ନୂଆଦିଲ୍ଲୀ, ୧/୦୫ :ବଢିଲା ଏଲପିଜି ଦାମ୍ । ପଶ୍ଚିମବଙ୍ଗ, ଆସାମ ସମେତ ଅନେକ ରାଜ୍ୟର ନିର୍ବାଚନ ଶେଷ ହେଲା ପରେ ସରକାର ଏଲପିଜି ଦାମ୍ ବୃଦ୍ଧି କରିଛନ୍ତି ।୧୯ କେଜି ବିଶିଷ୍ଟ କମର୍ସିଆଲ ବା ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦରର ମୂଲ୍ୟବୃଦ୍ଧି କରାଯାଇଛି ।

ସରକାର ବିଭିନ୍ନ ତୈଳ କମ୍ପାନୀମାନଙ୍କୁ ମେ୧ରୁ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମରେ ୯୯୩ ଟଙ୍କା ବୃଦ୍ଧି କରିବାକୁ କହିଛନ୍ତି । ଏହି ଦରବୃଦ୍ଧି ସହ ଦିଲ୍ଲୀ, ମୁମ୍ବାଇ ସମେତ ଅନେକ ସହରରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୩ ହଜାର ଟଙ୍କା ଅତିକ୍ରମ କରିଛି । କିନ୍ତୁ ଅନ୍ୟ ଦିଗରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ଏଥିରେ କୌଣସି ବୃଦ୍ଧି କରାଯାଇ ନାହିଁ ।

ରିପୋର୍ଟ ଅନୁସାରେ,୧୯ କେଜି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ରେଟ୍ ବଢିବା ପରେ ଦିଲ୍ଲୀରେ ଗୋଟିଏ କମର୍ସିଆଲ ସିଲିଣ୍ଡର ଦାମ୍ ୩୦୭୧ ଟଙ୍କା ୫୦ ପଇସା ହୋଇଯାଇଛି । ଏପ୍ରିଲ ୧ ତାରିଖରେ ଏହାର ଦାମ୍ ୨୦୭୮ ଟଙ୍କା ୫୦ ପଇସା ଥିଲା । ଅର୍ଥାତ ମେ ୧ରୁ ଦାମ୍ ୯୯୩ ଟଙ୍କା ବଢିଯିବ ।

ଏହି ଦରବୃଦ୍ଧି ପରେ ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟର ଖର୍ଚ୍ଚ ବଢିଯିବ । ଫଳରେ ଗ୍ରାହକଙ୍କୁ କିଛି କିଣିବା ପାଇଁ ଅଧିକ ଟଙ୍କା ବିଲ୍ ବାବଦରେ ଦେବାକୁ ପଡିବ । ଏହାସହ ଷ୍ଟ୍ରିଟ୍ ଫୁଡ୍ ଦାମ୍ ମଧ୍ୟ ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ଘରୋଇ ଗ୍ୟାସ୍ ଅପରିବର୍ତ୍ତିତ 

କମର୍ସିଆଲ ଏଳପିଜି ଗ୍ୟାସ୍ ଦାମ୍ ବଢିଛି । ହେଲେ ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଛି । ଶେଷ ଥର ପାଇଁ ଘରୋଇ ଗ୍ୟାସ୍ ଦର ଗତ ମାର୍ଚ୍ଚ୭ ତାରିଖରେ ବୃଦ୍ଧି ପାଇଥିଲା । ଏବେ ଦିଲ୍ଲୀରେ ଘରୋଇ ଗ୍ୟାସ୍ ଦର ୯୨୮ ଟଙ୍କା ୫୦ ପଇସା ରହିଛି । ସେହିପରି ମୁମ୍ବାଇରେ ୧୪.୨ କେଜି ବିଶିଷ୍ଟ ଘରୋଇ ଗ୍ୟାସ୍ ରେଟ୍ ୯୧୨ ଟଙ୍କା ୫୦ ପଇସା ରହିଛି ।