ଲଣ୍ଡନ ୯।୧୨: ପାକିସ୍ତାନୀ ସରକାର, ଆର୍ମି ଅଫିସର, ଶାହବାଜ ସରକାରଙ୍କ ମନ୍ତ୍ରୀ ଏପରିକି ସାଧାରଣ ଲୋକଙ୍କୁ ଦୁନିଆରେ କେହି ବିଶ୍ୱାସ କରୁ ନାହାନ୍ତି। ଏହି କାରଣରୁ ପାକିସ୍ତାନୀ ନେତାଙ୍କୁ ଅନେକ ସ୍ଥାନରେ ଅପମାନିତ ହେବାକୁ ପଡୁଛି। ନିଜେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ହୁଅନ୍ତୁ କି ତାଙ୍କ କ୍ୟାବିନେଟ ମନ୍ତ୍ରୀ କେଉଁଠି ନା କେଉଁଠି କେବେ ନା କେବେ ନିଜର ଅପମାନ କରାଇସାରିଛନ୍ତି। ତାଜା ମାମଲା ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭୀଙ୍କ କ୍ଷେତ୍ରରେ ହୋଇଛି। ନକଭୀ ଲଣ୍ଡନ ଗସ୍ତରେ ଥିବା ବେଳେ ପୋଲିସ ତାଙ୍କୁ ଗାଡିରୁ ଓହ୍ଲାଇ ଗାଡିର ତନ୍ନତନ୍ନ ଯାଞ୍ଚ କରିଛି।

ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ପାକିସ୍ତାନୀ ଗୃହମନ୍ତ୍ରୀ ମୋହସିନ ନକଭୀ ଅଧିକାରୀଙ୍କୁ ଭେଟିବା ପାଇଁ ବ୍ରିଟେନ ବିଦେଶମନ୍ତ୍ରାଳୟ ଯାଉଥିଲେ। ସେହି ସମୟର ଏକ ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ବ୍ରିଟିଶ ପୋଲିସ ନକଭୀଙ୍କ କାରକୁ ରୋକି ତାର ତନ୍ନତନ୍ନ ଯାଞ୍ଚ କରିଛି। ଭିଡିଓରୁ ସ୍ପଷ୍ଟ ଦେଖି ହେଉଛି ଏହା ରୁଟିନ ଚେକିଂ ନୁହେଁ। ପୋଲିସ ସବୁ ଆଙ୍ଗଲରୁ ନକଭୀଙ୍କ କାରକୁ ଚେକ୍ କରିଛନ୍ତି। ତେବେ ନକଭୀଙ୍କ କାରର ତଲାସୀ କାହିଁକି ନିଆଗଲା ତାହା ସ୍ପଷ୍ଟ ହୋଇପାରିନଥିଲେ ମଧ୍ୟ ବୋମା ଅଥବା ଡ୍ରଗ୍ସ ଚାଲାଣ ସନ୍ଦେହରେ ଯାଞ୍ଚ କରାଯାଇଛି।

ଏହି ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି ପାକିସ୍ତାନର ଅନ୍ତର୍ଜାତୀୟ ସମ୍ମାନ କିପରି, ବିଶ୍ୱ ଏହି ଦେଶର ଲୋକଙ୍କୁ କେଉଁ ନଜରରେ ଦେଖୁଛି? ଉଲ୍ଲେଖଯୋଗ୍ୟ ଯେ ମୋହସିନ ନକଭୀ ୨୦୨୪ ମସିହାରୁ ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ମଧ୍ୟ ଅଛନ୍ତି। ଏହା ପୂର୍ବରୁ ଜାନୁୟାରୀ ୨୦୨୩ରୁ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ପଞ୍ଚାବର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ସେ ସିଟି ମିଡିଆ ଗ୍ରୁପର ସଂସ୍ଥାପକ ମଧ୍ୟ ଅଟନ୍ତି। ଗତ ଦିନରେ ଏସିୟା କପ ଫାଇନାଲରେ ପାକିସ୍ତାନକୁ ହରାଇବା ପରେ ଭାରତ ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ ନକଭୀଙ୍କ ଠୁ ୱିନିଂ ଟ୍ରଫି ଓ ମେଡାଲ ନେବାକୁ ମନା କରିଦେଇଥିଲା।

ଏହି କଥାକୁ ନେଇ ନକଭୀ ଏତେ ଚିଡି ଯାଇଥିଲେ ଯେ ସେ ଟ୍ରଫିକୁ ନିଜେ ନେଇ ଯାଇଥିଲେ। ସେ ଏପର୍ଯ୍ୟନ୍ତ ଭାରତକୁ ଟ୍ରଫି ଦେଇ ନାହାନ୍ତି। ଏହି ମାମଲା ଏବେ ଆଇସିସିଙ୍କ ନିକଟକୁ ପହଞ୍ଚିଛି। ଏହା ପୂର୍ବରୁ ପାକିସ୍ତାନୀ ସେନାମୁଖ୍ୟ ଅସୀମ ମୁନିର ଏପରି ଅପଦସ୍ଥ ହୋଇଛନ୍ତି। ମୁନିରଙ୍କୁ ଜଣେ ପାକିସ୍ତାନୀ ସାଂସଦ ସେଲସ୍ ମ୍ୟାନ କହିବାକୁ ପଛେଇ ନଥିଲେ। ତୁର୍କମେନିସ୍ତାନରେ ନିଯୁକ୍ତ ପାକିସ୍ତାନ ରାଜଦୂତ ଅହସାନ ବଗାନ ଗତ ମାର୍ଚ୍ଚ ମାସରେ ଆମେରିକାରେ ଅପମାନିତ ହୋଇଥିଲେ। ତାଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଦିଆଯାଇ ନଥିଲା ଓ ତାଙ୍କୁ ଏୟାର ପୋର୍ଟରୁ ଫେରାଇ ଦିଆଯାଇଥିଲା।