ନୂଆଦିଲ୍ଲୀ : ପଶ୍ଚିମ ଏସିୟାରେ ବଢୁଥିବା ଉତ୍ତେଜନା ମଧ୍ୟରେ ଭାରତ ଲାଗି ପେଟ୍ରୋଲିୟମ ଉତ୍ପାଦ ଆଣୁଥିବା ଆଉ ଦୁଇଟି ଜାହାଜ ଶନିବାର ହୋର୍ମୁଜ ପ୍ରଣାଳୀ ପାର କରିଛନ୍ତି। ଏହା ଏପରି ସମୟରେ ହେଉଛି ଯେତେବେଳେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗରେ ଉତ୍ତେଜନା କାରଣରୁ ଜାହାଜ ଯାତାୟାତ ପ୍ରଭାବିତ ହେଉଛି। ନିକଟରେ ଇରାନ ଏହି ଜଳମାର୍ଗ ଉପରେ ନିଜର ପୂର୍ଣ୍ଣ ନିୟନ୍ତ୍ରଣ ଦାବି କରିଥିଲା। ଫଳରେ କ୍ଷେତ୍ରରେ ଅନିଶ୍ଚିତତା ଆହୁରି ବଢି ଯାଇଛି।

ସୂତ୍ର ଅନୁସାରେ ଭାରତୀୟ ନୌସେନା ଯୁଦ୍ଧପୋତଙ୍କୁ ପ୍ରମୁଖ ବନ୍ଦର ନିକଟରେ ମୁତୟନ କରାଯାଇଛି। ଏହା ଦ୍ୱାରା ଆବଶ୍ୟକ ପଡିଲେ ପଣ୍ୟବାହୀ ଜାହାଜଙ୍କୁ ସହାୟତା କରାଯାଇ ପାରିବ। ଆଗାମୀ ଦିନମାନଙ୍କରେ ଆହୁରି ଅଧିକ ଜାହାଜ ଏହି ମାର୍ଗ ଦେଇ ଭାରତ ପହଞ୍ଚିବେ ବୋଲି ଅନୁମାନ କରାଯାଉଛି। ଏହା ମଧ୍ୟରେ ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚୀ କହିଛନ୍ତି ଯେ ଏହି ଜଳମାର୍ଗ ଭାରତ, ଚୀନ୍, ଋଷିଆ, ଇରାକ୍ ଓ ପାକିସ୍ତାନ ଭଳି ମିତ୍ର ଦେଶଙ୍କ ନିମନ୍ତେ ଖୋଲା ରହିଛି।

ବେଦେଶିକ ମନ୍ତ୍ରାଳୟ କହିଛନ୍ତି ଯେ ଏଲପିଜି ବୋଝେଇ ୪ଟି ଜାହାଜ ଏପର୍ଯ୍ୟନ୍ତ ହୋର୍ମୁଜ ଦେଇ ଭାରତ ପହଞ୍ଚିଛନ୍ତି। ଏକ ମିଳିତ ମନ୍ତ୍ରାଳୟ ପ୍ରେସ୍ ବ୍ରିଫିଙ୍ଗରେ ବନ୍ଦର, ପୋତ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଛନ୍ତି ଯେ ସରକାର ପରିସ୍ଥିତି ଉପରେ ନଜର ରଖି ରହିଛନ୍ତି ଓ ସବୁ ସମ୍ଭାବିତ ପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି। ସେ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଉପସାଗରୀୟ କ୍ଷେତ୍ରରୁ ଭାରତୀୟ ଜାହାଜ ଅଥବା ଭାରତୀୟ ନାବିକଙ୍କ ସମ୍ପର୍କିତ କୌଣସି ଘଟଣା ସାମ୍ନାକୁ ଆସି ନାହିଁ ଓ ସମସ୍ତେ ସୁରକ୍ଷିତ ଅଛନ୍ତି। ସିହ୍ନା ଏହା ବି କହିଛନ୍ତି ଯେ ପାରସ୍ୟ ଉପସାଗରରେ ଭାରତୀୟ ପତାକା ଥିବା ପାଖାପାଖି ୨୦ଟି ଜାହାଜ କାମ କରୁଛନ୍ତି ଏହି ସବୁ ଜାହାଜରେ ୫୪୦ ଭାରତୀୟ ଚାଳକଦଳ ସଦସ୍ୟ କାମ କରୁଛନ୍ତି ଓ ସମସ୍ତେ ସୁରକ୍ଷିତ ଅଛନ୍ତି।