LIVE TV

IPS ଅଫିସର ଆତ୍ମହତ୍ୟା ଅଭିଯୋଗରେ ହରିୟାଣା DGPଙ୍କ ନାମ ନେଲେ ପତ୍ନୀ,ଜାଣନ୍ତୁ କହିଛନ୍ତି କ’ଣ?

NEWS7
gfx

ଚଣ୍ଡିଗଡ଼ ୯।୧୦: ହରିୟାଣାର ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ୱାଇ.ପୁରନ କୁମାରଙ୍କ ପତ୍ନୀ ଆଇଏଏସ ଅଧିକାରୀ ଅମନିତ ପି. କୁମାର ତାଙ୍କ ସ୍ୱାମୀଙ୍କ ଆତ୍ମହତ୍ୟା ନେଇ ଚଣ୍ଡିଗଡ଼ ପୋଲିସରେ ଅଭିଯୋଗ ରୁଜୁ କରିଛନ୍ତି। ଏଥିରେ ସେ ହରିୟାଣା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସତ୍ରୁଜିତ ସିଂହ କପୁର ଓ ରୋହତକ ଏସପି ନରେନ୍ଦ୍ର ବିଜାରନିୟାଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ଦୁଇ ଅଧିକାରୀଙ୍କ ତୁରନ୍ତ ଗିରଫ ଦାବି କରିଛନ୍ତି। ଆଇପିଏସ ପୁରନ କୁମାର ମଙ୍ଗଳବାର କଥିତ ରୂପେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲେ।

ଅମନିତ ବିଏନସ ଧାରା ୧୦୮( ଆତ୍ମହତ୍ୟା ଲାଗି ଉସକାଇବା), ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି(ଅତ୍ୟାଚାର ନିବାରଣ) ଅଧିନିୟମ ପ୍ରାବଧାନରେ ଏତଲା ରୁଜୁ କରିବାକୁ ଦାବି କରିଛନ୍ତି। ଆଇଏଏସ ଅଧିକାରୀ ରୁଜୁ କରିଥିବା ଏଫଆଇଆରରେ କହିଛନ୍ତି ଯେ ‘ଏହା କୌଣସି ସାଧାରଣ ଆତ୍ମହତ୍ୟା ମାମଲା ନୁହେଁ, ବରଂ ଅନୁସୂଚିତ ଜାତି ସମୂଦାୟର ଜଣେ ସଚ୍ଚୋଟ ଅଧିକାରୀଙ୍କ ଉପରେ ଶକ୍ତିଶାଳୀ ବରିଷ୍ଠଙ୍କ ଦ୍ୱାରା ନିର୍ଯାତନାର ସିଧା ଫଳାଫଳ’।

ସେ ତାଙ୍କ ଅଭିଯୋଗରେ ‘ନା କେବଳ ନ୍ୟାୟ ମିଳିବା ଦରକାର ବରଂ ନ୍ୟାୟ ହେଉଥିବାର ଦେଖାଯିବା ମଧ୍ୟ ଦରକାର’ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଅକଥନୀୟ ଦୁଃଖରେ ପୀଡ଼ିତ ହୃଦୟ ଓ ନ୍ୟାୟବ୍ୟବସ୍ଥା ଉପରେ ଭରସା କରି ପାରୁନଥିବା ମନରେ ତାଙ୍କ ପତିଙ୍କୁ ବରିଷ୍ଠ ଅଧିକାରୀମାନେ ବିଶେଷ କରି ଡିଜିପି କପୁରଙ୍କ ବର୍ଷବର୍ଷଧରି ବ୍ୟବସ୍ଥିତ ଅପମାନ ଓ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡିଛି।

ଏ ନେଇ ହରିୟାଣା ଡିଜିପିଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଏସପି ବିଜାରନିୟା କହିଛନ୍ତି ଯେ ମୋ ବିରୋଧରେ ଅଭିଯୋଗ ସମ୍ପର୍କରେ ଯାଞ୍ଚ ଚଣ୍ଡିଗଡ଼ ପୋଲିସ କରୁଛି ଓ ମୋର ଏହି ଯାଞ୍ଚ ଉପରେ ପୁରା ଭରସା ଅଛି। କାରଣ ସେ ନିରପେକ୍ଷ ତଦନ୍ତ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ। ତେବେ ଅମନିତ କହିଛନ୍ତି ଯେ ତାଙ୍କ ପତି ତାଙ୍କୁ କହିଥିଲେଯେ ‘ଡିଜିପି କପୁରଙ୍କ ନିର୍ଦ୍ଦେଶରେ ତାଙ୍କୁ ମିଥ୍ୟା ମାମଲାରେ ଫଶାଇବାକୁ ଷଡ଼ଯନ୍ତ୍ର କରାଯାଉଛି’।

