କୋଲକାତା: ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ଘଟଣା ପରେ କୋଲକାତା ପୋଲିସ ରବିବାର ବାକି ପୂଜା ଦିବସ ନିମନ୍ତେ ପୋଲିସ କର୍ମଚାରୀ ଓ ଦୁର୍ଗାପଜା ଆୟୋଜକଙ୍କ ଲାଗି ଗାଇଡଲାଇନ ଜାରି କରିଛି। ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂଜା ମଣ୍ଡପମାନଙ୍କୁ ପ୍ରବେଶ କରିବା ଲାଗି ଭିଆଇପି ପାସ୍ ରଦ୍ଦ କରିଦିଯାଇଛି। ସେହିପରି ନିର୍ଦ୍ଦେଶରେ କୌଣସି ପୂଜାମଣ୍ଡପର ପ୍ରବେଶ ମାର୍ଗରେ ଯେପରି ଖାଦ୍ୟ ଷ୍ଟଲ ନ ରହେ ତେହା ସୁନିଶ୍ଚିତ କରିବାକୁ କୁହାଯାଇଛି। କୋଲକାତା ପୋଲିସ କମିଶନାର ଅଜୟ ନନ୍ଦ ଏ ନେଇ କୋଲକାତାର ସବୁ ପୋଲିସ ଥାନାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଏହି ନିର୍ଦ୍ଦେଶ ମାଧ୍ୟମରେ ପୋଲିସ, ସୁରକ୍ଷା କର୍ମୀ ଓ ପୂଜାମଣ୍ଡପ ଅଧିକାରୀଙ୍କ ମଧ୍ୟରେ ନିରନ୍ତର ଓ ସୂଚାରୁ ସମ୍ପର୍କ କାୟମ ରଖିବା ସମ୍ଭବ ହେବ। ପୋଲିସ କମିଶନର ତାଙ୍କ ଆଦେଶରେ କହିଛନ୍ତି ଯେ ଏବେଠାରୁ ପବ୍ଲିକ ଆଡ୍ରେସ୍ ସିଷ୍ଟମର ନିୟନ୍ତ୍ରଣ ପୋଲିସ ହାତରେ ରହିବ। ଏହାଛଡା ପୂଜା ମଣ୍ଡପମାନଙ୍କରେ ନା କେବଳ ସ୍ୱୟଂସେବକ ରହିବେ ସେମାନଙ୍କ ସହ ଅନୁନ୍ୟ ଜଣେ ପୋଲିସ କନଷ୍ଟେବଲ ମଧ୍ୟ ମୁତୟନ ରହିବେ। ଏହା ସହିତ ପୂଜାମଣ୍ଡପର ପ୍ରବେଶ ଓ ପ୍ରସ୍ଥାନ ମାର୍ଗ ଖାଲି ରଖିବାକୁ ପଡିବ। ଏହି ନିର୍ଦ୍ଦେଶରେ ପୂଜା ମଣ୍ଡପ ପ୍ରବେଶ, ପ୍ରସ୍ଥାନ ସହ ଭିତରେ ପର୍ଯ୍ୟାପ୍ତ ଆଲୋକର ଯାଞ୍ଚ ମଧ୍ୟ ହେବ।

ସେହିପରି କୋଲକାତା ପୋଲିସ ଇନିସପେକ୍ଟରମାନଙ୍କୁ ମ୍ୟାନପ୍ୟାକ୍ ରେଡିଓ ସେଟ୍ ଦିଆଯିବ। ଏହା ମାଧ୍ୟମରେ ପୂଜା କମିଟି ମାନଙ୍କ ସହିତ ନିରନ୍ତର ସମ୍ପର୍କରେ ରହିବା ସମ୍ଭବ ହେବ। ଉତ୍ତର କୋଲକାତା ଚୋରେବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଦର୍ଶନ ପାଇଁ ଭିଡ ବଢିବା ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏଥିରେ ବହୁ ସଂଖ୍ୟାରେ ଭକ୍ତ ଆହତ ହୋଇଥିଲେ। ଏଥିରେ ପୂଜା ମଣ୍ଡର ପ୍ରସ୍ଥାନ ଦ୍ୱାର ଭାଙ୍ଗିପଡିବା ପରିସ୍ଥିତିକୁ ଜଟିଳ କରିଦେଇଥିଲା।