ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ମହାନ ଫୁଟବଲର ଲିଓନେଲ ମେସି ଅନିର୍ଦ୍ଦିଷ୍ଟ କାଳ ପାଇଁ ଫୁଟବଲରୁ ବିରତି ନେଇଛନ୍ତି। ୬୮ ବର୍ଷ ବୟସରେ ରୋସାରିଓର ଏକ କ୍ଲିନିକରେ ଦୀର୍ଘଦିନର ଅସୁସ୍ଥତା ପରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଛି। ଏହି ଦୁଃଖ ସମୟରେ ନିଜ ପରିବାର ସହିତ ସମୟ ବିତାଇବା ପାଇଁ ମେସି ତାଙ୍କର ଫୁଟବଲ କ୍ୟାରିୟରରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଫୁଟବଲ କ୍ଲବ 'ଇଣ୍ଟର ମିଆମି'କୁ ସେ ନିଜର ପ୍ରତ୍ୟାବର୍ତ୍ତନ ନେଇ କୌଣସି ସୂଚନା ଦେଇନାହାନ୍ତି। ଏହି କଠିନ ସମୟରେ ଖେଳ ଅପେକ୍ଷା ପରିବାରକୁ ପ୍ରାଥମିକତା ଦେଇଛନ୍ତି ଏହି ବିଶ୍ୱପ୍ରସିଦ୍ଧ ଖେଳାଳି।

ଜର୍ଜ ମେସି କେବଳ ଲିଓନେଲଙ୍କ ପିତା ନଥିଲେ, ବରଂ ତାଙ୍କ ଫୁଟବଲ କ୍ୟାରିୟରକୁ ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପ୍ରାରମ୍ଭିକ ଅବସ୍ଥାରେ ଏକ ଇସ୍ପାତ କାରଖାନାରେ ସୁପରଭାଇଜର ଭାବରେ କାର୍ଯ୍ୟ କରୁଥିବା ଜର୍ଜ, ପରବର୍ତ୍ତୀ ସମୟରେ ମେସିଙ୍କ ମ୍ୟାନେଜର ଓ ରଣନୈତିକ ପରାମର୍ଶଦାତା ଦାୟିତ୍ୱ ସମ୍ଭାଳିଥିଲେ। ନ୍ୟୁଏଲ୍ସ ଓଲ୍ଡ ବଏଜ୍ କ୍ଲବରୁ ମେସିଙ୍କ କ୍ୟାରିୟର ଆରମ୍ଭ ହୋଇଥିବା ବେଳେ, ତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ସମୟରେ ବାର୍ସେଲୋନା ୟୁଥ୍ ଏକାଡେମୀରେ ଯୋଗଦେବା ପାଇଁ ଜର୍ଜ ସ୍ପେନ୍ ଯିବାରେ ସାହାଯ୍ୟ କରିଥିଲେ। 

ସେହି ସମୟରେ ମେସି ଗ୍ରୋଥ୍ ହରମୋନ୍‌ ଅଭାବ ରୋଗରେ ପୀଡ଼ିତ ଥିଲେ। ବାର୍ସିଲୋନା କ୍ଲବ୍ ତାଙ୍କର ଏହି ଚିକିତ୍ସା ଖର୍ଚ୍ଚ ବହନ କରିଥିଲା, ଯାହା ଫଳରେ ସେ ଆବଶ୍ୟକୀୟ ଶାରୀରିକ ବିକାଶ ହାସଲ କରିପାରିଥିଲେ। ଜର୍ଜ ମେସିଙ୍କ ପରିବାରରେ ତାଙ୍କ ପତ୍ନୀ ସେଲିଆ କୁଚିଟିନି ଏବଂ ଚାରି ଜଣ ସନ୍ତାନ—ଲିଓନେଲ, ରୋଡ୍ରିଗୋ, ମାଟିଆସ ଓ ମାରିଆ ସୋଲ୍ ଅଛନ୍ତି। ପିତାଙ୍କ ବିୟୋଗ ମେସିଙ୍କ ଜୀବନରେ ଏକ ଅପୂରଣୀୟ କ୍ଷତି । ତେଣୁ ସେ ଫୁଟବଲରୁ ବିରତି ନେଇ ପରିବାର ସହ ସମୟ ଅତିବାହିତ କରିବାକୁ ସ୍ଥିର କରିଛନ୍ତି।