ବେରୁଟ ୨୫।୩: ଲେବାନନ ଓ ଇରାନ କୂଟନୈତିକ ସମ୍ପର୍କରେ ଫାଟ ଦେଖାଯାଇଛି। ଲେବାନନ ସରକାର ଇରାନର ମନୋନୀତ ରାଜଦୂତ ମହମଦ ରଜା ଶିବାନୀଙ୍କୁ ‘ପର୍ସୋନା ନନଗ୍ରେଟା’ ଘୋଷଣା କରିଛନ୍ତି। ଏହାର ଅର୍ଥ ଇରାନ ରାଜଦୂତ ଆଉ ଲେବାନନରେ ପାଦ ରଖି ପାରିବେନି। ଲେବାନନ ବିଦେଶମନ୍ତ୍ରୀ ୟୁସୁଫ ରାଗି ଇରାନ ରାଦଦୂତଙ୍କୁ ମାର୍ଚ୍ଚ ୨୯ ସୁଦ୍ଧା ଦେଶ ଛାଡିବାକୁ ଆଦେଶ ଦେଇଛନ୍ତି। ନିଜେ ୟୁସୁଫ ରାଗି ଏକ୍ସ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଇରାନର ଚାର୍ଜ ଦି ଆଫେୟର୍ସଙ୍କୁ ବିଦେଶମନ୍ତ୍ରାଳୟକୁ ଡକାଇ ନିଷ୍ପତ୍ତି ସମ୍ପର୍କରେ ଔପଚାରିକ ଭାବେ ଜଣାଇ ଦିଆଯାଇଛି।

ନିଷ୍ପତ୍ତିକୁ ସ୍ୱାଗତ କରିଛି ଇସ୍ରାଏଲ
ଇସ୍ରାଏଲ ଲେବାନନର ଏହି ପଦକ୍ଷେପକୁ ଖୋଲାଖୋଲି ସ୍ୱାଗତ କରିଛି। ଇସ୍ରାଏଲ ବିଦେଶ ମନ୍ତ୍ରୀ ଗିଦୋନ ସାର କହିଛନ୍ତି ଯେ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଯଥାର୍ଥ। କାରଣ ଲେବାନନର ଅନ୍ତରୀଣ ବ୍ୟାପାରରେ ଇରାନ ଲଗାତାର ହସ୍ତକ୍ଷେପ କରୁଛି। ଏବେ ହିଜବୁଲ୍ଲାହ ବିରୋଧରେ ଲେବାନନ ଦୃଢ କାର୍ଯ୍ୟାନୁଷ୍ଠାନ କରୁ ବୋଲି ଗିଦୋନ ସାର କହିଛନ୍ତି। କାରଣ ହିଜବୁଲ୍ଲାହର ଲୋକେ ଲେବାନନ ସରକାରରେ ଅଛନ୍ତି।

ହିଜବୁଲ୍ଲାହ ଆଡ୍ଡା ଉପରେ କାର୍ଯ୍ୟାନୁଷ୍ଠାନ ଜାରି
​​​​​​​
ଇସ୍ରାଏଲୀ ସେନା କହିଛି ଯେ ହିଜବୁଲ୍ଲାହ ଆଡ୍ଡା ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଇରାନ ଦୀର୍ଘ ସମୟରୁ ଲେବାନନରେ ହିଜବୁଲ୍ଲାହ ମାଧ୍ୟମରେ ନିଜର ପ୍ରଭାବ କାୟମ ରଖିଛି।ନିକଟରେ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନରେ କୁଦସ ଫୋର୍ସର ମହମ୍ମଦ ଅଲୀ କୈରାନୀଙ୍କୁ ହତ୍ୟା କରିଛି। କୁଦସ୍ ଫୋର୍ସ ଇରାନ ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପ (ଆଇଆରଜିସି)ର ଏକ ଗୁରୁତ୍ୱପୂର୍ଣ୍ଣ ଶାଖା ଭାବେ ଜଣାଯାଏ।