କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ସାନ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଜାମିନ ମିଳିଛି। ଶୁକ୍ରବାର କେନ୍ଦ୍ରାପଡ଼ା SDJM କୋର୍ଟ ସୂର୍ଯ୍ୟକାନ୍ତ ଜାମିନ ମଞ୍ଜୁର କରିଛନ୍ତି । ମହାକାଳପଡ଼ା BDOଙ୍କ ଚାମ୍ବରରେ ଭିଡିଓ କରିବା ଅଭିଯୋଗରେ ଜୁନ ୧୧ ତାରିଖରେ ସୂର୍ଯ୍ୟକାନ୍ତଙ୍କୁ ଗିରଫ କରିଥିଲା ପୋଲିସ୍। ସୂର୍ଯ୍ୟକାନ୍ତଙ୍କ ଜାମିନ ମଞ୍ଜୁର ସମ୍ପର୍କରେ ସୂଚନା ଦେଇଛନ୍ତି ତାଙ୍କ ଓକିଲ ରବିନାରାୟଣ ମହାନ୍ତି।

ସୂଚନାଥାଉକି, ଜୁନ୍ ୧୧ ତାରିଖରେ ଚାମେଲି ଓଝା ବିଡିଓଙ୍କୁ ଭେଟିବାକୁ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପଞ୍ଚାୟତରେ ବିଭିନ୍ନ କାମର ନିର୍ମାଣ ସରିଥିଲେ ବି ଏହାର ବିଲ୍ କାହିଁକି ହୋଇପାରୁନାହିଁ ତାହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ସେଠାରେ ଆଲୋଚନା କଲାବେଳେ ତାଙ୍କ ଭାଇ ମୋବାଇଲରେ ଭିଡିଓ କରୁଥିଲେ। ହେଲେ ଭିଡିଓକୁ ବିଡିଓ ଓ ଉପସ୍ଥିତ ବିଜେପି କର୍ମୀ ବିରୋଧ କରିବା ସହ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାମେଲି ଓ ତାଙ୍କ ସାନଭାଇଙ୍କୁ ଥାନାକୁ ନେଇ ଆସିଥିଲେ। ଏହାପରେ ମାମଲାରେ ଚାମେଲି ପୋଲିସ ଏବଂ ବିଡିଓଙ୍କ ନାଁରେ ଅଭିଯୋଗ ଆଣିଥିବା ବେଳେ, ବିଡିଓ ମଧ୍ୟ ଅଭିଯୋଗ କରିଥିଲେ। ଏମିତିରେ ବିଡିଓଙ୍କ ଅଭିଯୋଗ ଆଧାରରେ ପୋଲିସ ଚାମେଲିଙ୍କୁ ଗିରଫ କରିଥିଲା।

Also Read: ବ୍ଲକ୍ ପ୍ରଶାସନ-ଚାମେଲି ଓଝା ବିବାଦ ମାମଲା: ଆଉ ଜଣଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ

ତେବେ ଏହି ଘଟଣାରେ ପୂର୍ବରୁ ଗତ ମଙ୍ଗଳବାର ଚାମେଲିଙ୍କୁ ଜାମ ମିଳିସାରିଥିଲା। ମାତ୍ର ହସ୍ପିଟାଲରେ ଚିକିତ୍ସାଧୀନ ଥିବାରୁ ଗୁରୁବାର ସେ ଡିସଚାର୍ଜ ପରେ ଘରକୁ ଫେରିଥିଲେ। ସେପଟେ ଆସନ୍ତା ୨୦ ତାରିଖ ଦିନ ଜିଲ୍ଲା ସରପଞ୍ଚ ସଂସ୍କୃତି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବୋଲି ଚାମେଲି କହିଛନ୍ତି । ସେହିପରି ସେ ପୋଲିସ DG ଓ IGଙ୍କୁ ମଧ୍ୟ ଚିଠି ଲେଖି ନ୍ୟାୟ ମାଗିଛନ୍ତି । ଯଦି ୭ ଦିନରେ ନ୍ୟାୟ ନମିଳେ ତେବେ ୪ ତାରିଖରେ ଚାମେଲି କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ବ୍ଲକ୍ ପ୍ରଶାସନ-ଚାମେଲି ଓଝା ବିବାଦ ମାମଲାରେ ଶୁକ୍ରବାର ଆଉ ଜଣକୁ ଗିରଫ କରିଛି ମହାକାଳପଡ଼ା ପୋଲିସ। ଗିରଫ ଅଭିଯୁକ୍ତଙ୍କ ନାଁ  ହିମାଂଶୁ ପ୍ରଧାନ। ସେ ବିଡିଓଙ୍କ ଚାମ୍ବର ଭିତରେ ଚାମେଲିଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ହୋଇଥିଲା ଅଭିଯୋଗ। ପୂର୍ବରୁ ଏହି ମାମଲାରେ ପାର୍ଥସାରଥୀ ସାମନ୍ତରାୟ ଗିରଫ ହୋଇଥିଲେ ।