ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦ (MLC) ନିର୍ବାଚନରେ ​​ଶାସକ ମହାୟୁତି (Mahayuti) ମେଣ୍ଟ ଏକ ବଡ଼ ବିଜୟ ହାସଲ କରିଛି। ମେଣ୍ଟ ୧୭ଟି ଆସନ ମଧ୍ୟରୁ ୧୬ଟିରେ ବିଜୟ ହାସଲ କରିଛି । ଅପରପକ୍ଷରେ, ବିରୋଧୀ ମହା ବିକାଶ ଅଘାଡ଼ି (MVA) ରଖିଥିବା ସମସ୍ତ ଆଶା ମଉଳି ଯାଇଛି ଏବଂ ଦଳ ଗୋଟିଏ ହେଲେ ବି ଆସନ ଜିତିବାରେ ସଫଳ ହୋଇନାହିଁ। ଜୁନ୍ ୧୮ ତାରିଖରେ ୧୭ଟି ଆସନ ପାଇଁ ମତଦାନ ହୋଇଥିଲା। ତେବେ ମତଦାନ ପୂର୍ବରୁ ହିଁ ମହାୟୁତିର ୬ ଜଣ ପ୍ରାର୍ଥୀ ନିର୍ବିରୋଧ ନିର୍ବାଚିତ ହୋଇସାରିଥିଲେ । ଏହା ମେଣ୍ଟକୁ ଏକ ଆଗୁଆ ସଫଳତା ଦେଇଥିଲା। ବାକି ୧୧ଟି ଆସନ ମଧ୍ୟରୁ ମହାୟୁତି ୧୦ଟି ଆସନ ନିଜ କବଜାକୁ ନେଇଛି।

ଭାରତୀୟ ଜନତା ପାର୍ଟି ସବୁଠାରୁ ବଡ଼ ବିଜେତା ଭାବେ ୧୧ଟି ଆସନ ହାସଲ କରିଛି। ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ଦଳକୁ ୩ଟି ଆସନ ମିଳିଛି।ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP - ଅଜିତ ପାୱାର ଗୋଷ୍ଠୀ) ଦଳ ୨ଟି ଆସନ ଜିତିବାରେ ସଫଳ ହୋଇଛି। ସେପଟେ ଶିବସେନା (ଉଦ୍ଧବ ଗୋଷ୍ଠୀ)ରେ ଚାଲିଥିବା ବିବାଦ ମଧ୍ୟରେ ମହାୟୁତିକୁ ବଡ଼ ସଫଳତା ମିଳିଛି । ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ୬ ସାଂସଦ ସିନ୍ଦେଙ୍କ କ୍ୟାମ୍ପରେ ସାମିଲ ହେବାକୁ ଯାଉଛି ।

ବିଜୟୀ ପ୍ରାର୍ଥୀ

ନିର୍ବିରୋଧ ଜିତିଥିବା ପ୍ରାର୍ଥୀ (୬ ଜଣ):

ରବୀନ୍ଦ୍ର ଫାଟକ (ଶିବସେନା) – ଥାଣେ

ଦୁଷ୍ୟନ୍ତ ଚତୁର୍ବେଦୀ (ଶିବସେନା) – ୟବତମାଳ

ଅନିକେତ ତଟକରେ (NCP) – ରାୟଗଡ଼-ରତ୍ନଗିରି-ସିନ୍ଧୁଦୁର୍ଗ

ବିକ୍ରମ କାକଡେ (NCP) – ପୁଣେ

ଅରୁଣ ଲଖାନୀ (BJP) – ୱାର୍ଦ୍ଧା-ଚନ୍ଦ୍ରପୁର-ଗଡ଼ଚିରୋଲି

ପ୍ରାଜକ୍ତ ତାନପୁରେ (BJP) – ଅହଲ୍ୟାନଗର

ଭୋଟିଂ ଜରିଆରେ ଜିତିଥିବା ମହାୟୁତି ପ୍ରାର୍ଥୀ:

ସୁହାସ ଶିରସାଠ (BJP) – ଛତ୍ରପତି ସମ୍ଭାଜୀନଗର-ଜାଲନା

ଅବିନାଶ ବ୍ରାହ୍ମଣକର (BJP) – ଭଣ୍ଡାରା-ଗୋନ୍ଦିଆ

ଧୈର୍ଯ୍ୟଶୀଲ କଦମ (BJP) – ସାଙ୍ଗଲି-ସାତାରା

ରାଜେନ୍ଦ୍ର ରାଉତ (BJP) – ସୋଲାପୁର

ବସବରାଜ ପାଟିଲ (BJP) – ଧାରାଶିବ-ଲାତୁର-ବିଡ୍

ରାଜୀବ ପୋଦ୍ଦାର (BJP) – ନାଗପୁର

ନନ୍ଦକିଶୋର ମହାଜନ (BJP) – ଜଳଗାଓଁ

ପ୍ରବୀଣ ପୋତେ (BJP) – ଅମରାବତୀ

ଅମର ରାଜୁରକର (BJP) – ନାନ୍ଦେଡ଼

ସୟଦ ଖାନ (ଶିବସେନା) – ପରଭଣୀ-ହିଙ୍ଗୋଲି

ନାସିକ୍ ଆସନରେ ମହାୟୁତିକୁ ବଡ଼ ଝଟକା

ଏହି ନିର୍ବାଚନରେ ​​କେବଳ ଗୋଟିଏ ଆସନ ମହାୟୁତି ହାତରୁ ଖସିଯାଇଛି, ତାହା ହେଉଛି ନାସିକ୍। ସେଠାରେ BJP ର ବିଦ୍ରୋହୀ ନେତା ତଥା ସ୍ଵାଧୀନ ପ୍ରାର୍ଥୀ ଗୋକୁଲ ଗୀତେ, ଶିବସେନାର ପ୍ରାର୍ଥୀ ନରେନ୍ଦ୍ର ଦରାଡେଙ୍କୁ ପରାଜିତ କରିଛନ୍ତି ।