ସେ ରୋହତକ ଅର୍ବାନ ଇଷ୍ଟେଟ ଥାନାରେ ଅକ୍ଟୋବର ୬ ତାରିଖ ଦିନ ତାଙ୍କ ସ୍ୱାମୀଙ୍କ ଜଣେ ପୂର୍ବତନ କର୍ମଚାରୀଙ୍କ ବିରୋଧରେ ରୁଜୁ ‘ମିଥ୍ୟା ଏଫଆଇଆର’(ସଂଖ୍ୟା ୦୩୧୯/୨୦୨୫)କୁ ବିଶେଷ ରୂପେ ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଏହା ସେହି ମାମଲା ଯେଉଁଥିରେ ପୁରନ କୁମାରଙ୍କୁ ଫଶେଇବାକୁ ଉଦ୍ୟମ କରାଯାଉଥିଲା। ଅଭିଯୋଗରେ ସେ ଲେଖିଛନ୍ତି ଯେ ‘ଏହି ବ୍ୟବସ୍ଥିତ ନିର୍ଯାତନା ତାଙ୍କୁ ଅନ୍ତିମ ପୀଡ଼କୁ ଧକ୍କା ଦେଇଥିଲା’। ସେ ଏହା ମଧ୍ୟ କହିଛନ୍ତି ଯେ ପୁରନ କୁମାର ମୃତ୍ୟୁ ପୂର୍ବରୁ ଡିଜିପି କପୁର ଓ ଏସପି ବିଜାରନିଆଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ତାଙ୍କ ଫୋନ ଉଠାଇନଥିଲେ।

ଅଭିଯୋଗକାରିଣୀ କହିଛନ୍ତି ଯେ ଡିଜିପି ତାଙ୍କ ଅବେଦନକୁ ‘ଅଣଶୁଣା’ କରିଥିବା ବେଳେ ଏସପି ଜାଣିଶୁଣି ତାଙ୍କ କଲର ଉତ୍ତର ଦେଇନଥିଲେ। ଏଣୁ ଉଭୟ ଡିଜି ଓ ଏସପି ଏହି ଷଡ଼ଯନ୍ତ୍ରରେ ମିଳିତ କାମ କରୁଥିଲେ। ଅମନିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ରାୟତଃ ଜାତି ଆଧାରିତ ଭେଦଭାବ, ପୋଲିସ ପରିସର ପୁଜା ସ୍ଥଳରୁ ବହିଷ୍କାର ଓ ତାଙ୍କ ଅନୁସୂଚିତ ଜାତି ପୃଷ୍ଠଭୂମି କାରଣରୁ ଅପମାନର ବାରମ୍ବାର ଅଭିଯୋଗ କରୁଥିଲେ।

ଅମନିତ ଲେଖିଛନ୍ତି ସେ ବାରମ୍ବାର ଏସସି/ଏସଟି ଆକ୍ଟରେ ସୁରକ୍ଷା ନିବେଦନ କରୁଥିଲେ, ହେଲେ ତାଙ୍କ କଥାକୁ ଶୁଣାଯାଇ ନଥିଲା। ସେ କହିଛନ୍ତି ପ୍ରଶାସନିକ ନିର୍ଯାତନା କୌଣସି ବ୍ୟକ୍ତିଙ୍କୁ ଆତ୍ମହତ୍ୟା ଲାଗି ପ୍ରେରିତ କରିପାରେ। ସେକ୍ଟର-୧୧ ଏସଏଚଓଙ୍କୁ ସମ୍ବୋଧିତ ଭାବୁକ ଅଭିଯୋଗରେ କୁହାଯାଇଛି ଯେ ‘୮ ପୃଷ୍ଠାର ଆତ୍ମହତ୍ୟା ଜମାନବନ୍ଦୀ ଏକ ଭଙ୍ଗାମନର ଡକ୍ୟୁମେଣ୍ଟ, ଯେଉଁଥିରେ ଅନେକ ଅଧିକାରୀଙ୍କ ନାମ ରହିଛି ଯେଉଁମାନଙ୍କ ଅଥକ କାର୍ଯ୍ୟାନୁଷ୍ଠାନ ତାଙ୍କୁ ଏହି ପରିସ୍ଥିତିକୁ ପହଞ୍ଚାଇ ଦେଇଛି’।