ନୂଆଦିଲ୍ଲୀ: ପାଟନାରୁ ଲକ୍ଷ୍ନୌ ଯାଉଥିବା ଏକ ଇଣ୍ଡିଗୋ ବିମାନ ବଜ୍ରପାତର ଶିକାର ହୋଇଛି । ଏହି ଦୁର୍ଘଟଣାରେ ବିମାନର ଅଗ୍ରଭାଗ (ନୋଜ୍‌) କ୍ଷତିଗ୍ରସ୍ତ ହୋଇଛି । ଏଥିପାଇଁ DGCA ତଦନ୍ତ ନିର୍ଦ୍ଦେଶକ ଦେଇଛି । ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୭ ରାତିରେ ବିମାନଟି  ଦୁର୍ଘଟଣାର ଶିକାର ହୋଇଥିଲା।  ଲକ୍ଷ୍ନୌ ଏୟାରପୋର୍ଟରେ ଧାର୍ଯ୍ୟ ସମୟର ୮ ମିନିଟ ପୂର୍ବରୁ ଅବତରଣ କରିଥିଲା ବିମାନ । ଏଥିରେ ୧୦୪ ଯାତ୍ରୀଙ୍କ ସମେତ ୬ ଜଣ କ୍ରୁ ସଦସ୍ୟ ଥିଲେ । ସେମାନେ ସମେସ୍ତ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି । 

ଇଣ୍ଡିଗୋ ବିମାନ 6E 625 ୧୭୦୦୦ ଫୁଟ୍‌ ଉଚ୍ଚତାରେ ଉଡ଼ାଣ କରୁଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲା । ବିମାନଟି ଲକ୍ଷ୍ନୌ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲେ ସୁଦ୍ଧା, ଦୁର୍ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଡିଜିସିଏରୁ ଅନୁମତି ମିଳିବା ପରେ ଏବଂ ମରାମତି ସରିଲେ ହିଁ, ବିମାନଟି ପୁଣି ଉଡ଼ାଣ ଭରିପାରିବ । କିନ୍ତୁ ଏଥିପାଇଁ ଅନେକ ସମୟ ଲାଗିବ, ତେଣୁ ବିମାନଟି ଏବେ ଲକ୍ଷ୍ନୌ ଏୟାରପୋର୍ଟରେ ଗ୍ରାଉଣ୍ଡେଡ୍‌ ରହିବ । 

ଘଟଣା ସଂପର୍କରେ ଏୟାରଲାଇନ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ବିମାନ ଉଡ଼ାଣ ଭରିବ ନାହିଁ ବୋଲି ଇଣ୍ଡିଗୋ ସ୍ପଷ୍ଟ କରିଛି । ଏହା ପୂର୍ବରୁ ଇଣ୍ଡିଗୋର ଅନ୍ୟ ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ଗୌହାଟି-ବେଙ୍ଗାଲୁରୁ ବିମାନର ଟେଲ୍‌ ବା ପଛ ଭାଗ ତଳେ ମାଡ଼ ହୋଇଥିଲା । ଏହି ଦୁର୍ଘଟଣା ପରଠାରୁ ପ୍ରାୟ ମାସେ ହେଲା ବିମାନଟି ଉଡ଼ାଣ ଭରିପାରି ନାହିଁ । ବିମାନଟି ଯାଞ୍ଚ ଏବଂ ମରାମତି ହେବା ପରେ ହିଁ, ଉଡ଼ାଣ ଭରିପାରିବ ବୋଲି ଏୟାରଲାଇନ ପକ୍ଷରୁ ସୂଚନା ଦିଆଯାଇଛି ।