ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ସରକାରୀ ଚାକିରି ପାଇବା ଏବଂ ସେବାରେ ରହିବା ପାଇଁ ଲାଗୁ ହୋଇଥିବା ‘ଦୁଇ ସନ୍ତାନ’ର ବାଧ୍ୟତାମୂଳକ ନିୟମକୁ ଉଚ୍ଛେଦ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୫ ବର୍ଷ ପୁରୁଣା ଏହି ନିୟମକୁ ଶେଷ କରିବା ପ୍ରସ୍ତାବ ଉପରେ ଆନୁଷ୍ଠାନିକ ମୋହର ବାଜିଛି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ହଜାର ହଜାର କାର୍ଯ୍ୟରତ କର୍ମଚାରୀ ଏବଂ ସରକାରୀ ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥିବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କୁ ଆଶ୍ୱସ୍ତି ମିଳିଛି ।

ରାଜ୍ୟ ସରକାର ସାଧାରଣ ପ୍ରଶାସନ ବିଭାଗ (ଜିଏଡି)ର ସିଭିଲ୍ ସେବା ନିୟମ ୧୯୬୧ରେ ସଂଶୋଧନକୁ ମଞ୍ଜୁରି ଦେଇଛନ୍ତି । ଏହି ନିଷ୍ପତ୍ତି ଲାଗୁ ହେବା ପରେ ଦୁଇ ପ୍ରମୁଖ ପରିବର୍ତ୍ତନ ଦେଖିବାକୁ ମିଳିବ । ପୁରୁଣା ନିୟମ ଉଚ୍ଛେଦ ହେବା ପରେ ତିନି କିମ୍ୱା ତା’ଠାରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ସରକାରୀ ଚାକିରି ପାଇଁ ଅଯୋଗ୍ୟ ହେବେ ନାହିଁ । ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି କରୁଥିବା ଏହିପରି ପ୍ରାର୍ଥୀମାନଙ୍କ ପାଇଁ ଏବେ ସରକାରୀ ନିଯୁକ୍ତିର ଦ୍ୱାର ଖୋଲିଛି ।

ବର୍ତ୍ତମାନ ଯେଉଁ ସରକାରୀ କର୍ମଚାରୀଙ୍କ ବିରୋଧରେ ତିନି ସନ୍ତାନ ଥିବା ଆଧାରରେ ବିଭାଗୀୟ ତଦନ୍ତ, ଅନୁଶାସନତ୍ମାକ କାର୍ଯ୍ୟାନୁଷ୍ଠାନ କିମ୍ୱା ବହିଷ୍କାର ପ୍ରକ୍ରିୟା ଚାଲିଛି, ସେହି ସବୁ ପ୍ରକ୍ରିୟା ତତ୍କାଳ ପ୍ରଭାବରୁ ଶେଷ ହେବ । ଏହା ସହିତ ଅଟକି ଥିବା ବେତନ ବୃଦ୍ଧି ଏବଂ ପଦୋନ୍ନତି ପରି ସେବା ଲାଭ ମଧ୍ୟ ମିଳିବ ।

Also Read: ‘ବଞ୍ଚିଥିବା ବେଳେ ରହିବାକୁ ଦେଲନି, ଏବେ ଘର ବାହାରେ ରହିବ’, ସ୍ୱାମୀଙ୍କ ଘର ସାମ୍ନାରେ ଅନ୍ତିମ ସଂସ୍କାର କଲେ ପରିବାର ଲୋକ

ପ୍ରଶାସନିକ ତଥ୍ୟ ଅନୁସାରେ, ରାଜ୍ୟର ବିଭିନ୍ନ ବିଭାଗରେ ଏହି ନିୟମର ଉଲ୍ଲଂଘନ ସହ ଜଡ଼ିତ ପ୍ରାୟ ୮ରୁ ୧୦ ହଜାର ମାଲାର ବିଚାରଧୀନ ରହିଛି । ଏଥିରୁ ସର୍ବାଧିକ ମାମଲା, ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷା, ସ୍ୱାସ୍ଥ୍ୟ ବିଭାଗରେ ଅଛି । ତେବେ ରାଜ୍ୟ ସରକାର ଆଇନକୁ ନେଇ କିଛି ସ୍ପଷ୍ଟତା ମଧ୍ୟ ରଖିଛନ୍ତି । ବନ୍ଦ ହୋଇଥିବା ମାମଲା ପୁଣି ଖୋଲିବ ନାହିଁ । ୨୦୦୧ ପରେ ଯେଉଁ କର୍ମଚାରୀଙ୍କ ବିରୋଧରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ପୂରଣ ହୋଇଛି ଏବଂ ଚୂଡ଼ାନ୍ତ ରାୟ ପାରିତ ହୋଇସାରିଛି, ସେହି ମାମଲାର ପୁଣି ଖୋଲିବ ନାହିଁ । ଯେଉଁ କର୍ମଚାରୀ ଏହି ନିୟମରେ ପୂର୍ବରୁ ସେବାରୁ ବରଖାସ୍ତ ହୋଇଛନ୍ତି, ସେମାନଙ୍କୁ ଏହି ନିଷ୍ପତ୍ତି ଆଧାରରେ ପୁନଃନିଯୁକ୍ତି ମିଳିବ ନାହିଁ ।