ନୂଆଦିଲ୍ଲୀ: ରେଡିଓ ତରଙ୍ଗ, ମାଇକ୍ରୋୱେଭ୍, ୱାଇ-ଫାଇ ଏବଂ ମହାକାଶରୁ ଆସୁଥିବା କସମିକ୍ ରଶ୍ମି ଭଳି ଅନେକ ପ୍ରକାରର ବିକିରଣ (Radiation) ର ସାମ୍ନା ମଣିଷ ପ୍ରତିଦିନ କରିଥାଏ। ଏହି ସମୟରେ ଚୀନର ବୈଜ୍ଞାନିକମାନେ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ କରିଛନ୍ତି। ମାନବ ପେଟ/ଅନ୍ତନଳୀ(Gut) ରେ ଥିବା 'ମ୍ୟୁକର୍ ରାସେମୋସସ୍' ନାମକ ଏକ ସହଜୀବୀ ଫଙ୍ଗସ୍ (କବକ) ଆମ ଶରୀରକୁ ବିକିରଣ ଜନିତ କ୍ଷତିରୁ ରକ୍ଷା କରିପାରିବ। 'PNAS' ଜର୍ଣ୍ଣାଲ୍‌ରେ ଏହି ଅଧ୍ୟୟନ ପ୍ରକାଶିତ ହୋଇଛି।

ମୂଷା ଉପରେ ଗବେଷଣା

ଗବେଷକମାନେ କିଛି ମୂଷାକୁ ଏହି ଫଙ୍ଗସ୍ ଦେବା ପରେ ସେଗୁଡ଼ିକୁ ବିକିରଣର ସମ୍ମୁଖୀନ କରାଇଥିଲେ। ସାଧାରଣ ମୂଷା ତୁଳନାରେ ଏହି ଫଙ୍ଗସ୍ ଗ୍ରହଣ କରିଥିବା ମୂଷାର ଓଜନ କମିବା, ଜ୍ୱଳନ ଏବଂ ଅକ୍ସିଡେଟିଭ୍ ଷ୍ଟ୍ରେସ୍ ଯଥେଷ୍ଟ କମ୍ ଦେଖିବାକୁ ମିଳିଥିଲା। ଏହି ଫଙ୍ଗସ୍ ତିନୋଟି ଆମିନୋ ଏସିଡ୍ (L-ଗ୍ଲୁଟାମିକ୍ ଏସିଡ୍, L-ଆସପାର୍ଟିକ୍ ଏସିଡ୍, ଏବଂ DL-ଲାଇସିନ୍) ତିଆରି କରିଥାଏ, ଯାହା ବିକିରଣ ସଂସ୍ପର୍ଶରେ ଆସିବା ପରେ ଡିଏନ୍‌ଏ (DNA) ମରାମତି କରିବାରେ ଏବଂ ପେଟ ଭିତର ଟିସୁଗୁଡ଼ିକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରେ।

ଏହା 'ମିଥାଇଲ୍‌ଥିଓଆଡେନୋସିନ୍' ନାମକ ଏକ ରସାୟନ ତିଆରି କରି 'ଲିମୋସିଲାକ୍ଟୋବାସିଲସ୍ ରେଉଟେରି' ବ୍ୟାକ୍ଟେରିଆର ବୃଦ୍ଧିକୁ ନିୟନ୍ତ୍ରଣ କରେ। ଏହି ବ୍ୟାକ୍ଟେରିଆ 'ମିଥିଓନାଇନ୍' ନାମକ କେମିକାଲ୍ ଉତ୍ପାଦନ ବଢ଼ାଇ ବିକିରଣରୁ ସୁରକ୍ଷାକୁ ଦ୍ୱିଗୁଣିତ କରିଥାଏ। ଗବେଷକମାନେ ଏହି ଫଙ୍ଗସ୍‌ ଦ୍ୱାରା ପ୍ରସ୍ତୁତ ପନୀର ମୂଷାଙ୍କୁ ଖାଇବାକୁ ଦେବା ପରେ ପେଟଜନିତ ଜ୍ୱଳନ କମିବା ସହ ପାଚନ ପ୍ରକ୍ରିୟା ସୁଦୃଢ଼ ହୋଇଥିଲା।

ଏହି ଫଙ୍ଗସ୍‌ଟି କିଛି ଫର୍ମେଣ୍ଟେଡ୍ ଖାଦ୍ୟରେ ପୂର୍ବରୁ ଉପଲବ୍ଧ ଅଛି। ତେବେ ମଣିଷର ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଏହାକୁ ସିଧାସଳଖ ବ୍ୟବହାର କରାଯାଇପାରିବ କି ନାହିଁ, ସେ ନେଇ ଅଧିକ ଗବେଷଣା ଆବଶ୍ୟକ ବୋଲି ବୈଜ୍ଞାନିକମାନେ କହିଛନ୍ତି।