ଲକ୍ଷ୍ନୌ: କୋଲକାତା ଓ ଲକ୍ଷ୍ନୌ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ହୋଇଥିଲା । ୧୫୬ ରନର ପିଛା କରି ଲକ୍ଷ୍ନୌ ମ୍ୟାଚ୍ ଟାଇ ରଖିଥିଲା । ଦଳକୁ ଜିତିବା ପାଇଁ ଗୋଟିଏ ବଲରେ ୭ ରନ୍ ଦରକାର ଥିଲା । ମହମ୍ମଦ ସାମି ଶେଷ ବଲରେ ଛକା ମାରି ମ୍ୟାଚକୁ  ଡ୍ର’ କରିଥିଲେ । ଏହା ପରେ ସୁପର ଓଭରରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା । ପ୍ରଥମେ ନିକୋଲାସ ପୁରନ ଏବଂ ଆଡେନ ମାରକ୍ରମ ବ୍ୟାଟିଂ କରିବାକୁ ଆସିଥିଲେ । କୋଲକାତା ପକ୍ଷରୁ ସୁନିଲ ନାରାୟଣ ବୋଲିଂ କରିବାକୁ ଆସିଥିଲେ

ପ୍ରଥମ ବଲରେ ସୁନିଲ ନାରାୟଣ ନିକୋଲାସ ପୁରନଙ୍କୁ ବୋଲ୍ଡ କରିଥିଲେ । ପରବର୍ତ୍ତୀ ବଲରେ ରିଷଭ ପନ୍ତ ସିଙ୍ଗଲ ନେଇଥିଲେ । ଏହା ପରେ ଆଡେନ ମାରକ୍ରମଙ୍କୁ ରିଙ୍କୁ ସିଂଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ପାଭିଲିୟନ ପଠାଇଥିଲେ ନାରାୟଣ । ସେପଟେ କୋଲକାତା ୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଆସିଥିଲା । ରିଙ୍କୁ ସିଂ ଏବଂ ରୋଭମ୍ୟାନ ପାଓ୍ବେଲ୍‌ ବ୍ୟାଟିଂ କରିବାକୁ ଆସିଥିଲେ । ଷ୍ଟ୍ରାଇକରେ ଥିଲେ ରିଙ୍କୁ, ପ୍ରିନ୍ସ ଯାଦବ ବୋଲିଂ କରିଥିଲେ । ପ୍ରଥମ ବଲ୍‌ରେ ଚୌକା ମାରି କୋଲକାତାକୁ ବିଜୟୀ କରାଇଥିଲେ ରିଙ୍କୁ ସିଂ । ସବୁଠାରୁ ବଡ଼ କଥା ହେଉଛି, ଆଜିର ମ୍ୟଚରେ ରିଙ୍କୁ ସର୍ବାଧିକ ରନ୍‌ କରିବା ସହ, ମୋଟ ୫ କ୍ୟାଚ ବି ଧରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌକୁ ୧୫୬ ରନ ବିଜୟ ଲକ୍ଷ୍ୟ ଦେଇଥିଲା କୋଲକାତା । ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୫୫ ରନ୍ କରିଥିଲା । ଆଡେନ ମାରକ୍ରମ (୩୧), ମିଚେଲ ମାର୍ଶ(୨), ରିଷଭ ପନ୍ତ (୪୨), ନିକୋଲାସ ପୁରନ (୯), ଆୟୁଷ ବାଦୁନୀ (୨୪), ମୁକୁଲ ଚୌଧୁରୀ (୧), ହିମ୍ମତ ସିଂହ (୧୯), ଜର୍ଜ ଲିଣ୍ଡେ (୮), ମହମ୍ମଦ ସାମି ଅପରାଜିତ ୧୧ ରନ୍ କରିଥିଲେ ।

IPL 2026ର ୩୮ତମ ମ୍ୟାଚ୍ ଏକାନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ମଧ୍ୟରେ ଖେଳାଯାଇଥିଲା । ଲକ୍ଷ୍ନୌ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସେପଟେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କେକେଆର ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା । ଶେଷରେ ରିଙ୍କୁ ସିଂ ଦଳକୁ ସମ୍ମାନଜନକ ସ୍କୋର କରିବାରେ ସାହାଯ୍ୟ କରିଥିଲେ ।

ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୫ ବଲ୍ ଖେଳି ମାତ୍ର ୧୦ ରନ କରି ଆଉଟ୍ ହୋଇଥିଲେ । ଟିମ୍ ସାଇଫର୍ଟ (୦), ଅଙ୍ଗକ୍ରିଷ ରଘୁବଂଶୀ (୯), କ୍ୟାମେରନ୍ ଗ୍ରୀନ (୩୪), ରୋଭମାନ ପାଓ୍ବେଲ (୧), ଅନୁକୂଳ ରୟ (୦) ଏବଂ ରମଣଦୀପ ସିଂହ(୬) ଜଳଦି ଆଉଟ ହୋଇଯାଇଥିଲେ । ହେଲେ ରିଙ୍କୁ ସିଂ କ୍ରିଜରେ ଜମି ଯାଇଥିଲେ ଏବଂ ଅପରାଜିତ ୮୩ ରନ କରିଥିଲେ ।

ଲକ୍ଷ୍ନୌ ପକ୍ଷରୁ ମୋହସିନ ଖାନ ସର୍ବାଧିକ ୫ଟି ଓ୍ବିକେଟ ନେଇଥିଲେ । ଏହା ସହ ଜର୍ଜ ଲିଣ୍ଡେ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ଅନ୍ୟ ବୋଲର ଓ୍ବିକେଟ ପାଇନଥିଲେ । ଆଜି ଦିଗବେଶ ସିଂହ ରାଠୀ ୪ ଓଭରରେ ୪୬ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।