ଭଦ୍ରକ, ୧୫।୧୧ : କାଳୀପୂଜା ମେଳା ବୁଲିବା ପାଇଁ ଯାଇଥିବା ବେଳେ ଲୁଟ । ଚୋରି ପରେ ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ ନେଇଗଲେ ଚୋର । ଏପରି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଧରିତ୍ରୀ ନଗରରେ ।

ରିପୋର୍ଟ ଅନୁସାରେ, ସତ୍ୟ ସ୍ୱରୂପ ଜେନାଙ୍କ ପରିବାର ଲୋକେ କାଳୀପୂଜା ମେଳା ଦେଖିବା ପାଇଁ ଯାଇଥିଲେ । ଫେରିବା ବେଳକୁ ଘର ଓ ଗେଟର ତାଲା ଠିକ ଥିବା ବେଳେ ପଛ ଗ୍ରିଲ୍ ଭଙ୍ଗାଯାଇଥିବା ସେମାନେ ଦେଖିବାକୁ ପାଇଥିଲେ । ପରେ ଘରର ତିନୋଟି ଆଲମିରା ଭାଙ୍ଗି ନଗଦ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରି ହୋଇଥିବା ପରିବାର ଲୋକେ ଦେଖିଥିଲେ ।

ସବୁଠାରୁ ବଡ଼ କଥା ହେଲା ଯେ, ଘର ବାହାରେ ଓ ଅନ୍ୟ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲାଗିଥିଲା । ହେଲେ ଚୋରମାନେ କ୍ୟାମେରାର ଡିଭିଆର ଓ ରାଉଟର ନେଇ ଯାଇଛନ୍ତି । ଘଟଣାକୁ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।