ନୂଆଦିଲ୍ଲୀ: ନିଆଁ ସହ ଖେଳିବ ଆମେରିକା। ଇରାନ ଦ୍ୱୀପକୁ ଓହ୍ଲାଇବାକୁ ପ୍ଲାନ୍‌। ଟ୍ରମ୍ପଙ୍କୁ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଚେତାବନୀ। ଖାର୍ଗକୁ ଯାଅନି, ନହେଲେ ‘ଗାଲିପୋଲି’ ପରି ଭୋଗିବ। ଯୁଦ୍ଧ ବନ୍ଦ ବାହାନାରେ ଟ୍ରମ୍ପ କରୁଛନ୍ତି ବଡ଼ ପ୍ଲାନ୍। ଖାର୍ଗ ଦ୍ୱୀପକୁ ଆକ୍ରମଣ ଏବଂ ଦଖଲ କରିବାର ଯୋଜନା କରୁଛି ଆମେରିକା। ଆମେରିକା ୮୨ତମ ଏୟାରବର୍ଣ୍ଣ ଡିଭିଜନରୁ ୫ ହଜାର ମାରିନ୍ ଏବଂ ସୈନ୍ୟଙ୍କୁ ପଶ୍ଚିମ ଏସିଆ ଅଭିମୁଖେ ପଠାଇଛି। ଇରାନ ସହିତ ଆଲୋଚନା ସମ୍ପର୍କରେ ଆମେରିକାର ରାଷ୍ଟ୍ରପତିଙ୍କ ଘୋଷଣା କେବଳ ଏକ ବାହାନା ଥିଲା କି?

ଇରାନର ତୈଳ ରପ୍ତାନୀର ମୁଖ୍ୟ କେନ୍ଦ୍ର ଖାର୍ଗ ଦ୍ବୀପ ଉପରେ ସ୍ଥଳଭାଗରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ I କିନ୍ତୁ ଚେତାଇ ଦେଇଛନ୍ତି ବିଶେଷଜ୍ଞ। ଏହାକୁ ୧୦୦ ବର୍ଷ ତଳେ ବ୍ରିଟେନ କରିଥିବା ଏକ ବଡ଼ ଭୁଲ ସହିତ ତୁଳନା କରି ସତର୍କ କରାଇ ଦେଇଛନ୍ତି। ବ୍ରିଟେନର ଭୁଲକୁ ଦୋହରାଇବା ଟ୍ରମ୍ପଙ୍କ ପାଇଁ ବିପଜ୍ଜନକ ହୋଇପାରେ ବୋଲି କୁହାଯାଇଛି।

ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ତୁର୍କୀର ‘ଡାର୍ଡାନେଲ୍ସ ଷ୍ଟ୍ରେଟ୍' ଦଖଲ କରିବାକୁ ଚେଷ୍ଟା କରିଥିଲା ବ୍ରିଟେନ। ଏହାକୁ ଗାଲିପୋଲି ଅଭିଯାନ କୁହାଯାଏ I ବ୍ରିଟେନ ଭାବିଥ୍‌ଲା ତୁର୍କୀର ସେନା ଦୁର୍ବଳ। କିନ୍ତୁ ସେଠାକାର ପାହାଡ଼ିଆ ଅଞ୍ଚଳ ଏବଂ ତୁର୍କୀ ସେନାର ପରାକ୍ରମ ଯୋଗୁଁ ପ୍ରାୟ ଅଢ଼େଇ ଲକ୍ଷ ବ୍ରିଟିଶ ଓ ମିଳିତ ସେନା ମୃତାହତ ହୋଇଥିଲେ। ଶେଷରେ ବ୍ରିଟେନକୁ ଅପମାନିତ ହୋଇ ସେଠାରୁ ଫେରିବାକୁ ପଡ଼ିଥିଲା। ଶତ୍ରୁକୁ ଦୁର୍ବଳ ମନେ କରିବା ଏବଂ ଭୌଗଳିକ ସ୍ଥିତିକୁ ଅଣଦେଖା କରିବା ବ୍ରିଟେନ ପାଇଁ ମହଙ୍ଗା ପଡ଼ିଥିଲା।

ଖାର୍ଗ ଦ୍ବୀପକୁ ଇରାନ ଏକ ଦୁର୍ଗରେ ପରିଣତ କରିଛି। ସେଠାରେ ସ୍ଥଳଭାଗରେ ଲ୍ୟାଣ୍ଡମାଇନ୍ସ, ସମୁଦ୍ରରେ ମାଇନ୍ସ ଏବଂ ଅତ୍ୟାଧୁନିକ ମିସାଇଲ ସିଷ୍ଟମ ମୁତୟନ କରାଯାଇଛି। ଗାଲିପୋଲି ଭଳି ଇରାନର ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟ ପାହାଡ଼ିଆ। ଏଠାରେ ଇରାନ ଆର୍ମି ଅତି ସହଜରେ ଆମେରକୀୟ ସୈନ୍ୟମାନଙ୍କୁ ଶତ୍ରୁକୁ ଟାର୍ଗେଟ କରିପାରିବେ।

ହର୍ମୁଜ ପ୍ରଣାଳୀରେ ମାତ୍ର ୨୨ କିମି ଚଉଡ଼ା ଜଳପଥରେ ଇରାନର ଶତାଧିକ ଡ୍ରୋନ, ମିସାଇଲ ବୋଟି ଏବଂ ଆଣ୍ଟିସିପ୍ ମିସାଇଲ ମୁତୟନ ଅଛି। ଯାହା ଆମେରିକାର ବଡ଼ ଯୁଦ୍ଧ ଜାହାଜ ପାଇଁ ମରଣଯନ୍ତା ସଦୃଶ ହେବ। ଟ୍ରମ୍ପ ଏହି ଅଭିଯାନକୁ ଏକ ‘ଛୋଟ ପଦକ୍ଷେପ' ବୋଲି କହୁଛନ୍ତି। କିନ୍ତୁ ଇତିହାସ କୁହେ ଯେ ଶତ୍ରୁକୁ ଦୁର୍ବଳ ମନେ କରିବା ବିପଜ୍ଜନକ। ଯଦି ଏହି ଯନ୍ତାରେ ଆମେରିକା ଫସିଯାଏ, ତେବେ ଏହା ଆଉ ଏକ ‘ପର୍ସିଆନ ଗାଲିପୋଲି’ ଭଳବେ ଇତିହାସରେ ଲିପିବଦ୍ଧ ହେବ।