ପାଟଣା: ଆଶ୍ରମ ବିଦ୍ୟାଳୟ ଛାତ୍ରାବାସରୁ ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ରଙ୍କ ବ୍ୟାଗରୁ ମଦ ବୋତଲ, ଛୁରୀ ଓ କିଛି ମାଦକ ଦ୍ରବ୍ୟ ମିଳିବା ପରେ ଭୟଭୀତ ଛାତ୍ରାବାସର ଛାତ୍ରଛାତ୍ରୀ । ଘଟଣା ପରେ ସମ୍ପୃକ୍ତ ଦୁଇ ଛାତ୍ରଙ୍କ ଅଭିଭାବକଙ୍କୁ ଡକାଇ ସେମାନଙ୍କୁ ବିଦ୍ୟାଳୟରୁ ବିଦା କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଳା ସରକାରୀ ଆଶ୍ରମ ବିଦ୍ୟାଳୟରେ ଘଟିଛି ଏହି ଘଟଣା ।

ସୂଚନା ଅନୁସାରେ, ବଳା ସରକାରୀ ଆଶ୍ରମ ବିଦ୍ୟାଳୟର ଦୁଇଟି ଛାତ୍ରାବାସରେ ମୋଟ ୨୧୬ ଜଣ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି । ଏଥିରେ ୧୦୦ ଜଣ ଛାତ୍ରୀ ଓ ୧୧୬ ଜଣ ଛାତ୍ର ରହିଛନ୍ତି । ତେବେ ଗତ ବୁଧବାର ସହପାଠୀମାନେ ଦୁଇ ଛାତ୍ରଙ୍କ ଆଚରଣରେ ପରିବର୍ତ୍ତନ ଦେଖିଥିଲେ । ଏହାସହ ସମ୍ପୃକ୍ତ ଛାତ୍ରମାନେ ମଦ୍ୟପାନ କରିଥିବା ନେଇ ଅନ୍ୟ ଛାତ୍ରମାନେ ଜାଣିବା ପରେ ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ ।

Also Read: ନକଲି ଆରଟିଓ ପେପର ଦେଇ କାଟୁଥିଲେ ଫାଇନ୍, ଯୁବକଙ୍କୁ ଗିରଫ କଲା ପୋଲିସ

ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଙ୍କ ରୁମ୍‌ରେ ଯାଞ୍ଚ କରିଥିଲେ । ଯାଞ୍ଚରେ ଦୁଇ ଛାତ୍ରଙ୍କ ବ୍ୟାଗରୁ ୩ଟି ଛୁରୀ, ୪ଟି ବଡ଼ ମଦ ବୋତଲ ସହ କିଛି ମାଦକ ଦ୍ରବ୍ୟ ମିଳିଥିବା ଜଣାପଡ଼ିଛି । ଘଟଣା ପରେ ଛାତ୍ରାବାସରେ ରହୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ଏମିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଦୁଇ ଛାତ୍ରଙ୍କ ଅଭିଭାବକଙ୍କୁ ବିଦ୍ୟାଳୟକୁ ଡକାଇ ଦୁଇ ଛାତ୍ରଙ୍କୁ ପ୍ରଧାନଶିକ୍ଷକ ଟିସି ଦେଇଥିବା ଜଣାପଡିଛି । ଛାତ୍ରାବାସରେ ଏଭଳି ସାମଗ୍ରୀ କିପରି ପହଞ୍ଚିଲା ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି’ ନାହିଁ ? ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ଘଟଣାର ଉପଯୁକ୍ତ ତଦନ୍ତ ସହ ଛାତ୍ରାବାସର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି ହୋଇଛି ।