ତିରୁଅନନ୍ତପୁରମ: ମଲ୍ଲିକାର୍ଜୁନ ଖଡଗେଙ୍କ ସଭାର ଦୁଇ ଦିନ ପରେ ହଲଦ୍ୱାନୀରେ ମଞ୍ଚ ସୁଧିକରଣକୁ ଦଳିତ ଅପମାନ ସହ ଯୋଡି ଏଫଆଇଆର ଦାବି କରୁଥିବା କଂଗ୍ରେସ ନିଜ କାର୍ଯ୍ୟକର୍ତ୍ତା ଓ ନେତାଙ୍କ ଦ୍ୱାରା ଦଳିତ ମହିଳା ବିଧାୟକଙ୍କ ସହ ମାରପିଟ ମାମଲାରେ ଘେରି ଯାଇଛି। କେରଳମ ରାଜଧାନୀ ତିରୁଅନନ୍ତପୁରମ ଜିଲ୍ଲାର ଚିରାୟିନକିଝୁରେ କଂଗ୍ରେସ ବିଧାୟକ ରମ୍ୟା ହରିଦାସ ଓ ପାର୍ଟିର ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମାରପିଟ ହୋଇଛି।ଏ ନେଇ ଉଭୟ ପକ୍ଷ ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି। ଏଥିରେ ବିଧାୟକ ରମ୍ୟା ହରିଦାସ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ନେତାମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଅନ୍ୟପଟେ ଜିଲ୍ଲା ପଞ୍ଚାୟ ସଦସ୍ୟ ସଜିତ ମୁତ୍ତମବଲମ ତଥା ପାର୍ଟି ନେତା ସଜାଦ ଦାବି କରିଛନ୍ତି ଯେ ବିଧାୟକ ଓ ତାଙ୍କ ସହଯୋଗୀମାନେ ଏକ ହ୍ୱାଟସଆପ ପୋଷ୍ଟକୁ ନେଇ ପ୍ରଶ୍ନ କରିଥିଲେ ଓ ଏହାକୁ ନେଇ ଝଗଡା ହୋଇଛି। ଶୁକ୍ରବାର ରାତିରେ ହୋଇଥିବା ଏହି ଘଟଣାରେ ମହିଳା ବିଧାୟକ ରମ୍ୟା ହରିଦାସ ଆହତ ହୋଇଛନ୍ତି।

ପୋଲିସ କହିଛି ଯେ ହରିଦାସଙ୍କ ବୟାନ ଆଧାରରେ ସଜିତ ଓ ସଜାଦଙ୍କ ସମେତ କଂଗ୍ରେସର ୧୫ ଜଣ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମରେ ମାମଲା ରୁଜୁ ହୋଇଛି। ପୋଲିସ ଅନୁସାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ସଜାଦଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଅଭିଯୋଗ ଆଧାରରେ ବିଧାୟକ ହରିଦାସଙ୍କ ବିରୋଧରେ ମଧ୍ୟ ଏକ ପୃଥକ ମାମଲା ରୁଜୁ ହୋଇଛି। ଉଭୟପକ୍ଷ ପରସ୍ପର ବିରୋଧରେ ମାରପିଟ ଅଭିଯୋଗ ଆଣିଛନ୍ତି ଓ ଏଥିରୁ କଂଗ୍ରେସର ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟ ସାମ୍ନାକୁ ଆସିଛି।

କୁହାଯାଉଛି ଏହି ବିବାଦ ବିଧାୟକ, ନିର୍ବାଚିତ ପ୍ରତିନିଧି ଓ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବ୍ଲକ୍ ପଞ୍ଚାୟତ ସମିତି ବୈଠକରେ ବିଧାୟକଙ୍କ ସହଯୋଗୀ ପଲାୟମ ପ୍ରଦୀପ ସାମିଲ ହେବା ଯୋଗୁ ହୋଇଛି। ହରିଦାସ କହିଛନ୍ତି ଯେ ପ୍ରଦୀପ ତାଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଛନ୍ତି। ତେବେ ସଜାଦ ଏହାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ବିମଲ ନାମକ ଅନ୍ୟ ଜଣେ ବ୍ୟକ୍ତି। ହରିଦାସ ସାମ୍ବାଦିକଙ୍କୁ କହିଛନ୍ତି ଯେ ନିକଟରେ ଏକ ବ୍ୟାଙ୍କର ନିର୍ବାଚନ ହୋଇଥିଲା। ଏଥିରେ କଂଗ୍ରେସ ସଦସ୍ୟ ୩ଟି ଅଲଗା ଅଲଗା ପ୍ୟାନେଲରେ ନିର୍ବାଚନ ଲଢୁଥିଲେ।

ସେ କହିଛନ୍ତି ଯେ ମୁଁ କୌଣସି ପ୍ୟାନେଲରେ ସାମିଲ ହୋଇ ନଥିଲି। କାରଣ ମୁଁ ଚାହୁଁନଥିଲି ଯେ ମୁଁ କୌଣସି ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ସମର୍ଥନ କରୁଛି ବୋଲି ବାର୍ତ୍ତା ଯାଉ। ତେବେ ଏହା ପରେ ସଜାଦ ହ୍ୱାଟସଆପ୍ ଓ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ନକାରାତ୍ମକ ଟିପ୍ପଣୀ କରିଥିଲେ। ଯତେବେଳେ ମୁଁ ତାଙ୍କୁ ଏହି ପୋଷ୍ଟ ବିଷୟରେ ପଚାରିଲି ସେତେବେଳେ ସଜାଦ କହିଥିଲେ ଯେ ବିଶ୍ୱନାଥ ଓ ସଜିତଙ୍କ ପ୍ରରୋଚନାରେ ମୁଁ ଏପରି କରିଛି। କଂଗ୍ରେସ ସୂତ୍ର ଅନୁସାରେ ପାର୍ଟିର ତିରୁଅନନ୍ତପୁରମ ଜିଲ୍ଲା ୟୁନିଟ୍ ଓ କେରଳ ପ୍ରଦେଶ କଂଗ୍ରେସ କମିଟି ଏହି ଘଟଣାର ସଂଜ୍ଞାନ ନେଇଛି ଓ ମାମଲାର ତଦନ୍ତ କରିବାକୁ ନିଷ୍ପତ୍ତି ହୋଇଛି। ସୂତ୍ର ଅନୁସାରେ ପାର୍ଟି ବିଧାୟକ ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ଉଭୟଙ୍କ ପକ୍ଷ ଶୁଣିବ।