷ୍ପତ୍ତି ଜଣାଇଛନ୍ତି। ସେହି ଅନୁସାରେ ସରକାରଙ୍କୁ କାମ କରିବାର ଅଛି। ଏଣୁ ବିଜେପି ନିଜ କ୍ଷମତାରୁ ଦୂରୁପଯୋଗ ନ କରୁ, ବେଙ୍ଗଲରେ ସରକାର ଯାହାବି କରିବେ ସମ୍ବିଧାନ ଅନୁସାରେ କରିବେ ଓ ସାମ୍ବିଧାନିକ ନୈତିକତା ପାଳନ ହେବା ଦରକାର।

ତେବେ ବିଜେପି ବିଧାୟକ ଭାଷ୍କର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ‘ବୁଲଡୋଜର କେବଳ ଘର ଭାଙ୍ଗିବାକୁ ନୁହେଁ ବରଂ ନୀତି ବିରୋଧରେ ମଧ୍ୟ ବ୍ୟବହାର ହୁଏ । ଏବେ ଏହାର ଉପଯୋଗ ଟିଏମସିର କୁ ପ୍ରଥା ଉପରେ କରାଯାଉଛି ଓ ଏହା ଆଇନ ଅନୁସାରେ ହିଁ ହେବ’।