LIVE TV

ଗାଜା ଶାନ୍ତି ସମ୍ମିଳନୀ ପାଇଁ ପିଏମ୍‌ ମୋଦିଙ୍କୁ ନିମନ୍ତ୍ରଣ , ଟ୍ରମ୍ପ ଓ ସିସିଙ୍କ ଅଧ୍ୟକ୍ଷତାରେ ହେବ ବୈଠକ

NEWS7
PM Modi gets invite

ନୂଆଦିଲ୍ଲୀ – ଗାଜାରେ ଗତ ଦୁଇ ବର୍ଷ ହେବ ଜାରି ସଂଘର୍ଷ ଏବେ ଶାନ୍ତିରେ ବଦଳିବା ନଜର ଆସୁଛି। ଅସ୍ତ୍ରବିରତି ଲାଗୁ ହେବାର ପ୍ରକ୍ରିୟାର ପୂରା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ଏବେ ଇଜିପ୍ଟରେ ଏକ ଆନ୍ତର୍ଜାତିକ ସମ୍ମିଳନୀ ମାଧ୍ୟମରେ ଏହି ଚୁକ୍ତିକୁ ଅନ୍ତିମ ରୂପ ଦେବାର ପ୍ରସ୍ତୁତିରେ। ଇଜିପ୍ଟର ଶର୍ମ ଅଲ୍‌ ଶେଖରେ ସୋମବାର (୧୩ ଅକ୍ଟୋବର)ରେ ହେବାକୁ ଥିବା ଉକ୍ତ ବୈଠକରେ ପିଏମ୍ ମୋଦିଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ହେଲେ ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ବିଦେଶ ରାଜ୍ୟ ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ସାମିଲ ହେବେ। ଉଲ୍ଲେଖନୀୟ ଯେ, ଏହି ସମ୍ମିଳନୀ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ଓ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତେହ ଅଲ ସିସିଙ୍କ ମିଳିତ ଅଧ୍ୟକ୍ଷତାରେ ହେବ।

ଏହି ସମ୍ମିଳନୀ ପାଇଁ ଉତ୍ସାହିତ ଇଜିପ୍ଟର ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏଥିରେ ୨୦ରୁ ଅଧିକ ଦେଶର ନେତାଙ୍କ ସାମିଲ ହେବାର ଆଶା ରହିଛି। ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇ ଥିବା ବୟାନରେ ମଧ୍ୟ ଏହି ନିମନ୍ତ୍ରଣକୁ ସ୍ପଷ୍ଟ କରି କୁହାଯାଇଛି ଯେ, ଗାଜାରେ ଶାନ୍ତି ପାଇଁ ଆୟୋଜିତ ହେବାକୁ ଥିବା ସମ୍ମିଳନୀ ପାଇଁ ପିଏମ୍ ମୋଦିଙ୍କୁ ଆମନ୍ତ୍ରିତ କରାଯାଇଛି। ହେଲେ , ତାଙ୍କ ସ୍ଥାନରେ ବିଦେଶ ରାଜ୍ୟ ମନ୍ତ୍ରୀ ସେଠାରେ ଭାରତର ପ୍ରତିନିଧିତ୍ୱ କରିବେ।

ଏହି ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ହମାସ ଓ ଇସ୍ରାଏଲ ମଧ୍ୟରେ ନିକଟରେ ହୋଇଥିବା ଯୁଦ୍ଧ ବିରତିକୁ ଆହୁରି ଅଧିକ ଦୃଢ କରିବା। ଏହି ଅନୁସାରେ ମଧ୍ୟ-ପୂର୍ବରେ ଦୀର୍ଘକାଳିନ ଶାନ୍ତି ସ୍ଥାପନାର ସମ୍ଭାବନା ସୃଷ୍ଟି ହେବ। ଇଜିପ୍ଟର ରାଷ୍ଟ୍ରପତି କାର୍ଯ୍ୟାଳୟ କହିଛି, ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ଗାଜା ପଟ୍ଟୀରେ ଯୁଦ୍ଧକୁ ସମାପ୍ତ କରିବା , କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଆଣିବା ପ୍ରୟାସକୁ ବଢାଇବା ଓ ସୁରକ୍ଷାର ଏକ ନୂଆ ପର୍ଯ୍ୟାୟର ଆରମ୍ଭ କରିବା ଅଛି।

ଏକ୍ସିୟୋସ୍‌ର ରିପୋର୍ଟ ଅନୁସାରେ , ଏହି ସମ୍ମିଳନୀ ପାଇଁ ଅନେକ ଦେଶର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି। ଏହି ଦେଶ ଗୁଡ଼ିକ ତାଲିକାରେ ସ୍ପେନ୍‌, ଜାପାନ, ଅଜରବୈଜାନ, ଆର୍ମେନିଆ , ହଙ୍ଗେରା , ଭାରତ , ଅଲ ସଲଭାଡୋର, ସାଇପ୍ରସ୍‌, ଗ୍ରୀସ୍, ବାହାରିନ , କୁଏତ୍ ଓ କାନାଡା ସହ ଆମେରିକାର ଅନେକ ରଣନୀତିକ ପାର୍ଟନରସିପ୍‌ ଦେଶ ସାମିଲ ଅଛି। ଏହା ବ୍ୟତୀତ ଇରାନକୁ ମଧ୍ୟ ନିମନ୍ତ୍ରିତ କରାଯାଇଛି। ହେଲେ ଇସ୍ରାଏଲ ଏହି ଆଲୋଚନାରେ ଭାଗ ନେଉ ନାହିଁ।