ନୂଆଦିଲ୍ଲୀ: ଭାରତୀୟ ଫିନଟେକ୍ କମ୍ପାନୀ 'କ୍ରେଡ୍' (CRED) ର ପ୍ରତିଷ୍ଠାତା କୁନାଲ ଶାହ ଏବେ ବିଶ୍ଵ ସ୍ତରରେ 'ହ୍ଵାଟ୍ସଆପ୍'ର କମାଣ ସମ୍ଭାଳିବାକୁ ଯାଉଛନ୍ତି। ମେଟା ପକ୍ଷରୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି ଯେ, କୁନାଲ ଶାହ ହ୍ଵାଟ୍ସଆପର ପରବର୍ତ୍ତୀ ଗ୍ଲୋବାଲ୍ ହେଡ୍ ଭାବରେ ଦାୟିତ୍ଵ ଗ୍ରହଣ କରିବେ। ସେ ବର୍ତ୍ତମାନର ମୁଖ୍ୟ ଓ୍ବିଲ୍ କ୍ୟାଥକାର୍ଟ ଙ୍କ ସ୍ଥାନ ନେବେ । ସେ ୨୦୧୯ ମସିହାରୁ ଏହି ମେସେଜିଂ ପ୍ଲାଟଫର୍ମର ନେତୃତ୍ଵ ନେଉଥିଲେ।

କୁନାଲ ଶାହଙ୍କର ଏହି ନିଯୁକ୍ତି ଏଭଳି ଏକ ସମୟରେ ହେଉଛି, ଯେତେବେଳେ ହ୍ଵାଟ୍ସଆପ୍ କେବଳ ଏକ ସାଧାରଣ ମେସେଜିଂ ଆପ୍ ହୋଇ ରହିନାହିଁ। ବର୍ତ୍ତମାନ ବିଶ୍ଵ ସ୍ତରରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି । ସାରା ଦୁନିଆରେ ହ୍ଵାଟ୍ସଆପ୍ ବ୍ୟବହାର କରୁଥିବା ସକ୍ରିୟ ୟୁଜରଙ୍କ ସଂଖ୍ୟା ଏବେ ୩ ବିଲିୟନ (୩୦୦ କୋଟି) ଅତିକ୍ରମ କରିସାରିଛି।

ଡିଜିଟାଲ୍ ପେମେଣ୍ଟସ୍‌, ହ୍ଵାଟ୍ସଆପ୍ ବିଜନେସ୍ ଏବେ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ଲାଟଫର୍ମରେ ଆଗାମୀ ଦିନରେ ଅନେକ ନୂତନ AI-ପାୱାର୍ଡ ଫିଚର୍ସ ସାମିଲ ହେବାକୁ ଯାଉଛି। ହ୍ଵାଟ୍ସଆପ୍ ଏବେ ନିଜର ବ୍ୟବସାୟିକ ଅଭିବୃଦ୍ଧିର ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରୁଛି। ମେଟା କମ୍ପାନୀର ବିଶ୍ଵାସ ରହିଛି ଯେ, କୁନାଲ ଶାହଙ୍କ ଭଳି ଜଣେ ସଫଳ ଉଦ୍ୟୋଗୀ ଏବଂ ପ୍ରଡକ୍ଟ ବିଲ୍ଡରଙ୍କ ଅଭିଜ୍ଞତା ହ୍ଵାଟ୍ସଆପର ଆଗାମୀ ଯାତ୍ରା ପାଇଁ ସବୁଠାରୁ ଉପଯୁକ୍ତ ପ୍ରମାଣିତ ହେବ।

ଭାରତରେ 'ଫ୍ରିଚାର୍ଜ' ଏବେ 'କ୍ରେଡ୍' ଭଳି ବଡ଼ ବ୍ରାଣ୍ଡ୍ ତିଆରି କରିବାରେ କୁନାଲଙ୍କର ବଡ଼ ଭୂମିକା ରହିଛି। ଗ୍ରାହକମାନଙ୍କ ମନ ବୁଝିବା ଏବଂ ଡିଜିଟାଲ୍ ଉତ୍ପାଦକୁ ଲୋକପ୍ରିୟ କରାଇବାରେ ତାଙ୍କର ଯେଉଁ ଦକ୍ଷତା ରହିଛି, ତାହା ହ୍ଵାଟ୍ସଆପ୍ ବିଜନେସ୍‌କୁ ଆହୁରି ମଜଭୁତ କରିବ ବୋଲି ମେଟା ଆଶା ରଖିଛି। ସୁନ୍ଦର ପିଚାଇ (ଗୁଗଲ) ଏବଂ ସତ୍ୟ ନାଡେଲା (ମାଇକ୍ରୋସଫ୍ଟ) ଙ୍କ ପରେ କୁନାଲ ଶାହ ଏବେ ବିଶ୍ଵର ଅନ୍ୟତମ ବୃହତ୍ତମ ଟେକ୍ ପ୍ଲାଟଫର୍ମର ମୁଖ୍ୟ ଭାବେ ଦାୟିତ୍ଵ ନେବାକୁ ଯାଉଛନ୍ତି, ଯାହା ସମଗ୍ର ଭାରତ ପାଇଁ ଏକ ଗର୍ବର ବିଷୟ।