ନୂଆଦିଲ୍ଲୀ: ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ୨୫ ବର୍ଷୀୟ ମହିଳାଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । କେରଳର କନ୍ନୁର ଅଞ୍ଚଳର ଏହି ମହିଳା ସ୍ନେହା ମର୍ଲିନ୍ (Sneha Merlin) ଜଣେ ୧୬ ବର୍ଷୀୟ ଝିଅକୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି ।  ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଉକ୍ତ ମହିଳାଙ୍କ ବିରୋଧରେ ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି ପୋଲିସ । ତେବେ ଏହି ଘଟଣା କିଛି ମାସ ପୂର୍ବରୁ କାସରଗୋଡସ୍ଥିତ ପୀଡ଼ିତାଙ୍କ ଘରେ ଘଟିଥିଲା।

ଅଭିଯୁକ୍ତ ସ୍ନେହା ମର୍ଲିନ୍ ହେଉଛନ୍ତି ପୀଡ଼ିତାଙ୍କ ମାଆଙ୍କ ଜଣେ ବାନ୍ଧବୀ। ସାମାଜିକ ପ୍ରତିଷ୍ଠା ଓ ଭୟ ଯୋଗୁଁ ନାବାଳିକା ଜଣକ ପ୍ରାରମ୍ଭିକ ପର୍ଯ୍ୟାୟରେ ଏ ବିଷୟରେ କାହାକୁ କିଛି କହିନଥିଲେ। ତେବେ କାଉନସେଲିଂ (Counselling Session) ସମୟରେ ସେ ନିଜ ସହ ଘଟିଥିବା ଏହି ଘଟଣା ବିଷୟରେ ପ୍ରକାଶ କରିଥିଲେ। ଏହା ଜାଣିବା ପରେ ନାବାଳିକାଙ୍କ ପିତାମାତା ତୁରନ୍ତ ପୋଲିସ ନିକଟରେ ପହଞ୍ଚି ସ୍ନେହାଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ଏବଂ ଖୁବଶୀଘ୍ର ସ୍ନେହାଙ୍କୁ ଗିରଫ କରାଯିବ ବୋଲି କହିଛି।

ପୂର୍ବରୁ ରହିଛି ଅପରାଧିକ ରେକର୍ଡ
ପୋଲିସର ଖୋଳତାଡ଼ରୁ ଜଣାପଡ଼ିଛି ଯେ, ସ୍ନେହା ମର୍ଲିନ୍ ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ନାଁରେ ପୂର୍ବରୁ ତାଲିପରମ୍ବା ପୋଲିସ ଷ୍ଟେସନରେ ୩ଟି ପୋକ୍ସୋ ମାମଲା ପଞ୍ଜୀକୃତ ହୋଇସାରିଛି । ଗତବର୍ଷ ମାର୍ଚ୍ଚ ମାସରେ ଜଣେ ନାବାଳିକାଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ପ୍ରଥମ ମାମଲା ହୋଇଥିଲା। ବାକି ଦୁଇଟି ମାମଲାରେ ସେ ନାବାଳକଙ୍କୁ ନିଜର ଶିକାର ବନାଇଥିଲେ। ଏଥିମଧ୍ୟରୁ ଜଣେ ପୀଡ଼ିତ ହେଉଛନ୍ତି ତାଲିପରମ୍ବା ମାମଲାରେ ନାବାଳିକା ପୀଡ଼ିତାଙ୍କ ନିଜ ଭାଇ।