କୋଲକାତା,୧୩|୦୬:ତୃଣମୂଳ କଂଗ୍ରେସର ସାଂସଦ ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପୋଲିସ । ଶନିବାର ଅଭିଷେକଙ୍କ ଘରେ ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ଫୋର୍ସ ପ୍ରବେଶ କରିଛନ୍ତି । ଫଳରେ ତାଙ୍କର ଅଡୁଆ ବଢିବାରେ ଲାଗିଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ତୃଣମୂଳ କଂଗ୍ରେସର ସ୍ଥିତି ଭଲ ନାହିଁ । ଜଣଙ୍କ ପରେ ଜଣେ ସାଂସଦ ଦଳ ଛାଡୁଛନ୍ତି । ମମତାଙ୍କ ସମର୍ଥନ କମି କମି ଯାଉଛି । ନେତା ଖୁଲମଖୁଲା ବିରୋଧ କରୁଛନ୍ତି । ଦିଦିଙ୍କ ପତିଆରା ଆଉ ଆଗ ଭଳି ନାହିଁ । ସରକାରରେ ଥିବା ସମୟର ଅନେକ ଦୁର୍ନୀତିର ପେଡି ମଧ୍ୟ ଖୋଲୁଛି ।

ତେବେ ଶନିବାର ସକାଳେ ଅଭିଷେକଙ୍କ ଘରେ ପୋଲିସ ଏବଂ କେନ୍ଦ୍ରୀୟ ଫୋର୍ସ ପ୍ରବେଶ କରିଛନ୍ତି । ଖବର ପାଇବା ପରେ ମମତା ମଧ୍ୟ ଘଟଣାସ୍ଥଳରେ ପହଁଚିଛନ୍ତି । ସକାଳେ ଶାଲବାନୀ ପୋଲିସ ଥାନାର ଅଧିକାରୀ କାଳୀଘାଟ ସ୍ଥିତ ଅଭିଷେକଙ୍କ ଘରେ ପହଁଚିଥିଲେ । ଏହି ସମୟରେ କୋଲକାତା ପୋଲିସ ସହ କେନ୍ଦ୍ରୀୟ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ ।

Also Read :- ବୈଭବଙ୍କ ପରେ ସାନ ଭାଇ ବି ବର୍ଷା କଲେ ଛକା-ଚଉକା, ଲଗାଇଲେ ଶତକ...ଖେଳିବେ IPL !

ସୂତ୍ରାନୁସାରେ, ପୋଲିସ ଅଭିଷେକଙ୍କ ବ୍ୟକ୍ତିଗତ ସହାୟକ ତଥା ସହଯୋଗୀ ସୁମିତ ରୟଙ୍କୁ ଖୋଜୁଛି । ତେଣୁ ଅଭିଷେକଙ୍କ ଘରେ ପୋଲିସ ପହଁଚି ତଲାସି କରିଛି । ତଲାସି ବେଳେ ମହିଳା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ସୁମିତଙ୍କୁ ସେମାନେ ପାଇନଥିଲେ ।

ସୂଚନାନୁସାରେ, ଏକ ଦସ୍ତଖତ ଜାଲିଆତି ମାମଲାରେ ସିଆଇଡି ତଦନ୍ତ କରୁଛି । କିଛି ଦିନ ତଳେ ସିବିଆଇ ମଧ୍ୟ ଅଭିଷେକଙ୍କ ଘରେ ପ୍ରବେଶ କରିଥିଲା । ଏହାପୂର୍ବରୁ ଜାଲ୍ ଦସ୍ତଖତ ମାମଲାରେ ଅଭିଷେକଙ୍କୁ ଜେରା କରାଯାଇଛି । ହେଟ୍ ସ୍ପିଚ୍ ମାମଲା ମଧ୍ୟ ତାଙ୍କୁ ସିଆଇଡି ନୋଟିସ କରିଛି ।