LIVE TV

ସୀମା ପାର ଲଢ଼େଇରେ ୫୮ ପାକିସ୍ତାନ ଯବାନ ମାରିଥିବା ଦାବି କଲା ତାଲିବାନ; ଦେଲା ଚେତାବନୀ

NEWS7
Taliban on Sunday warned Islamabad

କାବୁଲ: ନିକଟରେ କାବୁଲ ଉପରେ ପାକିସ୍ତାନ କରିଥିବା ଏୟାରଷ୍ଟ୍ରାଇକ୍‌ର ପ୍ରତିଶୋଧ ନେଇଛି ଆଫଗାନିସ୍ତାନ। ଆଜି ଆଫଗାନିସ୍ତାନ ପାକିସ୍ତାନ ଉପରେ ଆଟାକ୍ କରିଛି। ଏଥିରେ ୫୮ ପାକ୍‌ ସୈନିକଙ୍କ ମୃତ୍ୟୁ ହୋଇଛି  ଓ ୩୦ ଜଣ ଆହତ ହୋଇଛନ୍ତି ବୋଲି ତାଲିବାନ ଦାବି କରିଛି। ଏଥିସହିତ ପାକିସ୍ତାନ ଆଇଏସଆଇସ ଆତଙ୍କବାଦୀଙ୍କୁ ସରଣ ଦେଇ ହଙ୍ଗାମା ସୃଷ୍ଟି କରୁଛି ବୋଲି ତାଲିବାନ ଅଭିଯୋଗ କରିଛି।

ରବିବାର ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ପାକିସ୍ତାନ ନିଜ ମାଟିରେ ଲୁଚି ରହିଥିବା ଭୟଙ୍କର ଆଇଏସଆଇଏସ୍ ସଦସ୍ୟମାନଙ୍କୁ ବାହାର କରିଦେବା ଉଚିତ, କିମ୍ବା ସେମାନଙ୍କୁ ଇସଲାମିକ୍ ଏମିରେଟ୍ସକୁ ହସ୍ତାନ୍ତର କରିବା ଉଚିତ। ଆଇଏସଆଇଏସ୍ ଗୋଷ୍ଠୀ ଆଫଗାନିସ୍ତାନ ସମେତ ବିଶ୍ୱର ଅନେକ ଦେଶ ପାଇଁ ବିପଦ ସୃଷ୍ଟି କରିଛି।

ତେବେ ପାକିସ୍ତାନର ଆକ୍ରମଣ ନେଇ ସେ କହିଛନ୍ତି ଯେ ଆଫଗାନିସ୍ତାନର ବାୟୁ ଏବଂ ସ୍ଥଳ ସୀମାକୁ ରକ୍ଷା କରିବାର ଅଧିକାର ଅଛି। ହେଲେ କାତାର ଏବଂ ସାଉଦି ଆରବର ଅନୁରୋଧରେ ଆଫଗାନିସ୍ତାନ-ପାକିସ୍ତାନ ସୀମା - ଡୁରାଣ୍ଡ ରେଖାରେ ଆଫଗାନିସ୍ତାନ ଏହାର ରାତ୍ରୀକାଳୀନ ଅପରେସନ ବନ୍ଦ କରିଛି। ତେବେ ପାକିସ୍ତାନ ସହିତ ଲଢ଼େଇରେ ୨୦ ତାଲିବାନ ଯବାନଙ୍କର ମୃତ୍ୟୁ ହୋଇଛି ବୋଲି ଜବିହୁଲ୍ଲା କହିଛନ୍ତି।

ଏଥିସହିତ ତାଲିବାନ ଆହୁରି କହିଛି ଯେ ଆଫଗାନିସ୍ତାନରୁ ଆଇଏସଆଇଏସ୍‌କୁ ହଟାଇବା ପାଇଁ ଆମ ଯବାନ କାମ କରୁଥିବା ବେଳେ ପାକିସ୍ତାନ ଖାଇବରପଖତୁନଖ୍ୱା ଆଞ୍ଚଳରେ ଏକ ଶିବିର କରି ସେମାନଙ୍କୁ ଟ୍ରେନିଂ ଦେଉଛି। କରାଚୀ ଓ ଇସ୍ଲାମବାଦା ଏୟାରପୋର୍ଟରୁ ଆତଙ୍କବାଦୀମାନଙ୍କୁ ଏହି ସେଣ୍ଟରକୁ ଅଣାଯାଉଛି ବୋଲି ଜବିହୁଲ୍ଲା କହିଛନ୍ତି।

କାବୁଲ ଏବଂ ପାକତିକାରେ ଇସଲାମାବାଦ ଏୟାର ଷ୍ଟ୍ରାଇକ୍ କରିବା ପରେ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଏକାଧିକ ପାକିସ୍ତାନୀ ରାଜ୍ୟଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଏନେଇ ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର ସକାଳେ ସୂଚନା ଦେଇଛି। ସେନା ସଫଳତା ସହ ଜବାବ ଦେଇଛି ବୋଲି ତାଲିବାନ କହିଛି। ଏବଂ ପାକିସ୍ତାନକୁ ଚେତାବନୀ ଦେଇ କହିଛି ଯେ ଯଦି ବିରୋଧୀ ପକ୍ଷ ପୁଣିଥରେ ଆଫଗାନିସ୍ତାନର ଆଞ୍ଚଳିକ ଅଖଣ୍ଡତା ଉପରେ ପ୍ରହାର କରେ ତେବେ ଆମ ସେନା ଦୃଢ଼ ଯବାବ ଦେବାକୁ ପ୍ରସ୍ତୁତ ଅଛି।  

ସେପଟେ ପାକିସ୍ତାନ ତାଲିବାନ ଆକ୍ରମଣକୁ ନିନ୍ଦା କରିବା ସହିତ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି ବୋଲି ଅଭିଯୋଗ କରିଛି। ତାଲିବାନ ସୀମା ନିକଟରେ ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇଛି ବୋଲି ଅଭିଯୋଗ କରିଛନ୍ତି ପାକିସ୍ତାନ ଇଣ୍ଟେରିୟର ମନ୍ତ୍ରୀ ମୋଶୀନ ନକବୀ। ଉକ୍‌ସାଇବାକୁ ବରଦାସ୍ତ କରାଯିବ ନାହିଁ। ପାକିସ୍ତାନ ସେନା ଏହାର ଦୃଢ଼ ଯବାବ ଦେବ ବୋଲି କହିଛନ୍ତି ନକବୀ।