ନୂଆଦିଲ୍ଲୀ, ୦୮​​​​​​​/୦୫: ଗୁରୁବାର ଆଇପିଏଲର ୫୦ ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ରୋମାଞ୍ଚକର ମୁକାବିଲାରେ ବାଜି ମାରିଛି ଋଷଭ ପନ୍ତଙ୍କ ଏଲଏସଜି । ଦଳ ଶକ୍ତିଶାଳୀ ଆରସିବିକୁ  ଡକ୍ ଓ୍ୱର୍ଥ ଲୁଇସ୍ ନିୟମ ଅନୁସାରେ ୯ ରନରେ ପରାସ୍ତ କରିଛି ।

ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ । ଦଳ ମିଚେଲ ମାର୍ଶଙ୍କ ଶତକ ବଳରେ ୨୦୯ ରନର ସ୍କୋର କରିଥିଲା । ବର୍ଷା ପାଇଁ ମ୍ୟାଚକୁ ୨୦ ଓଭର ବଦଳରେ ୧୯ ଓଭର ବିଶିଷ୍ଟ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନିକୋଲାସ ପୂରନ୍ ୨୩ ବଲରୁ ୩୮ ଏବଂ ଋଷଭ ପନ୍ତ ୧୦ ବଲରୁ ୩୨ ରନ୍ କରିଥିଲେ । ଫଳରେ ଦଳ ଆରସିବି ଆଗରେ ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ।

ଜବାବରେ ଆରସିବି ପାଇଁ ରନ୍ ଚେଜ୍ କରିବାକୁ ଓହ୍ଲାଇଥିଲେ ବିରାଟ କୋହଲି ଏବଂ ଜ୍ୟାକବ୍ ବେଥଲ । ବିରାଟ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ବେଥଲ ମଧ୍ୟ ମାତ୍ର ୪ ରନ୍ କରିପାରିଥିଲେ । କିନ୍ତୁ ରଜତ ପାଟିଦାର ଏବଂ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଫଳରେ ଦଳ ୨୦୩ ରନ୍ କରିପାରିଥିଲା । ଏହା ସତ୍ତ୍ୱେ ବିଜୟଠୁ ଦଳ ୬ ରନ୍ ଦୂରରେ ରହିଯାଇଥିଲା । ତେବେ ଡକ୍ ଓ୍ୱର୍ଥ ଲୁଇସ୍ ଅନୁସାରେ ଆରସିବି ୯ ରନରେ ପରାସ୍ତ ହୋଇଛି 

ଲକ୍ଷ୍ନୌ ପକ୍ଷରୁ ପ୍ରିନ୍ସ ୟାଦବ ସର୍ବାଧିତ ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ଶେହଓ୍ୱାଜ ଅହମ୍ମଦ ଦୁଇଟି ଓ୍ୱିକେଟ୍ ହାସଲ କରିଥିଲେ । ତେବେ ଏହି ବିଜୟ ଲକ୍ଷ୍ୟ ଲକ୍ଷ୍ନୌ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛି । କିନ୍ତୁ ଦଳକୁ ପ୍ଲେ ଅଫରେ ପ୍ରବେଶ କରିବା ପାଇଁ ହେଲେ ବଳକା ସମସ୍ତ ମୁକାବିଲା ଜିତିବାକୁ ହେବ ।