ବେଙ୍ଗାଲୁରୁ, ୦୨/୦୧ : ବର୍ଷ ଆରମ୍ଭରୁ କର୍ଣ୍ଣାଟକ ରାଜନୀତିରେ ବିଜେପି-କଂଗ୍ରେସ ମୁହାଁମୁହିଁ । ଇଭିଏମକୁ ନେଇ ହୋଇଥିବା ସର୍ଭେରେ ବ୍ୟାକଫୁଟରେ କଂଗ୍ରେସ । ଟାର୍ଗେଟ୍ କଲା ଭାରତୀୟ ଜନତା ପାର୍ଟି । ରାଜ୍ୟରେ ଏକ ସର୍ଭେ ଏବେ କର୍ଣ୍ଣାଟକରେ ନୂଆବର୍ଷର ପ୍ରଥମ ସପ୍ତାହକୁ ସରଗରମ କରିଦେଇଛି ।

ରିପୋର୍ଟ ଅନୁସାରେ, କର୍ଣ୍ଣାଟକରେ ନଲେଜ-ଆଟିଟ୍ୟୁଡ-ପ୍ରାକ୍ଟିସ୍ ନାମକ ଏକ ସର୍ଭେ ହୋଇଥିଲା । ଏଥିରେ ପ୍ରାୟ ୫୧୦୦ ଭୋଟର ଭାଗ ନେଇଥିଲେ ।  ସାଂଖିକ ଏବଂ ଯୋଜନା ବିଭାଗର ମନିଟରିଂ ଆଣ୍ଡ୍ ଇଭାଲୁଏସନ ଅଥୋରିଟି ଏହି ସର୍ଭେ କରିଥିଲା । ସର୍ଭେରେ ଜଣା ପଡିଥିଲା ଯେ, ୨୦୨୪ ସାଧାରଣ ନିର୍ବାଚନରେ ଇଭିଏମ ଉପରେ ଲୋକ ଭରସା କରିଥିଲେ । ଏହାସହ ନିର୍ବାଚନ ମୁକ୍ତ ଏବଂ ଅବାଧ ଭାବେ ହୋଇଥିବା ପ୍ରକାଶ କରିଥିଲେ । ଅର୍ଥାତ ଇଭିଏମକୁ ନେଇ ବିରୋଧୀ ଯାହା ସବୁ ଅଭିଯୋଗ କରୁଛନ୍ତି ତାହାକୁ ସାଧାରଣ ଜନତା ଖଣ୍ଡନ କରିଦେଇଛନ୍ତି । ୮୩ ପ୍ରତିଶତ ଲୋକେ ଇଭିଏମ ଉପରେ ଭରସା କରିଛନ୍ତି ।

ସର୍ଭେ ରିପୋର୍ଟ ଆସିବା ପରେ କର୍ଣ୍ଣାଟକ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରିୟାଙ୍କ ଖଡଗେ କହିଛନ୍ତି ଯେ, ରାଜ୍ୟ ସରକାର ସର୍ଭେ ପାଇଁ ଅନୁମତି ଦେଇ ନାହାଁନ୍ତି । ଏହାସହ ସେ ସଂସ୍ଥାର ଦାୟିତ୍ୱବୋଧତାକୁ ମଧ୍ୟ ପ୍ରଶ୍ନ କରିଛନ୍ତି । ସର୍ଭେ କରିଥିବା ବିଭାଗ ଏକ ଏନଜିଓକୁ ଦାୟିତ୍ୱ ଦେଇଥିଲା । ଯାହାର ମୁଖ୍ୟ ବିଜେପିର ସମର୍ଥକ ଅଟନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଷୟରେ ବହି ମଧ୍ୟ ଲେଖିଛନ୍ତି । ୧୧୦ ବିଧାନସଭା ଆସନର ମାତ୍ର ୫୦୦୦ ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା । ଏହି ସଂଖ୍ୟା ଗ୍ରହଣୀୟ ନୁହେଁ ।

ତେବେ ରିପୋର୍ଟ ସାମ୍ନାକୁ ଆସିବା ପରେ କଂଗ୍ରେସ ତଥା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛି ବିଜେପି । ରାହୁଲ ପୂର୍ବରୁ ଭୋଟ୍ ଚୋରି ଅଭିଯୋଗ ଆଣିଥିଲେ । ତେବେ ସର୍ଭେ ରିପୋର୍ଟ ଆସିବା ପରେ କର୍ଣ୍ଣାଟକ ବିଜେପି ନେତା ଆର ଅଶୋକ କହିଛନ୍ତି ଯେ, ବର୍ଷେ ଧରି ସାରା ଦେଶକୁ ରାହୁଲ ଗପ ଶୁଣାଉଥିଲେ । ଭାରତର ଗଣତନ୍ତ୍ର ବିପଦରେ ଥିବା ସେ କହୁଥିଲେ । ଇଭିଏମ ଉପରେ ପ୍ରଶ୍ନ କରୁଥିଲେ । କିନ୍ତୁ ଏବେ କର୍ଣ୍ଣାଟକରେ ରାହୁଲଙ୍କ ସବୁ ମିଛ ଅଭିଯୋଗ ଧରା ପଡିଯାଇଛି । କର୍ଣ୍ଣାଟକବାସୀ ଭାରତ ସରକାର ତଥା ଗଣତନ୍ତ୍ରକୁ ଭରସା କରୁଛନ୍ତି । ଏହି ସର୍ଭେ କଂଗ୍ରେସକୁ ଏକ ଝଟକା ବୋଲି ସେ ପ୍ରକାଶ କରିଛନ୍ତି ।​​​​​​​

ସେପଟେ କଂଗ୍ରେସ ଏହି ସର୍ଭେ ଉପରେ ପ୍ରଶ୍ନ ଉଠାଇଛି । କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ସୁପ୍ରିୟା ସିନେଟ୍ କହିଛନ୍ତି, କର୍ଣ୍ଣାଟକରେ "GRAAM" ନାମକ ଏକ ଏନଜିଓ ମାଧ୍ୟମରେ ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଥିବା ସର୍ଭେରେ ଲୋକମାନେ ନିର୍ବାଚନ ପ୍ରକ୍ରିୟା ଏବଂ EVM ଉପରେ ସନ୍ତୁଷ୍ଟ ଥିବା ଦାବି କରାଯାଇଛି । ସେ ଦାବି କରିଛନ୍ତି ଯେ ଏହି ଏନଜିଓର ପ୍ରତିଷ୍ଠାତା ବାଲାସୁବ୍ରମଣ୍ୟମ ଏବଂ ସେ ପିଏମଓରେ କାର୍ଯ୍ୟ କରନ୍ତି । ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଏକ ପୁସ୍ତକ ଲେଖିଛନ୍ତି। ଏହା କିପରି ଏକ ବିଶ୍ୱସନୀୟ ସର୍ଭେ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି ।