ରାୟପୁର: ରାୟପୁରରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ବିଶାଳ ସ୍କୋର କରି ବି ପରାଜୟର ମୁହଁ ଦେଖିଛି ଭାରତ। ଦ୍ଵିତୀୟ ଦିନିକିଆକୁ ୪ ଓ୍ଵିକେଟ୍‌ରେ ଜିତି ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ରେ ବରାବର କରିଛି। ଭାରତ ମାଟିରେ ସବୁଠୁ ବଡ଼ ବିଜୟ ଲକ୍ଷ୍ୟ ହାସଲ କରି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ବିରାଟ କୋହଲି ଓ ଋତୁରାଜ ଗାଏକ୍ଵାଡ଼ଙ୍କ ଶତକ ବୃଥା ହୋଇଛି। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫ ଓ୍ଵିକେଟ୍ ହରାଇ ୩୫୮ ରନ କରିଥିଲା। ଯାହାକୁ ଭ୍ରମଣକାରୀ ଦଳ ୪୯.୨ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। । ଆଡନ ମାରକ୍ରମଙ୍କ ୧୧୦ ରନ ସହ ମାଥ୍ୟୁ ବ୍ରିଟଜକେ ଓ ଡିଓ୍ଵାର୍ଲ୍ଡ ବ୍ରେଭିସଙ୍କ ଅର୍ଦ୍ଧଶତକ ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇଛି। ମ୍ୟାଚରେ ଭାରତର ବୋଲିଂ ନିଷ୍ପ୍ରଭ ରହିଛି। ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଡିସେମ୍ବର ୬ରେ ବିଶାଖାପଟନମରେ ଖେଳାଯିବ।

୩୫୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାକୁ ୨୬ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। କ୍ଵିଣ୍ଟନ ଡିକକ୍(୮) ପୁଣି ଥରେ ନିରାଶ କରିଥିଲେ। ଏହା ପରେ ଆଡନ ମାରକ୍ରମ ଓ ଅଧିନାୟକ ତେମ୍ବା ବାଭୁମା ଭାରତୀୟ ବୋଲରଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୦୧ ରନ ଯୋଡ଼ିଥିଲେ। ତେମ୍ବା ବାଭୁମା ୪୬ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଗୋଟିଏ ପଟୁ ଆଡନ ମାରକ୍ରମ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ। ସେ ଏବଂ ମାଥ୍ୟୁ ବ୍ରିଟଜକେ ଦ୍ରୁତ ଗତିରେ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ଆଡନ ମାରକ୍ରମ ଦମଦାର ବ୍ୟାଟିଂ କରି ଦିନିକିଆ କ୍ୟାରିୟରରେ ଚତୁର୍ଥ ଶତକ ହାସଲ କରିଥିଲେ। ସେ ଓ ବ୍ରିଟଜକେ ୭୦ ରନ ଯୋଡ଼ିଥିଲେ। ମାରକ୍ରମ ୯୮ ବଲରୁ ୧୦ ଚୌକା ଓ ୪ ଛକା ସହ ୧୧୦ ରନ କରିଥିଲେ।

​​​​​​​

ଏହା ପରେ ପୁଣି ବ୍ରିଟଜକେ ଓ ଡିଓ୍ଵାର୍ଲ୍ଡ ବ୍ରେଭିସ ୯୨ ରନ ଯୋଡ଼ି ଦକ୍ଷିଣ ଆଫ୍ରିକାର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ବିଶେଷ କରି ବ୍ରେଭିସ ଦ୍ରୁତ ବ୍ୟାଟିଂ କରି ୩୪ ବଲରୁ ୧ ଚୌକା ଏବଂ ୫ ଛକା ସହ ୫୪ ରନର ଇନିଂସ ଖେଳି ଦକ୍ଷିଣ ଆଫ୍ରିକାକୁ ବିଜୟର ନିକଟତର କରାଇଥିଲେ। ଏହା ପରେ କ୍ରିଜରେ ଜମିଥିବା ମାଥ୍ୟୁ ବ୍ରିଟଜକେଙ୍କୁ ଆଉଟ୍ କରି ମ୍ୟାଚରେ ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ବ୍ରିଟଜକେ ୬୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। କୋର୍ବିନ ବୋଶ ୨୯ ରନ କରି ମ୍ୟାଚକୁ ଜିତାଇଛନ୍ତି। ଦକ୍ଷିଣ ଆଫ୍ରିକା ମ୍ୟାଚକୁ ୪ ଓ୍ଵିକେଟରେ ଜିତିବା ସହ ୩୫୯ ରନ କରି ଇତିହାସ ରଚିଛି।

ଭାରତର ଇନିଂସ

ଟସ୍ ହାରି ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ରୋହିତ ଓ ଜୟସ୍ଵାଲ ୪୦ ରନ ଯୋଡ଼ିଥିଲେ। ରୋହିତ ୮ ବଲରୁ ୧୪ ରନ କରିଥିଲେ ହେଁ ବଡ଼ ସ୍କୋର କରି ପାରି ନ ଥିଲେ। ଯଶସ୍ଵୀ ଜୟସ୍ଵାଲ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ। ସେ ୨୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବିରାଟ କୋହଲି ଓ ଋତୁରାଜ ଗାଏକ୍ଵାଡ଼ ଇନିଂସ ସମ୍ଭାଳିଥିଲେ। ଆଜି ଋତୁରାଜ ଗାଏକ୍ଵାଡ଼ ଭଲ ଫର୍ମରେ ନଜର ଆସିଥିଲେ। ଦୁଇ ବ୍ୟାଟର ବିପକ୍ଷ ବୋଲରଙ୍କ ପ୍ରହାର କରି ନିଜର ଶତକ ପୂରଣ କରିଥିଲେ।

ଗାଏକ୍ଵାଡ଼ ପ୍ରଥମ ଦିନିକିଆ ହାସଲ କରିଥିବା ବେଳେ କୋହଲି ସିରିଜରେ ଲଗାତାର ଦ୍ଵିତୀୟ ଶତକ ହାସଲ କରିଛନ୍ତି। କୋହଲିଙ୍କ ଏହା ୫୩ତମ ଦିନିକିଆ ଶତକ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟରେ ୧୯୫ ରନ ଯୋଡ଼ି ଦଳର ସ୍କୋରକୁ ୨୫୭  ସ୍କୋରରେ ପହଞ୍ଚାଇଥିଲେ। ତେବେ ଶତକ ହାସଲ କରିବା ପରେ ପରେ ଦୁଇ ବ୍ୟାଟର ଅଳ୍ପ ବ୍ୟବଧାନରେ ଆଉଟ୍ ହୋଇଥିଲେ।

ଗାଏକ୍ଵାଡ଼ ୮୩ ବଲରୁ ୧୨ ଚୌକା ଓ ୨ ଛକା ସହ ୧୦୫ ରନ କରିଥିଲେ। କୋହଲି ୯୩ ବଲରୁ ୭ ଚୌକା ଓ ୨ ଛକା ସହ ୧୦୨ ରନ କରିଥିଲେ। ଏହା ପରେ କେଏଲ ରାହୁଲ ପୁଣି ଥରେ ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି। କ୍ରମାଗତ ଅର୍ଦ୍ଧଶତକ ହାସଲ କରି ୪୩ ବଲରୁ ୬ ଚୌକା ଓ ୨ ଛକା ସହ ୬୬ ରନର ଅପରାଜିତ ଇନିଂସ ଖେଳିଛନ୍ତି। ରବୀନ୍ଦ୍ର ଜାଡ଼େଜା ୨୪ ରନ କରିଥିଲେ। ଭାରତ ୫ ଓ୍ଵିକେଟ୍ ହରାଇ ୩୫୮ ରନ କରିଛି।