ଚେନ୍ନାଇ: ମିଲର୍ଡ ଆଇପିଏଲ ମ୍ୟାଚ୍ ରୋକାଯାଉ। ମାଦ୍ରାସ ଉଚ୍ଚ ନ୍ୟାୟାଳୟ ସୋମବାର ଆଇପିଏଲ୍ ମ୍ୟାଚ୍ ଉପରେ କଟକଣା ଲଗାଇବା ପାଇଁ ଦାୟର ଏକ ଜନସ୍ଵାର୍ଥ ମାମଲା ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଏହି ଯାଚିକାରେ ନିର୍ବାଚନ ସମୟରେ ତାମିଲନାଡ଼ୁରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ ନ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା। ଯାଚିକା ଉପରେ ମୁଖ୍ୟ ବିଚାରପତି ଏସଏ ଧର୍ମାଧିକାରୀ ଓ ଜଷ୍ଟିସ ଅରୁଣ ମୁରୁଗନଙ୍କ ପୀଠ କହିଛନ୍ତି, ଏହି ଯାଚିକା କେବଳ ଆଶଙ୍କା ଉପରେ ଆଧାରିତ। କୋର୍ଟ ଆବେଦନକାରୀଙ୍କୁ ମ୍ୟାଚର ମଜା ଉଠାଇବାକୁ ଉପଦେଶ ମଧ୍ୟ ଦେଇଛନ୍ତି।

ଏହା ପୂର୍ବରୁ ଯାଚିକାରେ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା ଯେ, ଆଇପିଏଲ୍ ମ୍ୟାଚ୍ ନିର୍ବାଚନ ପରେ କରାଯାଉ କିମ୍ବା ନିର୍ବାଚନ ଆଚରଣ ବିଧି କଠୋରତାର ସହ ପାଳନ ସୁନିଶ୍ଚିତ କରାଯାଉ। ଷ୍ଟାଡିୟମରେ ରାଜନୈତିକ ପ୍ରତୀକ ଓ ପ୍ରଚାର ସାମଗ୍ରୀର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା।

Also Read: କିଛି ଠିକ୍ ହେଉନି, ବାରମ୍ବାର ହାଇଦ୍ରାବାଦ ସହ ହେଉଛି ଅନ୍ୟାୟ : BCCIକୁ ଚିଠି ଲେଖିବ ଟିମ୍

କ'ଣ କହିଲେ କୋର୍ଟ ?

କୋର୍ଟ ଏହି ତର୍କ ଉପରେ କହିଛନ୍ତି ଯେ, ଯଦି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହୁଏ ତେବେ ନିର୍ବାଚନ ଆୟୋଗ ଏହାର ମୁକାବିଲା ପାଇଁ ସଂପୂର୍ଣ୍ଣ ସକ୍ଷମ। କୋର୍ଟ ଏହା ମଧ୍ୟ କହିଛନ୍ତି, ଅନେକ ନିଷ୍ପତ୍ତିରେ ଆୟୋଗଙ୍କ ଭୂମିକା ସର୍ବୋପରି। ପୀଠ ଏହା ମଧ୍ୟ କହିଛନ୍ତି, ଏହା ପୂର୍ବରୁ ନିର୍ବାଚନ ସମୟରେ ବିନା କୌଣସି ବାଧାବିଘ୍ନରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ ହୋଇଛି। କେବଳ ଏକ ଆଶଙ୍କା ଆଧାରରେ ମ୍ୟାଚ୍ ଉପରେ କଟକଣା ଲଗାଯାଇ ପାରିବ ନାହିଁ। ଚଳିତ ସିଜିନରେ ଚେପକ ଷ୍ଟାଡିୟମରେ ଗୋଟିଏ ମ୍ୟାଚ୍ ଆୟୋଜନ ହୋଇ ସାରିଛି। ଯଦି ଆପଣ ତ୍ରୁଟି ଦର୍ଶାଇ ପାରୁ ନାହାନ୍ତି ତେବେ ଯାଚିକାର ମୂଲ୍ୟ କିଛି ନାହିଁ। ଆପଣ ମ୍ୟାଚ୍ ଦେଖିଛନ୍ତି କି ? କଣ କିଛି ଘଟିଲା ? କିନ୍ତୁ ମ୍ୟାଚ୍ ଆୟୋଜନରେ ତ କିଛି ଅଘଟଣ ଘଟିନି।

କୋର୍ଟରେ ରୋଚକ ମାହୋଲ

ଏହି ସମୟରେ ପୀଠ ହସ ମଜାଳିଆ ଢଙ୍ଗରେ କହିଛନ୍ତି, ଆପଣ ପ୍ରଥମ ମ୍ୟାଚର ମଜା ନେଇଛନ୍ତି। ଦ୍ଵିତୀୟ ମ୍ୟାଚର ବି ଆନନ୍ଦ ଉଠାନ୍ତୁ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ନାଗରିକ ନିଜର କୌଣସି ପ୍ରକାରର ଅଭିଯୋଗକୁ ନେଇ ନିର୍ବାଚନ ଆୟୋଗଙ୍କ ସହ ଯୋଗାଯୋଗ କରି ପାରିବେ। ଶେଷରେ ଆବେଦନକାରୀ ନିଜର ଯାଚିକା ପ୍ରତ୍ୟାହାର କରିଛନ୍ତି।

Also Read: ଧୋନୀ ଦେବେ ଫିଟନେସ୍ ଟେଷ୍ଟ୍ ! ପାସ୍ କଲେ ଦିଲ୍ଲୀ ବିପକ୍ଷରେ ଖେଳିବେ ମ୍ୟାଚ୍, ଫେଲ୍ ହେଲେ...