ବ୍ରହ୍ମପୁର: ପ୍ରବଳ ବର୍ଷା। ଆଉ ବର୍ଷାର ପାଣିରେ ଉବୁଟୁବୁ ବ୍ରହ୍ମପୁର ସହର। ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା। ସହରର ବିଭିନ୍ନ ଅଞ୍ଚଳରେ ଜମିଛି ପାଣି। ବିଶେଷ କରି ବସ୍ତି ଅଞ୍ଚଳରେ ସ୍ଥିତି ଅଧିକ ସଙ୍ଗୀନ ହୋଇପଡ଼ିଛି। କେଉଁଠି ଘର ଭିତରେ ପାଣି ପଶିଛି ତ ଆଉ କେଉଁଠି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ।

ବର୍ଷାରେ ଜଳବନ୍ଦୀ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଲୋକେ। ଘର ଭିତରେ ପାଣି ପଶିଯିବା ପରେ ଅନେକ ପରିବାରଙ୍କୁ ରାତି ଅନିଦ୍ରାରେ କାଟିବାକୁ ପଡ଼ିଛି। ଘରେ ନା ରହିପାରୁଛନ୍ତି, ନା ଠିକ୍ ଭାବେ ଖାଇପାରୁଛନ୍ତି। ବସିବାକୁ ଜାଗା ନାହିଁ, ଖାଇବାକୁ ବି ବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ କରିଛନ୍ତି ବସ୍ତିବାସିନ୍ଦା।

ବର୍ଷାଜଳ ଘରେ ପଶିବାରୁ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ। ଏଭଳି ସ୍ଥିତିରେ ତୁରନ୍ତ ଉଦ୍ଧାର ଓ ଆବଶ୍ୟକ ସୁବିଧା ଯୋଗାଇବାକୁ ବିଇଏମସି କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ବସ୍ତିବାସିନ୍ଦା।

କେବଳ ବ୍ରହ୍ମପୁର ସହର ନୁହେଁ, ଲଗାଣ ବର୍ଷାର ପ୍ରଭାବ ପାତ୍ରପୁର ଉପାନ୍ତ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ପାତ୍ରପୁର ବ୍ଲକ ଚରିଆବାଡ ନିକଟରେ ଭୁସ୍ଖଳନ ହୋଇ ରାସ୍ତା ଉପରେ ପଡ଼ିଥିଲା ବିରାଟକାୟ ପଥର। ଫଳରେ ଆଙ୍କୁଲି-ତାଡକାସାହି ମୁଖ୍ୟ ରାସ୍ତା କିଛି ସମୟ ପାଇଁ ବନ୍ଦ ହୋଇଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନ। ରାସ୍ତା ଉପରୁ ପଥର ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

ଏପଟେ ବର୍ଷାଜନିତ ସ୍ଥିତି ଉପରେ ଜିଲ୍ଲା ପ୍ରଶାସନର ମଧ୍ୟ ରହିଛି ତୀକ୍ଷ୍ଣ ନଜର। ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବଡ଼ ମେଡିକାଲ, ବାହାନା ନାଳ ସମେତ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି। ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଓ ବର୍ଷାଜନିତ ସମସ୍ୟା ଉପରେ ନଜର ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି।

ପ୍ରଶାସନର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୬୪୪ ଜଣଙ୍କୁ ତଳିଆ ଅଞ୍ଚଳରୁ ସୁରକ୍ଷିତ ପକ୍କା ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୨୭୪ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୨୦ ଜଣଙ୍କ ସଫଳ ପ୍ରସବ ହୋଇଥିବା କୁହାଯାଇଛି।

ସମୁଦ୍ର ଅଞ୍ଚଳରେ ମଧ୍ୟ ସତର୍କତା ବଢ଼ାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୬୩ଟି ଆନ୍ଧ୍ର ଟ୍ରଲରକୁ ସୁରକ୍ଷା ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ସେହିପରି ଦୁଇଟି ଡଙ୍ଗା ବୁଡ଼ିଯାଇଥିବା ବେଳେ ସେଗୁଡ଼ିକୁ ମଧ୍ୟ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ବ୍ରହ୍ମପୁର ସହରରେ ବର୍ଷାଜଳ ନିଷ୍କାସନ ସହ ଜଳବନ୍ଦୀ ଅଞ୍ଚଳ ଉପରେ ନଜର ରଖି ବିଇଏମସି ପକ୍ଷରୁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଉଥିବା ବିଇଏମସି କମିଶନର କହିଛନ୍ତି। ତେବେ ଲଘୁଚାପ ପ୍ରଭାବରେ ବର୍ଷା ଆହୁରି ଜାରି ରହିଲେ ତଳିଆ ଅଞ୍ଚଳର ସ୍ଥିତି କେମିତି ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର। ପ୍ରଶାସନ ସଜାଗ ଥିବା ବେଳେ ବର୍ଷା ଓ ଜଳବନ୍ଦୀ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା କେବେ କମିବ, ତାହାକୁ ଅପେକ୍ଷା।

ଗୁରୁବାର ଗଞ୍ଜାମ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବନ୍ଦ ଘୋଷଣା କରାଯାଇଛି। ଡିଗ୍ରୀ କଲେଜ, ବୈଷୟିକ ଅନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି।