LIVE TV

PAK-ଆଫଗାନ ଯୁଦ୍ଧ: ପାକିସ୍ତାନର ଦାବି ମଲେଣି ୨୦୦ ତାଲିବାନ

NEWS7
kurdish-protesters-call-for-justice-after-deadly-paris-shooting

ଇସ୍ଲାମାବାଦ ୧୨।୧୦: ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଶନିବାର ମଧ୍ୟରାତ୍ରରୁ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଫଳରେ ଉଭୟ ଦେଶର ବ୍ୟାପକ କ୍ଷତି ହୋଇଛି। ପାକିସ୍ତାନ କହିଛି ଯେ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୨୦୦ ତାଲିବାନ ପ୍ରାଣ ହରାଇଲେଣି ଓ ୨୩ ପାକିସ୍ତାନୀ ସୈନିକ ଶହିଦ ହୋଇଛନ୍ତି। ଏଥିରେ ଆଫଗାନିସ୍ତାନର ଦାବି ଯେ  ଏ ପର୍ଯ୍ୟନ୍ତ ଯୁଦ୍ଧରେ  ୫୮ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ସେନାପୋଷ୍ଟ କବଜା କରାଯାଇଛି।

ଆଫଗାନ ସରକାରଙ୍କ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି ଯେ ସାଉଦୀ ଆରବ ଓ କତାରର ହସ୍ତକ୍ଷେପ ପରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶନିବାର ମଧ୍ୟରାତ୍ରରେ ରୋକି ଦିଆଯାଇଛି। ତେବେ ସେ ପର୍ଯ୍ୟନ୍ତ ତାଲିବାନମାନେ ୨୫ ପାକିସ୍ତାନୀ ପୋଷ୍ଟକୁ ନିଜ ନିୟନ୍ତ୍ରଣକୁ ନେଇସାରିଥିଲେ। ସେ କହିଛନ୍ତି ଯେ ଆଫଗାନିସ୍ତାନର ସବୁ ସୀମାରେ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ଓ ପାକିସ୍ତାନର ଅବୈଧ ଗତିବିଦ୍ଧି ଉପରେ ରୋକ ଲାଗିଛି।

ସପ୍ତାହ ଆରମ୍ଭରେ ଆଫଗାନ ଅଧିକାରୀମାନେ ପାକିସ୍ତାନ ଉପରେ ରାଜଧାନୀ କାବୁଲ ଓ ଦେଶର ପୂର୍ବାଞ୍ଚଳରେ ଥିବା ଏକ ବଜାର ଉପରେ ବୋମା ବର୍ଷା କରିବାର ଅଭିଯୋଗ କରିଥିଲେ। ତେବେ ପାକିସ୍ତାନ ଏପରି ଘଟଣାକୁ ଏବେବି ସ୍ୱୀକାର କରୁ ନାହିଁ। ଏଥିରେ ଭାରତ ଗସ୍ତରେ ଥିବା ଆଫଗାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତକୀ କହିଛନ୍ତି ଯେ ଆଫଗାନ କ୍ଷେତ୍ରରେ ଶାନ୍ତି ଚାହୁଁଛି। ସେ କହିଛନ୍ତି ଯେ ଆମେ ଆଫଗାନିସ୍ତାନରେ ଶାନ୍ତି ଆଣିଛୁ ଓ ପୁରା କ୍ଷେତ୍ରରେ ଶାନ୍ତି ପାଇଁ ଉଦ୍ୟମ କରୁଛୁ। ଏଣୁ ଆଲୋଚନା ପାଇଁ ଆମ ଦ୍ୱାର ଏବେବି ଖୋଲା ଅଛି।

ସେ କହିଛନ୍ତି ଯେ ଆମେ ସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛୁ। ଯଦି ଶାନ୍ତି ପ୍ରୟାଶ ସଫଳ ନହୁଏ ଆମ ପାଖରେ ଦ୍ୱିତୀୟ ବିକଳ୍ପ ମଧ୍ୟ ଅଛି। ଅନ୍ୟପଟେ ପାକିସ୍ତାନ ସୁରକ୍ଷା ସୂତ୍ରରୁ ଆସୁଥିବା ସୂଚନାରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଆଫଗାନିସ୍ତାନର ୧୯ ସୈନ୍ୟ ପୋଷ୍ଟ ଓ ଆତଙ୍କବାଦୀଙ୍କ ଆଡ୍ଡା କୁ ଉଡାଇ ଦିଆଯାଇଛି। ଆଫଗାନିସ୍ତାନର ଏହି ଆକ୍ରମଣକୁ ପାକିସ୍ତାନ ଉସକାଇବା ବିନା କାର୍ଯ୍ୟାନୁଷ୍ଠାନ ବୋଲି କହିଛି।

ତେବେ ଭାରତ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ  ପାକିସ୍ତାନକୁ କହିଛନ୍ତି ଯେ ସେ ନିଜ ଦେଶର ଉଗ୍ରବାଦ ସମସ୍ୟାକୁ ନିଜେ ନିୟନ୍ତ୍ରଣ କରୁ। ସେ କହିଛନ୍ତି ଯେ ଆଫଗାନିସ୍ତାନରେ ତେହେରିକ ଏ ତାଲିବାନ ପାକିସ୍ତାନ (ଟିଟିପି)ର କୌଣସି ଆଡ୍ଡା ନାହିଁ। ତେବେ ଆଫଗାନିସ୍ତାନ ଭାରତର ନିକଟତମ ହେଉଥିବାରୁ ପାକିସ୍ତାନ ଆକ୍ରମଣ କରୁଛି କି ବୋଲି ପଚରା ଯିବାରୁ ଏହି ପ୍ରଶ୍ନ ଆପଣ ପାକିସ୍ତାନକୁ ପଚାରି ପାରନ୍ତି ବୋଲି କହିଛନ୍ତି। କାରଣ ଆମର କାହା ସାଙ୍ଗରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି।